ବିଦ୍ୟୁତ ଶୁଳ୍କ ବର୍ଦ୍ଧିତକୁ ନେଇ କଂଗ୍ରେସର ଧାରଣା: ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଆଜି ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଶୁଳ୍କ ବର୍ଦ୍ଧିତକୁ ନେଇ ଧାରଣା ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ଅଭିଯୋଗ କରିଥିଲା ଯେ ୨୦୧୬ରେ ବିମୁଦ୍ରାକରଣ ଓ ପରେ ମହାମାରୀ କରୋନା ଯୋଗୁଁ ସବୁବର୍ଗର ଲୋକଙ୍କ ମଧ୍ୟରୁ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଗରିବ, ଚାଷୀ ତଥା ବିଦ୍ୟୁତ ବ୍ୟବହାରକାରୀ ଅଣୁ,କ୍ଷୁଦ୍ର ,ମଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। କ୍ରୟଶକ୍ତି ହ୍ରାସ ପାଇବାରେ ଲାଗିଛି ବୋଲି କହିଥିଲେ। ଏହି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ଦେୟ ବୃଦ୍ଧି ଘଟାଇଛନ୍ତି।

ବିଶେଷକରି ଟାଟା ବିଦ୍ୟୁତ ବିତରକ ସଂସ୍ଥାକୁ ବିତରଣ ଦାୟିତ୍ୱ ଦେବା ପରଠାରୁ ଏ ମଧ୍ୟରେ ୟୁନିଟ ପିଛା ଗତ ୭ ମାସ ମଧ୍ୟରେ ଦୁଇ ଥର ୫୦ ପଇସା ଦର ବୃଦ୍ଧି କରାଯାଇଛି। ଗତ ଥର ୨୦ ପଇସା ଏବେ ପୁଣି ୩୦ ପଇସା ବର୍ଦ୍ଧିତ କରାଯାଇଛି। ରାଜ୍ୟପାଳଙ୍କୁ ଦିଆଯାଇଥିବା ସ୍ମାରକ ପତ୍ରରେ କଂଗ୍ରେସ ଅବଗତ କରାଇଛି ଯେ ଓଡିଶା ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ ହୋଇଥିବାବେଳେ ଜଳ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ କମ୍ ହୋଇଥିବାରୁ ସମସ୍ତ ବିଦ୍ୟୁତ ଉତ୍ପାଦନର କ୍ରୟ ୟୁନିଟ ମାତ୍ର ୩୦ ପଇସା ପଡିଥାଏ।

କିନ୍ତୁ ଉପଭୋକ୍ତାମାନଙ୍କୁ ୟୁନିଟ ପିଛା ୫ ଟଙ୍କା ୬୦ ପଇସା ଏବଂ ୪୦୦ ୟୁନିଟରୁ ଉର୍ଦ୍ଧ୍ବ ବିଦ୍ୟୁତ ବ୍ୟବହାର କଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଦେବାକୁ ପଡୁଛି। ଏହା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇଯାଉଛି। ତେଣୁ ତୁରନ୍ତ ବିଦ୍ୟୁତ ଦରକୁ ପ୍ରତ୍ୟାହାର କରାଯାଉ ବୋଲି କଂଗ୍ରେସ ଦାବି କରିଛି। ନଚେତ ଆଗାମୀ ଦିନରେ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବା ସହ ବିଦ୍ୟୁତ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛି। ଆଜିର ଏହି ଧାରଣାରେ କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ,କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି,ପର୍ଶୁ ଭକ୍ତ,କେଶୁ ରାଓ,ପ୍ରାଣକୃଷ୍ଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର