କଂଗ୍ରେସ ପକ୍ଷରୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଏସପି ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ

ବାରିପଦା: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା , ନାବାଳିକାମାନଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ସାଙ୍ଗକୁ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ବୃଦ୍ଧି ଏବଂ ଅପରାଧୀ ବା ଅଭିଯୁକ୍ତମାନଙ୍କୁ ଧରିବା କ୍ଷେତ୍ରରେ ପୁଲିସର ନିଷ୍କ୍ରିୟତା ଓ ବିଫଳତାର ପ୍ରତିବାଦରେ ଆଜି ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଖୋଦ ମୁଖ୍ୟମନ୍ତ୍ରୀ ଘରୋଇ ବିଭାଗ ଦାୟିତ୍ୱରେ ରହିଥିବା ବେଳେ ଘରୋଇ ବିଭାଗ ସ୍ଥାଣୁ ପାଲଟି ଯାଇଛି । ପୁଲିସ ନିରପେକ୍ଷ ଭାବେ ତାର ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିବା ବଦଳରେ ଶାସକ ଦଳର ହାତ ବାରିସୀ ସାଜି ବିରୋଧୀ ଦଳର ନେତା ଓ କର୍ମୀମାନଙ୍କ ନାମରେ ବିଭିନ୍ନ ପ୍ରକାରର ମିଥ୍ୟା ମାମଲା ରୁଜୁ କରୁଛି । ରାଜ୍ୟରେ ଗରୀବ ଓ ସାଧାରଣ ଜନତାକୁ ନ୍ୟାୟ ମିଳିପାରୁ ନାହିଁ । ଶିଶୁ ଓ ମହିଳାମାନେ ଶାନ୍ତିରେ ରହି ପାରୁ ନାହାନ୍ତି । ସଦାସର୍ବଦା ଆତଙ୍କିତ ଅବସ୍ଥା ମଧ୍ୟ ଦେଇ ଗତି କରୁଛନ୍ତି ବୋଲି କାର୍ଯ୍ୟକ୍ରମରେ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି । ଏଥି ସହିତ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ । ରାଜ୍ୟରେ ଏହି ପ୍ରକାରର ଅପାରଗ ସରକାରକୁ ଗାଦିଚ୍ୟୁତ କରାଇବା ପର୍ଯ୍ୟନ୍ତ କଂଗ୍ରେସ ତାର ଆନ୍ଦୋଳନକୁ ଜାରି ରଖିବ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀଦାସ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର