ଧାନର ଅଭାବୀ ବିକ୍ରିକୁ ନେଇ କଂଗ୍ରେସର ପ୍ରତିବାଦ, ୨୬ ନମ୍ବର ଜାତୀୟ ରାଜପଥ ୪ ଘଣ୍ଟା ଅବରୋଧ

ଜୟପୁର: ଅର୍ଣ୍ଣଦାତାଙ୍କୁ ରାଜ୍ୟ ସରକାର ହଇରାଣ କରୁଛନ୍ତି। ଧାନ ମଣ୍ଡି ପରିଚାଳନାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ମଣ୍ଡିରେ ଖୋଲା ଆକାଶ ତଳେ ଧାନ ପଡି ରହୁଥିବା ବେଳେ ଖରାବର୍ଷାରେ ତାହା ନଷ୍ଟ ହେଉଛି। ଏଥିସହ ଆବଶ୍ୟକତା ଠାରୁ କମ୍ ଦରରେ ଚାଷୀ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ଧାନର ଅଭାବି ବିକ୍ରିର ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଆରଏମ୍ସି କାର୍ଯ୍ୟାଳୟଠାରେ ୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ କରାଯାଇଥିଲା। ସକାଳ ୮ଟାରୁ ରାସ୍ତାରୋକ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ଶେଷ ହୋଇଥିଲା। ଫଳରେ ଶହ ଶହ ଗାଡି ରାସ୍ତାରେ ଅଟକି ରହିଥିଲା। ଭିଡକୁ ଦେଖି ବହୁ ଗାଡିକୁ ପୁଲିସ ବାଇପାସ୍ ରାସ୍ତା ଦେଇ ପଠାଇ ଦେଇଥିଲେ।

ଆଗୁଆ ମୌସୁମୀକୁ ନେଇ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ ରବି ଫସଲର ଧାନ କ୍ରୟ କରାଯାଇନାହିଁ। ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକେନ୍ ମିଳିଥିଲେ ମଧ୍ୟ ଧାନ ବିକ୍ରୟ ହୋଇପାରି ନାହିଁ, ଏଥିପାଇଁ ସରକାର ଦାୟୀ ଅଟନ୍ତି। ଏନଇେ କୃଷକ କଂଗ୍ରେସ ପକ୍ଷରୁ ଚାଷୀମାନେ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟା ଜଣାଇଥିଲେ ମଧ୍ୟ ତାହାର କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ। ରବିରେ ପଞ୍ଜିକୃତ ହୋଇଥିବା ସମସ୍ତ ଚାଷୀଙ୍କ ଧାନ କିଣାଯାଉ, ଟୋକେନ୍ ଲାପ୍ସ ହୋଇଯାଇଥିବା ଚାଷୀଙ୍କ ଧାନ ତୁରନ୍ତ କିଣାଯାଉ, ରାଜ୍ୟ ସରକାର ଧାନର ଦର କ୍ବିଣ୍ଟାଲ ପିଛା ୫ ଶହ ଟଙ୍କା ବୋନସ୍ ପ୍ରଦାନ କରନ୍ତୁ, ଚାଷୀଙ୍କ ଜୀବନ ଜୀବିକା ସଙ୍କଟରେ ତଥା ଏଥିପ୍ରତି ସରକାର ଚୁପ୍ କାହିଁକି ବସିଛନ୍ତି ବୋଲି କଂଗ୍ରେସ ଦାବି କରିଛି।

ଏଥିସହ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଆହ୍ବାନକ୍ରମେ ହୋଇଥିବା ଆନ୍ଦୋଳନରେ ଜୟପୁର ବ୍ଲକ ଓ ସହର, କୁନ୍ଦୁରା ବ୍ଲକର ଚାଷୀମାନେ ଯୋଗ ଦେଇଥିଲେ। ଏଥିରେ ନଗର କଂଗ୍ରେସ ସଭାପତି ନରେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା କୋଷାଧ୍ୟକ୍ଷ ନିହାର ରଞ୍ଜନ ବିଷୋୟୀ, କୋରାପୁଟ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ନଗର ଉପସଭାପତି ଗଙ୍ଗା ସାହୁ, ସତ୍ୟ ନାୟକ, ବ୍ଲକ ସଭାପତି ବସନ୍ତ ନାୟକ, ବଳରାମ ପାଣିଗ୍ରାହୀ, ବ୍ରଜ ନାଗ, ଭବାନୀ ରଥ ଓ ଦୁର୍ଗା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର