ଜୟପୁର: କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉ। ଏମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଉ। ସହରରେ ସଂପ୍ରତି ଆରମ୍ଭ ହୋଇଥିବା ସ୍ବୟଂ ଚାଳିତ ମଇଳା ସଂଗ୍ରହକାରୀ ଗାଡ଼ିରେ ଏମାନଙ୍କୁ ନିୟୋଜିତ କରାଯାଉ ବୋଲି ଦାବି କରି ନଗର କଂଗ୍ରେସ ସଭାପତି ନରି ମହାନ୍ତିଙ୍କ ନେତୃତ୍ବରେ ପୌର କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଉପଜିଲ୍ଲାପାଳଙ୍କ ଗାଡ଼ି ସମ୍ମୁଖରେ କିନ୍ନର ମାନଙ୍କୁ ଧରି ଦୀର୍ଘ ସମୟ ଧରି ନଗର କଂଗ୍ରେସର କର୍ମକର୍ତ୍ତାମାନେ ଧାରଣା ଦେଇଥିଲେ। ଭିଡିଓ କନଫେରନସରେ ଥିବା ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ ଧାରଣାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ସଂପ୍ରତି ଆରମ୍ଭ ହୋଇଥିବା ମଇଳା ସଂଗ୍ରହକାରୀ ସ୍ବୟଂଚାଳିତ ତିନିଚକିଆ ଗାଡ଼ିରେ ଏମାନଙ୍କୁ ନିୟୋଜିତ କରାଯିବ। ତେବେ ଏମାନେ ଆବେଦନ କରିବା ସହ ଗାଡ଼ି ଚଳାଇବା ପରୀକ୍ଷା ଦେବେ ବୋଲି ଉପଜିଲ୍ଲାପାଳ କହିଥିଲେ। ଥରେ ପୌର କାର୍ଯ୍ୟାଳୟରେ ଏମାନଙ୍କୁ ନିୟୋଜିତ କରାଗଲେ ଆଗାମୀ ଦିନରେ ଅନ୍ୟ କିଛି ପ୍ରକଳ୍ପରେ ବି ନିୟୋଜିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କିନ୍ନରଙ୍କ ସହ ମହିଳା ସ୍ବୟଂ ସହାୟକ ଦଳ, ସ୍ବଚ୍ଛସାଥୀ ଆଦି ପରୀକ୍ଷା ଦେବେ ଏବଂ ପାସ୍ କରିବା ପରେ ଏହି ଗାଡ଼ି ଚଳାଇବାରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ଉପଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜନସଂଖ୍ୟା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକା ଜଣଙ୍କୁ ବି ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ। ପ୍ରକାଶଯୋଗ୍ୟ, ଗତ କିଛି ବର୍ଷ ତଳେ ତତ୍କାଳୀନ ଉପଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ କରିଥିଲେ। ସହରର ୨୯ଜଣ କିନ୍ନରଙ୍କୁ ଡାକ୍ତରଖାନାରେ ସୁରକ୍ଷାକର୍ମୀର କାମ ବି ଦେଇଥିଲେ। ଗତ ବର୍ଷକ ହେବ ଏମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କାର୍ଯ୍ୟରୁ ଅନ୍ତର କରାଯାଇଛି।
ଏହା ପର ଠାରୁ ଏମାନଙ୍କ ଜୀବନଜିବୀକା ଠପ୍ ହେବା ସହ ବଂଚିବା ଦୁର୍ବିସହ ହୋଇ ପଡ଼ିଛି। ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଗତ କିଛି ଦିନ ହେବ କିନ୍ନର ମାନେ ରାଜରାସ୍ତାକୁ ଓହ୍ଲାଇ ଜୟପୁର ସହରର ବିଭିନ୍ନ ପ୍ରବେଶପଥରେ ରହି ଗାଡ଼ି ଗୁଡିକୁ ଅଟକାଇ ପଇସା ମାଗିବା ଆରମ୍ଭ କରିଛନ୍ତି। ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ବହୁ କିନ୍ନର ଏହି ଗାଡ଼ି ଚଳାଇବାକୁ ରାଜି ଥିବା ବେଳେ କିଛି ଜଣ ମଇଳା ଗାଡ଼ି ଚଳାଇବାକୁ ସଂକୋଚ ପ୍ରକାଶ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ନିହାର ରଂଜନ ବିଷୋୟୀ, ସାଂସଦ ପ୍ରତିନିଧି ହାସନ ମାଦାନୀ, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ବରିଷ୍ଠ ନେତା ଗଙ୍ଗାଧର ସାହୁ, ସତ୍ୟନାୟକ, ଲକ୍ଷ୍ମୀ ପଟ୍ଟନାୟକ, ମା ବହୁଚାରୀ କିନ୍ନର ସଂଘର ସଭାପତି ଗଙ୍ଗା, ସଂପାଦକ ଜାନକୀ, ଇନ୍ଦ୍ରାଣୀ, ଭେଙ୍କଟ, କୋଟେଶ୍ବରୀ, ରୁପା, ରାମା, ରାଗିନୀ ଆଦି ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jpr-congress-kiner-2.jpg)