କେନ୍ଦ୍ରର ବିଜେପି ସରକାର ବିରୋଧରେ ଗର୍ଜିଲେ କଂଗ୍ରେସ ନେତା

କଂଗ୍ରେସର ବିଶାଳ ରାଲି ଓ ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ଆଜି ଏକ ବିଶାଳ ରାଲି ବାହାରିବା ସହ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଜିଲ୍ଲାର ସାତୋଟି ବ୍ଲକରୁ ଶତାଧିକ କର୍ମୀ ଆରଏମସି ପରିସରରେ ଏକତ୍ରିତ ହୋଇଥିଲେ। ସେଠାରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପରେ ସେଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ବିଶାଳ ରାଲି ବାହାରିଥିଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନିପତୀ, ନବରଂଗପୁର ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଯୁବ କଂଗ୍ରେସ ସଭାପତି ମଙ୍ଗୁ ଖିଲ, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ମାଲା ମାଢୀ, ପର୍ଶୁରାମ ଭକ୍ତ, ରାଜ୍ୟ ଯୁବ କଂଗ୍ରେସ ସଂପାଦକ ଇସାକ ଖୋସଲା, ଛାତ୍ର କଂଗ୍ରେସ ସଭାପତି ସନ୍ତୋଷ ପଟନାୟକ, ପୁଷ୍ପାରାଣୀ କାବାସୀ, ମନୋଜ ନାୟକ, ଜି.ଶ୍ରୀନିବାସ ରାଓ, ବିନାୟକ ପାତ୍ର, କୃଷ୍ଣ ଚନ୍ଦ୍ର ଅନୁଗୁ, ବିନତି ଖିଲ ସମେତ ବ୍ଲକ କଂଗ୍ରେସ ସଭାପତି ମାନେ ଉପସ୍ଥିତ ଥିଲେ। ଆରଏମସି କାର୍ଯ୍ୟାଳୟରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ପଥପ୍ରାନ୍ତ ସଭାମାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରର ବିଜେପି ସରକାରଙ୍କ ବିରୋଧରେ କଂଗ୍ରେସ ନେତାମାନେ ଗର୍ଜିଥିଲେ। ବିଶେଷକରି ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଆହେତୁକ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବ ମାରଣ ନୀତି ଅବଲମ୍ବନ କରୁଥିବା କହିଥିଲେ।

Sambad

ଆଜି ଦେଶରେ ବେକାରୀ ସମସ୍ୟା ହୁ ହୁ ହୋଇ ବଡୁଥିବା କୁହାଯାଇଥିଲା। ବିଭିନ୍ନ ବିଭାଗରେ ଦୁର୍ନୀତି ସୀମା ଟପିଗଲାଣି ବୋଲି କୁହାଯାଇଥିଲା। ଆଗାମୀ ଦିନରେ ଏହାର ଉଚିତ ଜବାବ ଦିଆଯିବା ସହ ସାଧାରଣ ନିର୍ବାଚନରେ ଭୋଟର ଏହାର ଜବାବ ଦେବେ। କଂଗ୍ରେସ ଶାସନ ବେଳେ ଗ୍ୟାସ ଦର ମାତ୍ର ଚାରି ଶହ ଟଙ୍କା ଥିବା ବେଳେ ଏବେ ଏକ ହଜାର ଟପିଲାଣି। ଦେଶକୁ ସୁଶାସନ ଦେବାରେ କଂଗ୍ରେସ ହିଁ ଏକ ମାତ୍ର ରାଜନୈତିକ ଦଳ ବୋଲି କୁହାଯାଇଥିଲା। ପରେ କଂଗ୍ରେସ ଭବନରେ ମଧ୍ୟ କର୍ମୀଙ୍କୁ ନେଇ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। କର୍ମୀମାନେ ଲୋକଙ୍କ ହାତରେ ହାତ ଯୋଡି ସେମାନଙ୍କର ସମସ୍ୟାକୁ ଦୁର କରିବାକୁ ଚେଷ୍ଟା କରିବା ପାଇଁ କୁହାଯାଇଥିଲା। ତୃଣମୂଳସ୍ତରରେ କଂଗ୍ରେସ ପହଞ୍ଚି ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମାରଣ ନୀତି ସଂପର୍କରେ ବୁଝାଇବ ବୋଲି କୁହାଯାଇଥିଲା। ତେବେ କଂଗ୍ରେସର ଏହି ରାଲି ଏବଂ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ କେତେ ଦୂର ସଫଳ ହେବ ତାହା ଆଗାମୀ ନିର୍ବାଚନରେ ଜଣାପଡିବ ବୋଲି ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର