ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: ଥାନା ସମ୍ମୁଖରେ ଧାରଣାରେ ବସିଲେ କଂଗ୍ରେସ କର୍ମୀ

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ଗ୍ରାମ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ ହେବା ଘଟଣାକୁ ୭ ଦିନ ବିତଛି। କିନ୍ତୁ ନିଖୋଜ ଅଧ୍ୟକ୍ଷାଙ୍କ ବିଷୟରେ ପୁଲିସ ଟେର ପାଉ ନଥିବା କାରଣରୁ କେଗାଁ ଥାନା ସମ୍ମୁଖରେ କଂଗ୍ରେସ ଧାରଣା ଦେଇଛି।

ସୂଚନାଯୋଗ୍ୟ, ମହାଲିଙ୍ଗସ୍ଥିତ ସନ୍‌ ସାଇନ୍‌ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ଗତ ୮ ତାରିଖ ଠାରୁ ସ୍କୁଲ ଆସି ନିଖୋଜ ରହିଛନ୍ତି। ଶିକ୍ଷୟତ୍ରୀଙ୍କ ପରିବାର ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନାରେ ଅଭିଯୋଗ ପରେ ବଲାଙ୍ଗୀର ପୁଲିସ ତଦନ୍ତ ଜାରି ରଖିଛି। ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ସ୍କୁଲର ମାଲିକ୍‌ ଗୋବିନ୍ଦ ସାହୁଙ୍କୁ ଦୁଇ ଦିନ ହେବ ବଲାଙ୍ଗୀର ପୁଲିସ ଅଟକ ରଖିଛି। ଗୋବିନ୍ଦ ସାହୁଙ୍କ ପ୍ରଭାବ ରହିଥିବା ବେଳେ ରାଜନୈତିକ ନେତାଙ୍କ ସହ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି।

କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତ।ଯ ଯେହେତୁ ମାଲିକ ପ୍ରଭାବଶାଳୀ ଏଣୁ ପୁଲିସ ଚାପରେ ମୁହଁ ଖୋଳୁ ନ ଥିବା ଅଭିଯୋଗ କରିଛି କଂଗ୍ରେସ। ଘଟଣାକୁ ସପ୍ତାହେ ବିତି ଯାଇଥିଲେ ବି ପୁଲିସର ନିରବତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଗତ ୮ତାରିଖରେ ଉକ୍ତ ସ୍କୁଲ୍‌ର ମାଲିକ ଗୋବିନ୍ଦ ସାହୁ ସ୍କୁଲ୍‌ର କାଗଜପତ୍ର କାମ ଅଛି ବୋଲି ମମିତାଙ୍କୁ ଆସିବାକୁ କହିଥିଲେ। ମମିତା ସ୍କୁଲ ଆସୁଥିବା ବେଳେ ବାଟରେ ଚାନ୍ଦତରା ଛକ ନିକଟରୁ ନିଖୋଜ ହୋଇଯାଇଥିଲେ ବୋଲି ଗତ ୧୨ ତାରିଖରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ପୁଲିସ କେଗାଁ ଥାନାକୁ ଆସି ସେଠାକାର ପୁଲିସ ସହିତ କଥାବାର୍ତ୍ତା ହେବାପରେ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇନେଛି। ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଥିବା ଜଣାପଡ଼ିଛି। ବୁଧବାର ଦିନ ତମାମ ପୁଲିସ ମହାଲିଙ୍ଗ ସ୍କୁଲକୁ ଆସି ତଦନ୍ତ କରିବା ସହିତ ଗୋବିନ୍ଦଙ୍କ ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧିତ ଖବର