ଆରଏସସି-୧୩ ଗ୍ରାମରେ ପୁଲିସର ବର୍ବରତା ଘଟଣା: ଗାଁରେ ପହଞ୍ଚିଲା କଂଗ୍ରେସର ୫ ଜଣିଆ କମିଟି

ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସସି-୧୩ ଗ୍ରାମରେ ଗତ ୭ ତାରିଖ ଦିନ ରାତି ଅଧରେ ପୁଲିସ ଗାଁରେ ପଶି ମହିଳା ମାନଙ୍କୁ ମାଡ ମାରିବା ଘଟଣା ଥମିବାର ନାମ ନେଉନାହିଁ। ଏହି ଘଟଣା ପରେ ପୁଲିସର ଗୁଣ୍ଡାରାଜକୁ ପଦାରେ ପକାଇଛି କଂଗ୍ରେସ। ଏହି ଘଟଣାକୁ ପ୍ରତିବାଦ କରି ଗତ ୨୦ ତାରିଖ ଦିନ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପାର୍ଟି ତରଫରୁ ପ୍ରତିବାଦ ସଭା ଆୟୋଜନ କରାଯିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିବାର ଥିଲା। ତେବେ ଏହି ସଭା ପରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ ବେଳେ କିଛି ଲୋକ ଚିତ୍ରକୋଣ୍ଡା ଥାନାରେ ପଶି ଭଙ୍ଗାରୁଜା କରିଥିଲେ।

ତେବେ ଏହାକୁ ପୁଲିସ ଗୁରୁତ୍ବର ସହ ନେଇ କିଛି କଂଗ୍ରେସ କର୍ମୀଙ୍କୁ ବାନ୍ଧି ଜେଲରେ ଭର୍ତ୍ତି କରିଥିଲା। ଏହାପରେ କଂଗ୍ରେସ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ତୁରନ୍ତ ଖଲାସ କରିବାକୁ ଚେତାବନୀ ଦେବା ପରେ ଗତ ତିନି ଦିନ ତଳେ କଂଗ୍ରେସର ୧୮ ଜଣ କର୍ମୀ ଜେଲରୁ ମୁକୁଳିଥିଲେ। ତେବେ ଆଜି ରାଜ୍ୟ କଂଗ୍ରେସ ସଭାପତିଙ୍କ ନିର୍ଦେଶକ୍ରମେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ କଣ୍ଟାବାଞ୍ଜି ବିଧାୟକ ସଂତୋଷ ସିଂହ ସାଲୁଜା, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ରାଜଗାଙ୍ଗପୁର ବିଧାୟକ ରାଜେନ ଏକା, ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ସମେତ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ ପ୍ରମୁଖ ଆରଏସସି-୧୩ ଗ୍ରାମରେ ପହଞ୍ଚି ଏକ ତଦନ୍ତ ରିପୋର୍ଟ ତିଆରି କରିଥିଲ। ଏହାକୁ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ହସ୍ତାନ୍ତର କରାଯିବ। ଆଜି ଏହି କମିଟି ଏସପି ନୀତିଶ ଵାଧଵାନିଙ୍କୁ ଭେଟି ଗତ ୭ ତାରିଖ ରାତିରେ ଘଟିଥିବା ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖଭାବେ ବୁଝାଇଥିଲା।

Sambad

ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ହିଁ ସେଠାରେ ମହିଳାଙ୍କୁ ନିର୍ଯାତନା ଦିଆଯାଇଥିଲା।ଏପରିକି ଚିତ୍ରକୋଣ୍ଡା ଥାନା ଭାଙ୍ଗିବା ଘଟଣାରେ ଏସଡିପିଓଙ୍କ ଲୋକ ହିଁ ଥିଲେ ବୋଲି ଶ୍ରୀ ବାହିନିପତୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ପୁଲିସର ଗୁଣ୍ଡାରାଜ ଏବେ ବି ଚାଲିଥିବା କଂଗ୍ରେସ ଅଭିଯୋଗ କରିଥିଲା। ଗଂଜେଇ ଧରିବା ନାମରେ ନିରୀହ ଲୋକଙ୍କୁ ମାଡ ମାରିବା ଏବଂ ଜେଲରେ ଭର୍ତ୍ତି କରିବା ପୁଲିସ ବନ୍ଦ କରୁ ବୋଲି ଚେତାବନୀ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ମହିଳାମାନଙ୍କୁ କିପରି ମାଡ ମରାଯାଇଥଲା ତାହା ଫଟୋ ପ୍ରଦର୍ଶନୀ କରାଯାଇଥିଲା। ତେବେ ତୁରନ୍ତ ଦୋଷୀ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଚିତ୍ରକୋଣ୍ଡା ଅଂଚଳରେ ଚାଲିଥିବା ବିଭିନ୍ନ ଦୁର୍ନୀତି ସଂପର୍କରେ ମଧ୍ୟ କଂଗ୍ରେସ ଅଭିଯୋଗ କରିଥିଲା। ଏସଡିପିଓ ଏବଂ ଅନ୍ୟ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଦାବି କରାଯାଇଥିବା ଜଣାପଡିଛି। ଅନ୍ୟଦିଗରେ ଏସପି ନୀତିଶ ଵାଧଵାନୀଙ୍କୁ କଂଗ୍ରେସର ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ସେହି ଦିନ ରାତିରେ ପୁଲିସ ସହ ଧସ୍ତାଧସ୍ତି ହେଲା ବେଳେ କିଛି ଘଟିଥାଇପାରେ ବୋଲି କହିଥିଲେ। ତେବେ ଆରଏସସି-୧୩ ଗ୍ରାମରେ ହୋଇଥିବା ଘଟଣା ଏବଂ ଚିତ୍ରକୋଣ୍ଡା ଥାନାରେ ହୋଇଥିବା ଭଙ୍ଗାରୁଜା ଘଟଣା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର