ବଲାଙ୍ଗୀର: ଆସନ୍ତାକାଲି ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବ | ଏହାପୂର୍ବରୁ ରାଜନୈତିକ ହିଂସା ଦେଖିବାକୁ ମିଳିଛି | ବଲାଙ୍ଗୀରର ସଦର ଥାନା ମୟାବର୍ହା ଗାଁରେ ନିର୍ବାଚନ ପୂର୍ବରୁ ନିର୍ବାଚନକୁ ନେଇ ହିଂସା ଅଭିଯୋଗ ଆସିଛି । ଗାଁର ବିଜେଡି କର୍ମୀ ବିଭୂତି ପଟେଲ ଓ ତାଙ୍କ ପରିବାରକୁ କଂଗ୍ରେସ ଦଳର କିଛି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଚାରି ଜଣ ଆହତ ହୋଇ ଭୀମଭୋଇ ମେଡିକାଲ କଲେଜ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ସଦର ଥାନା ମାୟାବର୍ହା ଗାଁର ବିଭୂତି ପଟେଲଙ୍କୁ କିଛି ଯୁବକ ଆସି ଧମକ ଦେଇଥିଲେ । ନିର୍ବାଚନ ଥିବାରୁ ବିଭୂତି ନୀରବ ରହିଥିଲେ । ପରବର୍ତ୍ତୀ ସମୟରେ ଗାଁର ଭରତ ରାଉତ ଓ ତାଙ୍କ ପରିବାର ଆସି ବିଭୂତି ଓ ତାଙ୍କ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ବିଭୂତିଙ୍କ ସହ ତାଙ୍କ ସ୍ତ୍ରୀ ମନିଷା ପଟେଲ, ବାପା ଜଗନ୍ନାଥ ପଟେଲ, ରାମନାଥ ପଟେଲ, ମଧୁ ପଟେଲ, ବିବେକା ପଟେଲ ଓ ସୁରେଖା ପଟେଲ ଏହି ଘଟଣାରେ ଆହତ ହୋଇଥିଲେ । ତେବେ ବିଭୂତି ବିଜେଡି ଦଳର ଜଣେ କର୍ମୀ ହୋଇଥିବାବେଳେ ଭରତ କଂଗ୍ରେସ ଦଳର ବୋଲି ଅଭିଯୋଗ ହୋଇଛି । ତେବେ ରାଜନୈତିକ କାରଣରୁ ଏହି ଘଟଣା ଘଟିଥିବା ବିଭୂତି ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖିଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/attack-on-police.jpg)