ଐତିହ୍ୟସମ୍ପନ୍ନ ବାରିପଦା ସଂଗ୍ରହାଳୟର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରୟାସ ଆରମ୍ଭ

ମ୍ୟୁଜିୟମ୍ ପରିଦର୍ଶନ କଲେ ମେହରାନଗଡ଼ ମ୍ୟୁଜିୟମ୍ ଟ୍ରଷ୍ଟର ଦୁଇ ଜଣିଆ ବିଶେଷଜ୍ଞ ଦଳ

ବାରିପଦା: ଐତିହ୍ୟସମ୍ପନ୍ନ ତଥା ଓଡ଼ିଶାର ସର୍ବପୁରାତନ ବାରିପଦା ସଂଗ୍ରହାଳୟରେ ଥିବା ପୁରାତନ କିର୍ତ୍ତୀରାଜି ଓ କଳାକୃତିର ସଂରକ୍ଷଣ, ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ନେଇ ଆଶା ସଂଚାର ହୋଇଛି। ଏନେଇ ପ୍ରୟାସ ଆରମ୍ଭ କରିଛନ୍ତି ମୟୂରଭଞ୍ଜର ରାଜକୁମାରୀ ତଥା ଯୁବ ଉଦ୍ୟୋଗୀ ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ। ଦୁର୍ଲଭ କଳାକୃତିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶର ଜଣାଶୁଣା ମେହରାନଗଡ଼ ମ୍ୟୁଜିୟମ୍ ଟ୍ରଷ୍ଟର ସାହିତ୍ୟ ରାଜା ଏବଂ କମଲ ଯୋଶୀଙ୍କୁ ନେଇ ଗଠିତ ଦୁଇଜଣିଆ ବିଶେଷଜ୍ଞ ଦଳ ଆଜି ବାରିପଦା ମ୍ୟୁଜିୟମ୍ ପରିଦର୍ଶନ କରିଛନ୍ତି।

ସପ୍ତମ ଶତାବ୍ଦୀର ଦୁର୍ଲଭ କିର୍ତ୍ତୀରାଜିଠାରୁ ଆରମ୍ଭ କରି ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ କଳାକୃତିକୁ ଦେଖି ବିଶେଷଜ୍ଞ ଦଳ ଅଭିଭୂତ ହୋଇଥିଲେ। ତେବେ ଏଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନଥିବା ଦେଖି ଉଦ୍ବେଗ ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟଯେ ରାଜସ୍ତାନ ଯୋଧପୁର ମହାରାଜା ଗଜ୍ ସିଂ-୨ଙ୍କୁ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବାରିପଦା ବେଲଗଡ଼ିଆସ୍ଥିତ ରାଜପ୍ରାସାଦରେ ଥିବା ପୁରାତନ ଐତିହ୍ୟଗୁଡ଼ିକର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ନିମନ୍ତେ ଅନୁରୋଧ କରିଥିଲେ। ଏହି କ୍ଷେତ୍ରରେ ବିଶେଷ ଜ୍ଞାନ ରଖୁଥିବା ବିଶେଷଜ୍ଞଙ୍କର ଏକ ଦଳକୁ ବେଲଗଡ଼ିଆସ୍ଥିତ ରାଜପ୍ରାସାଦକୁ ପଠେଇବାକୁ କହିଥିଲେ। ତଦନୁଯାୟୀ ଏହି ଦଳ ଆଜି ବାରିପଦା ଗସ୍ତ କରିଥିଲା। ଏହି ଅବସରରେ ଭଞ୍ଜ ବଂଶର ସ୍ବାକ୍ଷର ବହନ କରୁଥିବା ବାରିପଦା ସଂଗ୍ରହାଳୟରେ ମଧ୍ୟ ଏହି ସଂରକ୍ଷଣ କାର୍ଯ୍ୟ କରାଇବାକୁ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଆଗ୍ରହ ପ୍ରକାଶ କରିଥିଲେ। ସେହିଅନୁସାରେ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକଙ୍କ ଅନୁମତିକ୍ରମେ ଏହି ବିଶେଷଜ୍ଞ ଦଳ ବାରିପଦା ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏହି ମ୍ୟୁଜିୟମ୍ର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ନିଜେ ଆଗ୍ରହ ପ୍ରକାଶ କରିବା ସମୟର ବଡ଼ ଆହ୍ବାନ। ଏପରିକି ରାଜ ପରିବାର ଏହି ସଂସ୍ଥା ମାଧ୍ୟମରେ ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ ପିପିପି ମୋଡ୍ରେ ଏହି କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

ମୟୂରଭଞ୍ଜର ବର୍ତ୍ତମାନର ରାଜପରିବାର ବେଲଗଡ଼ିଆ ପ୍ୟାଲେ୍ସ ସହିତ ରାଜ୍ୟର ସର୍ବପୁରାତନ ବାରିପଦା ମ୍ୟୁଜିୟମ୍ରେ ଥିବା ମୂଲ୍ୟବାନ କଳାକୃତିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଆବଶ୍ୟକ ହେଉଥିବା ଖର୍ଚ୍ଚର ବ୍ୟବସ୍ଥା କରିବାକୁ ମଧ୍ୟ ରାଜି ଥିବା ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ସୂଚନା ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏନେଇ ଜରୁରୀ ସରକାରୀ ପ୍ରକ୍ରିୟାକୁ ସମ୍ପାଦନ କରି ସହଯୋଗ କରିବା ଆବଶ୍ୟକ ବୋଲି ଶ୍ରୀମତୀ ଭଞ୍ଜଦେଓ ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ଯୋଧପୁରର ଗଜ୍ ସିଂ ପ୍ରବୀଣ ଭଞ୍ଜଦେଓଙ୍କ ସମ୍ପର୍କୀୟ ଭିଣୋଇ। ତେଣୁ ଏପରି ସଂରକ୍ଷଣ କାର୍ଯ୍ୟ ନିମନ୍ତେ ତାଙ୍କୁ ଶ୍ରୀ ଭଞ୍ଜଦେଓ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟଯେ ଏହି ସଂସ୍ଥା ଟାଟା ଟ୍ରଷ୍ଟ ଆର୍ଟ କନଜରଭେସନ୍ ଇନିସିଏଟିଭ୍ ସହିତ ମିଳିତ ଭାବେ ଭାରତର ପାଞ୍ଚଟି ଜୋନ୍ରେ ବିଭିନ୍ନ ଐତିହ୍ୟ କିର୍ତ୍ତୀରାଜିର ସଂରକ୍ଷଣ, ରକ୍ଷଣାବେକ୍ଷଣ ଓ ପୁନୁରୁଦ୍ଧାର କ୍ଷେତ୍ରରେ କାର୍ଯ୍ୟ କରୁଛି। ଏଥିସହିତ ବିଭିନ୍ନ ସଂଗ୍ରହାଳୟରେ କାର୍ଯ୍ୟକରୁଥିବା ବୈଷୟିକ କର୍ମଚାରୀ ଏବଂ ଅନ୍ୟମାନଙ୍କୁ ତାଲିମ ପ୍ରଦାନ କରିଥାଆନ୍ତି। ଯଦି ବାରିପଦା ସଂଗ୍ରହାଳୟର ସଂରକ୍ଷଣ ଓ ପୁନରୁଦ୍ଧାର ହୁଏ ତେବେ ଏହା ଏକ ଉଲ୍ଲେଖନୀୟ ବିଷୟ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ମେହରାନଗଡ ମ୍ୟୁଜିୟମ୍ ଟ୍ରଷ୍ଟ ବ୍ରିଟିଶ୍ ମ୍ୟୁଜିୟମ୍ ସମେତ ବିଶ୍ବର ଏକାଧିକ ପ୍ରସିଦ୍ଧ ଅର୍ନ୍ତଜାତୀୟ ସଂଗ୍ରହାଳୟ ସହିତ କାର୍ଯ୍ୟ କରିବାର ଅନୁଭବ ରଖିଛି।

 

ସମ୍ବନ୍ଧିତ ଖବର