ଦୁର୍ନୀତି ଲୁଚାଇବାକୁ ଷଡ଼ଯନ୍ତ୍ର, ଉପୁଡ଼ା ଚାଲିଛି ପାମ୍‌ ଟ୍ରି

ସୌନ୍ଦର୍ଯ୍ୟକରଣରେ ଖର୍ଚ୍ଚ ହୋଇଥିଲା ୧୧.୭୫ କୋଟି

ରାଉରକେଲା: ଏମିତି ହୋଇଥିଲା ସହରର ସୌନ୍ଦର୍ଯ୍ୟକରଣ। ପୁରୁଷ ହକି ପୂର୍ବରୁ ମୁଖ୍ୟ ରାସ୍ତାଠୁ ଗଳି ରାସ୍ତାରେ ଲାଗିଥିବା ବିଭିନ୍ନ ଗଛଗୁ ସହରର ଶୋଭାବର୍ଦ୍ଧନ କରୁଥିଲା। ହକି ସରିବା ପରେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାରୁ ଧୀରେ ଧୀନରେ ଉଭାନ୍‌ ହେବାରେ ଲାଗିଛି ଗଛ। ଏଥି ମଧ୍ୟରେ ରହିଛି ମୂଲ୍ୟବାନ୍‌ ପାମ୍‌ ଟ୍ରି। ଗୋଟା ପିଛା ପାଖାପାଖି ୮୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଗଛ ସହରରେ ଏବେ ୩୦% ବି ଦେଖିବାକୁ ମିଳୁନି। ପାନପୋଷ ଗାନ୍ଧିଛକରୁ ଉଦିତନଗର ଆମ୍ବେଦକର ଛକ, ବାସନ୍ତୀକଲୋନି ମାଲଗୋଦାମ ଛକରୁ ଟିମ୍ବର କଲୋନି, ଛେଣ୍ଡ ରିଂ ରୋଡ ଛକରୁ କଳିଙ୍ଗ ବିହାର, ହକି ଛକରୁ ହନୁମାନବାଟିକା ଛକ ଓ ଆର୍‌ଏମ୍‌ସି ଛକରୁ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ପାମ୍‌ ଟ୍ରି ଲାଗିଥିଲା। ମାଲଗୋଦାମରୁ ଟିମ୍ବରକଲୋନି ପର୍ଯ୍ୟନ୍ତ ଲାଗିଥିବା ପାମ୍‌ ଟ୍ରିକର ଚିହ୍ନବର୍ଣ୍ଣ ନାହିଁ।

ହନୁମାନବାଟିକା ଛକରୁ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ସେହି ସମାନ ସ୍ଥିତି। କିଛି ସ୍ଥାନରେ କାଁ ଭାଁ କିଛି ପାମ୍‌ଟ୍ରି ଦେଖିବାକୁ ମିଳୁଛି। ପାନପୋଷ ଗାନ୍ଧି ଛକରୁ ଉଦିତନଗର ପର୍ଯ୍ୟନ୍ତ ଲାଗିଥିବା ପାମ୍‌ ଟ୍ରି ପୂର୍ବରୁ କିଛି ଉଭାନ ହୋଇଯାଇଥିଲା। ଅବଶିଷ୍ଟ ଗଛକୁ ଆଜିଠୁ ଉପୁଡା ଯାଉଛି। ଏସବୁ ସ୍ଥାନରେ ପୁଣି ନୂଆ ଗଛ ଲଗାଯିବ ବୋଲି ଜଣାପଡ଼ିଛି। ଦୁର୍ନୀତି ଲୁଚାଇବାକୁ ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ଏମିତି କରୁ ନାହାନ୍ତି ତ, ଏମିତି ପ୍ରଶ୍ନ ସାଧାରଣରେ ଉଠିବା ସ୍ବାଭାବିକ। ସୂଚନାଯୋଗ୍ୟ, ହକି ବିଶ୍ବକପ୍‌ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ଚାରାରୋପଣ ଓ ଅନ୍ୟାନ୍ୟ ବାବଦରେ ପ୍ରାୟ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଛେଣ୍ଡ ମୁଖ୍ୟ ମାର୍ଗରୁ ଛେଣ୍ଡ ବିପିୟୁଟି ପର୍ଯ୍ୟସ୍ତ ଚାରାରୋପଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମରେ ୪ କୋଟି ୯ ଲକ୍ଷ ଟଙ୍କା, ରାଉରକେଲା-୧ରୁ ଲେବର ଛକ, ପାନପୋଷ ଛକରୁ ଆମ୍ବେଦକର ଛକ ଓ ହାଇଟେକ୍‌ ହସ୍ପିଟାଲ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣରେ ୩ କୋଟି ୮୨ ଲକ୍ଷ ଟଙ୍କା।

ସେମିତି ମହତାବରୋଡ, କୋଏଲନଗର ମୁଖ୍ୟ ରାସ୍ତା, ମଧୁସୂଦନ ରୋଡରେ ଦାମି ଚାରାରୋପଣ ସହ ଅନ୍ୟାନ୍ୟ ବାବଦରେ ୩ କୋଟି ୮୪ ଲକ୍ଷ, ଏମିତି ମୋଟ୍‌ ୧୧ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଚାରା ଅତିକମରେ ହକି ବିଶ୍ବକପ୍‌ର ପାଞ୍ଚ ଛଅ ମାସ ଆଗରୁ ଲଗା ଯାଇଥିଲେ ଖେଳ ବେଳକୁ ସୁନ୍ଦର ଦେଖା ଯାଇଥାଆନ୍ତା। କିନ୍ତୁ ଦିନ ଗଡ଼ାଇ ଗଡ଼ାଇ ଶେଷ ବେଳକୁ ତରବରିଆ ଭାବେ ଲଗାଇ ଦିଆଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ହେଉଛି, ଏସବୁ କାଣ୍ଡକାରଖାନା ହେଉଥିଲେ ହେଁ ଚାରାରୋପଣ ଦାୟିତ୍ବ ନେଇଥିବା ଠିକାସଂସ୍ଥାର ବିରୋଧରେ କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେଲାନି। ବରଂ ତଦାରଖ ଦାୟିତ୍ବରେ ବାବୁମାନେ ଠିକାସଂସ୍ଥାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ଏବେ ସେହି ଠିକା ସଂସ୍ଥାକୁ ପୁଣି ଛେଣ୍ଡ କଲୋନିରେ ସାଇନ୍ସ ପାର୍କ କାମ ଦିଆଯାଇଛି। କଚ୍ଛପ ଗତିରେ ଚାଲିଥିବା ପାର୍କ କେବେ ସରିବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ।

ସମ୍ବନ୍ଧିତ ଖବର