‘ମୋ ସରକାର’ ପ୍ରଭାବ: ମହିଳାଙ୍କୁ କମେଣ୍ଟ ମାରି ଛେଚା ଖାଇବା ପରେ ଗିରଫ ହେଲେ କନେଷ୍ଟବଳ

ଫୁଳବାଣୀ: ‘ମୋ ସରକାର’ର ପ୍ରଭାବ ଗୁରୁବାର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ପୁଲିସ ଭଲ କାମ କଲେ ଆଗୁଆ ପଦୋନ୍ନତି ଓ କାମରେ ଖିଲାପ କଲେ ଦଣ୍ଡ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ‘ମୋ ସରକାର’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ଅବସରରେ କହିଥିଲେ। ପୁଲିସ ଜନସାଧାରଣଙ୍କ ନିକଟତର ହେବ ବୋଲି ମଧ୍ୟ କହିଥିଲେ।

‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭର ୨୪ ଘଣ୍ଟା ନ ପୁରୁଣୁ କନ୍ଧମାଳରେ ଜଣେ କନେଷ୍ଟବଳ ମହିଳାମାନଙ୍କୁ କମେଣ୍ଟ ମାରି ଛେଚା ଖାଇବା ପରେ ଗିରଫ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଚର୍ଚ୍ଚା କରୁଛନ୍ତି। ଫୁଳବାଣୀ ସଦର ପୁଲିସ ଏନେଇ ଏକ ମାମଲା ରୁଜୁ କରି କନେଷ୍ଟବଳ ସନାତନ ବେହେରାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ୯ ଆଇଆର ବାଟାଲିଅନ କଳାହାଣ୍ଡିର କନେଷ୍ଟବଳ-୩୮୨ ସତାତନ ବେହେରା କନ୍ଧମାଳରେ କାର୍ଯ୍ୟ କରୁଛନ୍ତି। ସେ ସଦର ଥାନା ଆଲାମି ଅଞ୍ଚଳକୁ ଅଧିକାଂଶ ସମୟ ଯାଇ ମହିଳା ଓ ଝିଅଙ୍କୁ କମେଣ୍ଟ ମାରନ୍ତି। ଆଜି ଶ୍ରୀ ବେହେରା ଏମିତି କରିବାରୁ ଅଞ୍ଚଳର ମହିଳା ଏକଜୁଟ ହୋଇ ତାଙ୍କୁ କାବୁ କରି ଛେଚିଥିଲେ। ତା’ପରେ ତାଙ୍କୁ ଧରି ଫୁଲବାଣୀ ଟାଉନ ଥାନାକୁ ଆଣିଥିଲେ। ହେଲେ ଘଟଣାଟି ସଦର ଥାନା ଅଞ୍ଚଳରେ ଘଟିଥିବାରୁ ଫୁଲବାଣୀ ଟାଉନ ପୁଲିସ ସେଠାକୁ ପଠାଇଥିଲା। ପୁଲିସ ମାମଲା ରୁଜୁ କରିବା ସହ ମହିଳାଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ କନେଷ୍ଟବଳ ଶ୍ରୀ ବେହେରାଙ୍କୁ ଗିରଫ କରିଛି। ଗିରଫ କନେଷ୍ଟବଳଙ୍କ ଘର ବାଲେଶ୍ୱର ବୋଲି ଜଣା ପଡିଛି।

ସମ୍ବନ୍ଧିତ ଖବର