ମଦ ପିଇ ଗାଡ଼ି ଚଳାଇବା କନେଷ୍ଟବଳଙ୍କୁ ମହଙ୍ଗା ପଡ଼ିଲା; ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ସମ୍ବଲପୁର: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ମାମଲାରେ ଗତ ୨୪ ଘଣ୍ଟା ଭିତରେ ଏକ କୋଟି ୬ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୩ ହଜାର ୮୭୦ ଜଣଙ୍କର ଚାଲାଣ କଟାଯାଇଛି। ଏସବୁ ଭିତରେ ସମ୍ବଲପୁରରେ ଟ୍ରାଫିକ ତନଖି ବେଳେ ଜଣେ କନଷ୍ଟେବଳ ପୁଲିସ ହାତରେ ଧରାପଡ଼ିଥିଲେ।

ସୂଚନାଯୋଗ୍ୟ, ସୋମବାର ଗାଡ଼ି ତନଖି ବେଳେ ସମ୍ବଲପୁର ଧନୁପାଲି ଥାନା ଭୁଲିଆପଡ଼ା ଫାଣ୍ଡିର କନଷ୍ଟେବଳ ଦିଲ୍ଲୀପ ନାଗଙ୍କୁ ପୁଲିସ ଧରିଛି । ପୁଲିସ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଦିଲ୍ଲୀପ ଟ୍ରାଫିକ ନିୟମ ଭାଙ୍ଗି ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଉଥିଲେ। ଆଉ ଗାଡ଼ି ତନଖି ବେଳେ ସେ ମଦପିଇଥିବା ଜଣାପଡ଼ିଥିଲା। ପ୍ରଥମେ ସେ ମଦ ପିଇ ଥିବା ସ୍ୱୀକାର କରୁ ନଥିଲେ। କିନ୍ତୁ ପୁଲିସର ବ୍ରିଦ୍‌ ଆନାଲାଇଜର୍‌ରେ ଫୁଙ୍କିବା ପରେ ସ୍ପଷ୍ଟ ହୋଇଥିଲା କି ସେ ମଦପାନ କରିଥିଲେ ବୋଲି।

ଏଥିସହିତ ସମ୍ବଲପୁରରେ ଗାଡ଼ି ତନଖି ବେଳେ ଜଣେ ନାବାଳକ ଚଳାଉଥିବା ସ୍କୁଟିକୁ ୪୩ ହଜାର ଫାଇନ ହୋଇଛି। ନାବାଳକ ଜଣକ ଗାଡ଼ି ଚଲାଉଥିବା ବେଳେ ପୁଲିସ ହାବୁଡରେ ପଡ଼ିଥିଲେ। ତେବେ ଗାଡିର ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ ୫ ହଜାର , ନାବାକଳ ଚଳାଉଥିବାରୁ ୨୫ ହଜାର , ପ୍ରଦୂଷଣ ପାଇଁ ୧୦ ହଜାର, ଗାଡ଼ିର ଇନସୁରାନ୍‌ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଏପରି ଭାବେ ୪୩ହଜାର ଟଙ୍କାର ଚାଲାଣ କଟାଯାଇ ଥିବା ଜଣାପଡ଼ିଛି।

କେବଳ ଏତିକି ନୁହେଁ ସୋମବାର ସନ୍ଧ୍ୟାରେ ଆଉ ଜଣେ ବାଇକ୍‌ ଚାଳକଙ୍କୁ ପୁଲିସ ୩୭ହଜାର ଟଙ୍କା ଫାଇନ୍‌ କରିଛି। ଗୋଟିଏ ବାଇକ୍‌ରେ ତିନିଜଣ ଯାଉଥିବା ବେଳେ ପୁଲିସର ଗାଡ଼ି ତନଖି ବେଳେ ଧରାପଡ଼ି ଯାଇଥିଲେ। ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ନଥିବା ସହିତ ନାବାଳକ ଗାଡ଼ି ଚଳାଇବା ଭଳି ପ୍ରସଙ୍ଗରେ ଏହି ଜରିମାନା ହୋଇଛି।

ସମ୍ବନ୍ଧିତ ଖବର