ରାଉରକେଲା: ଜନଗହଳିପୂର୍ଣ୍ଣ ଛକରେ କେବଳ ଟ୍ରାଫିକ୍ ନିୟନ୍ତ୍ରଣ ନୁହେଁ ବରଂ ବିପର୍ଯ୍ୟସ୍ତ ରାସ୍ତା ମରାମତି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସହରର ଜଣେ ଟ୍ରାଫିକ୍ କନେଷ୍ଟବଳ। ତାଙ୍କର ଏଭଳି କାମକୁ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ନୁହେଁ ଶହ ଶହ ପଥଚାରୀ ବେଶ୍ ପ୍ରଶଂସା କରିଛନ୍ତି। ରାଉରକେଲା ଏମିତି ଜଣେ ଟ୍ରାଫିକ୍ କନେଷ୍ଟବଳ ହେଲେ ରଞ୍ଜନ କୁମାର ସାହୁ।
ସ୍ବରେଜ ବୋର୍ଡ କାମ ଚାଲିଥିବାରୁ ସହର ପ୍ରମୁଖ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ମାସ ମାସ ଧରି ମରାମତି ଅଭାବରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଅଧିକାଂଶ ସ୍ଥାନରେ ବଡ ବଡ ଖାତ ଯୋଗୁ ଦୈନିକ ଛୋଟ ବଡ ଦୁର୍ଘଟଣାମାନ ଘଟି ଅନେକ ହତାହତ ହେଉଛନ୍ତି। ଏହା ସତ୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ରାଉରକେଲା ଜନଗହଳିପୂର୍ଣ୍ଣ ମଙ୍ଗଳଭବନ ମାର୍କେଟ ସମ୍ମୁଖ ରାସ୍ତାର ସ୍ଥିତି ସଙ୍ଗିନ୍ ହୋଇ ପଡିଛି। ରାସ୍ତାର ଅନେକ ଜାଗାରେ ଖାତ ହୋଇଥିବାରୁ ଆଜି ଗୋଟିଏ କି ଦୁଇଟି ନୁହେଁ ୬ଟି ଦୁର୍ଘଟଣା ଘଟିଥିଲା। ସେଠାରେ ଟ୍ରାଫିକ୍ ଡ୍ୟୁଟି କରୁଥିବା ଟ୍ରାଫିକ୍ କନେଷ୍ଟବଳ ରଞ୍ଜନ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ।
ଦୀର୍ଘ ସମୟ ଅପେକ୍ଷା କରିଥିଲେ ହେଁ କେହି ବିଭାଗୀୟ ଅଧିକାରୀ ଆସି ନଥିଲେ। ଦୁର୍ଘଟଣା ଏଡାଇବାକୁ କନେଷ୍ଟବଳ ରଞ୍ଜନ ନିଜ ସହକର୍ମୀଙ୍କ ସହ ରାସ୍ତା ମରାମତି ପାଇଁ ଆଗେଇ ଆସିଥିଲେ। ପାଖରେ ରହୁଥିବା ଜଣଙ୍କ ଘରୁ କୋଦାଳ ଆଣି ଲାଗି ପଡିଥିଲେ ରାସ୍ତା ମରାମତି କାମରେ। ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ରାସ୍ତା ମରାମତି କାମରେ ଲାଗିଥିଲେ। ପ୍ରାୟ ଘଣ୍ଟାଏ ପରିଶ୍ରମ କରି ଖାତକୁ ପୋତିବା ସହ ରାସ୍ତାକୁ ସମତୁଲ କରିଥିଲେ। ତାଙ୍କର କାମ ଦେଖି ସ୍ଥାନୀୟ ଲୋକ ଓ ସେହିବାଟ ଦେଇ ଯାଉଥିବା ପଥଚାରୀମାନେ ରଞ୍ଜନକୁ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/2fb95a17-3879-480b-9cd0-4fc7b99d12cf.jpg)