ଖୋର୍ଦ୍ଧାରେ ମନରେଗା ପ୍ରକଳ୍ପରେ ଚମତ୍କାର ନା ଦୁର୍ନୀତି

୨୬ଟି ପ୍ରକଳ୍ପରେ ୪ ମାସରେ ସୃଷ୍ଟି ହୋଇଛି ୧୧ ଲକ୍ଷ କର୍ମଦିବସ

ଖୋର୍ଦ୍ଧା: କରୋନା ମହାମାରୀରେ ଲୋକଙ୍କ କର୍ମ ସଂସ୍ଥାନ ବାଧାପ୍ରାପ୍ତ ହୋଇଛି। ସେମାନଙ୍କ ରୋଜଗାର ପ୍ରାୟତଃ ବନ୍ଦ ହୋଇଯାଇଛି। ଏହି ସମୟରେ ଗ୍ରାମାଂଚଳର ଗରିବ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇଦେବାକୁ କେନ୍ଦ୍ର ସରକାର ମନରେଗା ଯୋଜନାକୁ ତ୍ୱରାନ୍ୱିତ କରି ଅଧିକ ଲୋକଙ୍କୁ ରୋଜଗାର ଦେବା ପାଇଁ କହିଲେ। କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କୁ ରୋଜଗାର ଯୋଗାଇବା ତ ଦୂରର କଥା ମନରେଗା ଯୋଜନାରେ ରାଜନେତା ଓ ଅଧିକାରୀ ବେଶ୍ ଲାଭବାନ ହେଉଥିବା ଦେଖିବାକୁ ମିଳିଛି।

ମନରେଗା ଯୋଜନାରେ ନିଆଯାଇଥିବା ପ୍ରକଳ୍ପ ଓ ଶେଷ ହେବା ପରି ସଂଖ୍ୟାକୁ ଅନୁଶୀଳନ କରାଯାଏ ତେବେ କରୋନା ସଂକ୍ରମଣ ପୂର୍ବ ବର୍ଷ, ୨୦୧୯-୨୦ରେ ୭୧୫୮ଟି ପ୍ରକଳ୍ପ ମଧ୍ୟରୁ ୫୧୧୧ଟି ଶେଷ ହୋଇଥିଲା। ଅର୍ଥାତ୍ ପୂର୍ଣ୍ଣତା ହାର ୭୧.୪ ପ୍ରତିଶତ ଥିଲା। କିନ୍ତୁ କରୋନା ମହାମାରୀରେ ୨୦୨୦-୨୧ ବର୍ଷରେ ୮୦୮୨ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୧୭୭୯ଟି କାମ ଶେଷ ହୋଇଥିଲା। ଅର୍ଥାତ୍ ପୂର୍ଣ୍ଣତା ହାର ୨୨.୦୧ ପ୍ରତିଶତ ରହିଥିଲା। ୨୦୨୧-୨୨ ଜୁଲାଇ ୧୭ ତାରିଖ ସୁଦ୍ଧା ୧୪୪୭ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ସେ ମଧ୍ୟରୁ ୨୬ଟି କାମ ଶେଷ ହୋଇଛି। ଅର୍ଥାତ୍ ଚଳିତ ବର୍ଷର ୪ ମାସରେ ପୂର୍ଣ୍ଣତା ହାର ୧.୮ ପ୍ରତିଶତ ରହିଛି।

ବର୍ତମାନ ପ୍ରଶ୍ନ ଉଠୁଛି ମାତ୍ର ୨୬ଟି ପ୍ରକଳ୍ପରେ ଚଳିତ ଆର୍ଥିକ ବର୍ଷରେ କିଭଳି ୧୦ଲକ୍ଷ ୧୬ ହଜାର ୨୧୩ଟି କର୍ମ ଦିବସ ସୃଷ୍ଟି ହୋଇଛି? ଭାତ ହାଣ୍ଡିରୁ ଗୋଟିଏ ଭାତ ପରୀକ୍ଷା କରି ଜାଣିବା ଭଳି ବାଜପୁର ମୌଜାରେ ନିର୍ମିତ ହେଉଥିବା ଆଦିବାସୀ ସାହି ପୋଖରୀରେ ଗତ ଦୁଇ ବର୍ଷ ମଧ୍ୟରେ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ମନରେଗା ଅର୍ଥ ଖର୍ଚ୍ଚ କରାଯିବା ଦର୍ଶାଯାଇଛି। କିନ୍ତୁ ଜାତୀୟ ରାଜପଥ ନିର୍ମାଣ ପାଇଁ ଏଆଇପିଏଲ୍ ସଂସ୍ଥା ମାଟି ଖୋଳି ନେଇଥିବା ଏକ ସ୍ଥାନକୁ ପୋଖରୀ ଦର୍ଶାଇ ବିଲ୍ କରି ନେଇଥିବା ଅଭିଯୋଗ ହୋଇଛି। କେବଳ ଏହା ନୁହେଁ ଏହା ବାଜପୁର ଅଂଚଳରେ ଥିବା ବେଳେ ନିକଟସ୍ଥ ନନ୍ଦପୁର ପଂଚାୟତ ଦ୍ୱାରା କିଭଳି କାର୍ଯ୍ୟକାରୀ କରାଯାଉଛି ସେନେଇ ଗ୍ରାମବାସୀ ନିକଟରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ।

ଏହି ଦୁର୍ନୀତିରେ ଜିଲ୍ଲା ପରିଷଦର ଜଣେ ପ୍ରଭାବଶାଳୀ ନେତା ସମ୍ପୃକ୍ତ ଥିବା ଗାଁ ଲୋକ କହିଛନ୍ତି। କେବଳ ଗୋଟିଏ କାମ ନୁହେଁ, ଏଭଳି ସଂଖ୍ୟାଧିକ କାର୍ଯ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ତାହା ସ୍ଥଳ ବିଶେଷରେ ଓ ଖୋଦ ପ୍ରଶାସନର ଦିଆଯାଇଥିବା ତଥ୍ୟରୁ ସ୍ପଷ୍ଟ ଜଣାଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରେ, ଖୋର୍ଦ୍ଧା ଜିଲ୍ଲାରେ ୧ଲକ୍ଷ ୬୧ହଜାର ୮୩୦ଟି ପରିବାରର ୫ଲକ୍ଷ ୩୭ହଜାର ୭୨୫ ଜଣ ମନରେଗା ଯୋଜନାରେ ପଂଜୀକୃତ ହୋଇଥିଲେ। ୫୩୮ଟି ପରିବାରର ୪୨୧୯ଜଣଙ୍କ ଜବ୍‌ କାର୍ଡକୁ ହଟାଯାଇଥିଲା। ୧୫୦୯୫ଟି ପରିବାର ୫୦,୭୧୯ ଜଣଙ୍କୁ ନୂତନ ଭାବେ ଜବ୍‌କାର୍ଡ଼ ପ୍ରଦାନ କରାଯାଇଥିଲା।

୨୦୨୦-୨୧ ବର୍ଷ ଶେଷ ସୁଦ୍ଧା ୧ଲକ୍ଷ ୫୭ ହଜାର ୭୭୧ ଜଣଙ୍କୁ ଜବ୍‌କାର୍ଡ଼ ପ୍ରଦାନ କରାଯାଇଥିଲା। ୫୫,୯୮୨ଟି ପରିବାରର ୯୯,୮୬୮ ଜଣ କାମ ପାଇଁ ଆବେଦନ କରିଥିଲେ, ସେମାନଙ୍କ ମଧ୍ୟରୁ ୫୧ହଜାର ୯୯୦ଟି ପରିବାରର ୮୭,୧୯୫ ଜଣଙ୍କୁ କାମ ଦିଆଯାଇଥିଲା। ସେହି ବର୍ଷ ୨୨ଲକ୍ଷ ୮୯ ହଜାର ୪୧ଟି କର୍ମ ଦିବସ ସୃଷ୍ଟି କରାଯାଇଥିଲା। ଅର୍ଥାତ୍, ଜଣେ ହାରାହାରି ବର୍ଷକୁ ୨୬ ଦିନର କାମ ପାଇଥିବା ବେଳେ ମାତ୍ର ୨୬୬୭ଟି ପରିବାରଙ୍କୁ ୧୦୦ ଦିନର କାମ ମିଳିଥିଲା। ୨୦୨୧-୨୨ ଆର୍ଥିକ ବର୍ଷ ପ୍ରାରମ୍ଭରେ ୧ଲକ୍ଷ ୬୯୭୧୦ଟି ପରିବାରର ୫ଲକ୍ଷ ୫୦ହଜାର ୪୩୨ଜଣ ଜବ୍ କାର୍ଡ ପାଇଁ ପଂଜୀକୃତ କରିଥିଲେ। ସେମାନଙ୍କ ମଧ୍ୟର ୧୬୪ଟି ପରିବାରର ୧୦୪୮ଜଣଙ୍ ଜବ୍ କାର୍ଡ ହଟାଯାଇଛି। ୭୯୬୮ଟି ପରିବାରର ୧୭,୨୧୫ଜଣଙ୍କୁ ନୂତନ ଭାବେ ଜବ୍ କାର୍ଡରେ ସଂଯୋଗ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୫ହଜାର ୭୦୫ଟି ପରିବାରର ୫୮ହଜାର ୩୫୧ଜଣ କାମ ପାଇଁ ଆବେଦନ କରିଥିଲେ। ୩୧,୪୪୩ଟି ପରିବାରର ୪୮,୩୬୫ଜଣଙ୍କୁ କାମ ଦିଆଯାଇଛି। ବର୍ତମାନ ସୁଦ୍ଧା ୧୦ଲକ୍ଷ ୧୬ ହଜାର ୨୧୩ କର୍ମ ଦିବସ ସୃଷ୍ଟି କରାଯାଇଛି। ଅର୍ଥାତ୍ ଜଣେ ଜବ୍‌କାର୍ଡ଼ ହାରାହାରି ୨୧ ଦିନର କାମ ପାଇଥିବା ବେଳେ ବର୍ତମାନ ସୁଦ୍ଧା ୬୦୪ଟି ପରିବାର ୧୦୦ ଦିନର କାମ ପାଇଛନ୍ତି।

ସମ୍ବନ୍ଧିତ ଖବର