ବାଲା ମଡେଲରେ ଅଙ୍ଗନବାଡ଼ି ନବୀକରଣ ଅଧପନ୍ତରିଆ; ବର୍ଷେ ପରେ ୨୫୫୧ କେନ୍ଦ୍ରରୁ ସରିଛି ୬୯୩

ଶିଶୁ ପଢ଼ିବେ କେଉଁଠି !

ସୁନ୍ଦରଗଡ଼: ମହାମାରୀ କରୋନାରେ ପ୍ରାୟ ୨ ବର୍ଷ ଧରି ବନ୍ଦ ପଡ଼ିଥିବା ଅଙ୍ଗନବାଡ଼ି କେନ୍ଦ୍ର ମାର୍ଚ୍ଚ ୨୮ରୁ ଖୋଲିଛି । ଏହା ପରେ ଘର ଭିତରେ ଏକ ପ୍ରକାର ବନ୍ଦୀ ଜୀବନ ବିତାଇଥିବା କୁନି ପିଲାମାନଙ୍କ ଖୁସି କହିଲେ ନସରେ। ପିଲାଙ୍କ ପ୍ରାକ୍ ଶିକ୍ଷା ସମେତ ସ୍ବାସ୍ଥ୍ୟ ପରୀକ୍ଷା, ପ୍ରତିଷେଧକ ବ୍ୟବସ୍ଥା, ପରିପୂରକ ପୁଷ୍ଟି ସାଧନ, ଗର୍ଭବତୀ ମା’ଙ୍କୁ ବିଭିନ୍ନ ପରାମର୍ଶ ଓ ଶିକ୍ଷା ପ୍ରଦାନ ପାଇଁ ଅଙ୍ଗନବାଡ଼ିକର୍ମୀମାନେ ମଧ୍ୟ ତତ୍ପର ହୋଇପଡ଼ିଛନ୍ତି। କିନ୍ତୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଏସବୁ କାର୍ଯ୍ୟକ୍ରମରେ ବାଧକ ସାଜିଛି ଅଙ୍ଗନବାଡ଼ି କେନ୍ଦ୍ର ଗୃହ। କାରଣ ଗତ ବର୍ଷେ ହେଲା ବାଲା ମଡେଲରେ ଜିଲ୍ଲାର ୨୫୫୧ କେନ୍ଦ୍ରର ପୁନରୁଦ୍ଧାର ବା ନବୀକରଣ କାମ ଚାଲିଛି। ଯାହା ଏଯାଏ ସରିବାର ନାଁ ନାହିଁ। ୨୫୫୧ କେନ୍ଦ୍ର ମଧ୍ୟରୁ ୧୯୭୩ କେନ୍ଦ୍ରର ନିର୍ମାଣ ହାତକୁ ନିଆଯାଇଥିବା ବେଳେ ସେଥିମଧ୍ୟରୁ ୧୧୫୩ କେନ୍ଦ୍ରର କୋଠା କାମ, ୧୧୨୩ର ବିଦ୍ୟୁତ କାମ, ୭୦୨ କେନ୍ଦ୍ରର ପୁଟ୍ଟି କାମ, ୬୯୩ର ରଙ୍ଗମରା ଓ ଚିତ୍ର ଅଙ୍କା ସରିଛି। ଅର୍ଥାତ ୨୫୫୧ କେନ୍ଦ୍ର ମଧ୍ୟରୁ ମାତ୍ର ୬୯୩ କେନ୍ଦ୍ରର ନବୀକରଣ ଶେଷ ହୋଇଛି। କିନ୍ତୁ ବଡ଼ କଥା ହେଲା, ଏଯାଏ ଗୋଟିଏ ବି କେନ୍ଦ୍ର ହସ୍ତାନ୍ତର ହୋଇ ନାହିଁ।

ଏସ୍ଥିତିରେ କେନ୍ଦ୍ରକୁ ଆସୁଥିବା ଶିଶୁ କେଉଁଠି ବସି ଶିକ୍ଷା ଗ୍ରହଣ କରିବେ, ମା’ମାନଙ୍କୁ କେଉଁଠି ସ୍ବାସ୍ଥ୍ୟ ପରାମର୍ଶ ଦିଆଯିବ ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରକାଶଯୋଗ୍ୟ, ଆକର୍ଷଣୀୟ ଓ ଉନ୍ନତ ଭିତ୍ତିଭୂମି ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି) ପାଣ୍ଠିରେ କେନ୍ଦ୍ରଗୁଡ଼ିକର ନିର୍ମାଣ ୩ଟି ଠିକାଦାର ଅନିଲ ଅଗ୍ରୱାଲ, ବିକାଶ ଅଗ୍ରୱାଲ ଓ ଠିକା ସଂସ୍ଥା ସୁବୁଦ୍ଧି ରିପ୍ରୋଗ୍ରାଫିକ୍ସକୁ ଦିଆଯାଇଛି। ଅନିଲ ଅଗ୍ରୱାଲ ଜିଲ୍ଲାର ବାଲିଶଙ୍କରା, କୁତ୍ରା, କୁଆରମୁଣ୍ଡା, ନୂଆଗାଁ, ରାଜଗାଙ୍ଗପୁର, ସବଡେଗା ବ୍ଲକରେ ଅନିଲ ଅଗ୍ରୱାଲ ୯୦୬ଟି ଅଙ୍ଗନବାଡ଼ି କେନ୍ଦ୍ର ନବୀକରଣ ଟେଣ୍ଡର ପାଇଥିବା ବେଳେ ବିଶ୍ରା, ବଣାଇଁ, ଗୁରୁଣ୍ଡିଆ, କୋଇଡ଼ା, ଲହୁଣିପଡ଼ା, ଲାଠିକଟା ବ୍ଲକର ୮୨୪ଟି କେନ୍ଦ୍ରର ନବୀକରଣ ଟେଣ୍ଡର ବିକାଶ ଅଗ୍ରୱାଲ ପାଇଛନ୍ତି। ସେହିପରି ସୁବୁଦ୍ଧି ରିପ୍ରୋଗ୍ରାଫିକ୍ସକୁ ବଡ଼ଗାଁ, ହେମଗିର, ଲେଫ୍ରିପଡ଼ା, ଟାଙ୍ଗରପାଲି, ସଦର ବ୍ଲକର ୫୨୩ଟି କେନ୍ଦ୍ରର ନବୀକରଣ ଦାୟିତ୍ବ ଦିଆଯାଇଛି। କିନ୍ତୁ ଆରମ୍ଭରୁ ଠିକା ସଂସ୍ଥା ବିଭିନ୍ନ ବ୍ଲକରେ ନିଜେ କାମ ନକରି ସ୍ବୟଂ ସହାୟିକା ଗୋଷ୍ଠୀ (ଏସଏଚଜି)କୁ କାମ ବାଣ୍ଟି ଦେଇଥିଲେ। କିନ୍ତୁ ଏସଏଚଜି ମଧ୍ୟ ନିଜେ କାମ ନକରି ମୂଳ ଠିକା ସଂସ୍ଥାର ବାଟ ଧରି ସ୍ଥାନୀୟ ଠିକାଦାରମାନଙ୍କୁ ଦାୟିତ୍ବ ଦେଇଥିଲେ। ଫଳତଃ ବହୁ କେନ୍ଦ୍ର କାମ ମାସ ମାସ ଧରି ଅଧାପନ୍ତରିଆ ହୋଇ ପଡ଼ି ରହିଥିଲା।

ଏହା ପରେ ସଂସ୍ଥାର ଏ ପ୍ରକାର ଫନ୍ଦିଫିକର ଓ ଅବହେଳା ଦେଖି ଜିଲ୍ଲା ପ୍ରଶାସନ ସଦର, ଲେଫ୍ରିପଡ଼ା, ବଡ଼ଗାଁ, କୋଇଡ଼ା, ଗୁରୁଣ୍ଡିଆ ବ୍ଲକର ୨୯୮ଟି କେନ୍ଦ୍ରର ନବୀକରଣ କାମ ସମ୍ପୃକ୍ତ ବ୍ଲକ ଓ ଆଇଟିଡିଏ ବିଭାଗୀୟ ସମ୍ପାଦନ (ଡିପାର୍ଟମେଣ୍ଟାଲ)ରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ଅନିଲ ଅଗ୍ରୱାଲ କରୁଥିବା କାମ ମଧ୍ୟରୁ ୬୮୮ଟି କେନ୍ଦ୍ରର କୋଠା ଓ ବିଦ୍ୟୁତ କାମ ଶେଷ ହୋଇଥିବା ବେଳେ ୩୪୮ଟି ପୁଟ୍ଟି, ୧୩୧ଟି ରଙ୍ଗମରା, ୪୦ଟି ଚିତ୍ର ଅଙ୍କା କାମ ସରିଛି। ସେ ଅଗଷ୍ଟ ସୁଦ୍ଧା ୨୭୦ କେନ୍ଦ୍ର, ସେପ୍ଟେମ୍ବରରେ ୨୮୩ କେନ୍ଦ୍ର ଓ ୩୫୩ କେନ୍ଦ୍ର ଅକ୍ଟୋବରରେ ହସ୍ତାନ୍ତର କରିବାକୁ ଚୁକ୍ତି କରିଛନ୍ତି। ସେହିପରି ବିକାଶ ଅଗ୍ରୱାଲ ୮୨୪ କେନ୍ଦ୍ର ମଧ୍ୟରୁ ଏଯାଏ ୩୬୮ଟି କେନ୍ଦ୍ରର କୋଠା କାମ ଓ ୨୪୬ଟି କେନ୍ଦ୍ରର ବିଦ୍ୟୁତ କାମ ଶେଷ କରିଛନ୍ତି। ୨୭୧ଟି କେନ୍ଦ୍ରରେ ପୁଟ୍ଟି, ୧୦ଟିରେ ରଙ୍ଗମରା ସରିଛି। ଅଗଷ୍ଟ ସୁଦ୍ଧା ୧୩୫ଟି କେନ୍ଦ୍ର, ୨୬୫ଟି କେନ୍ଦ୍ର ସେପ୍ଟେମ୍ବର ଓ ୪୨୪ଟି କେନ୍ଦ୍ର ଅକ୍ଟୋବରରେ ହସ୍ତାନ୍ତର କରିବାକୁ ଚୁକ୍ତି କରିଛନ୍ତି ସେ। ସୁବୁଦ୍ଧି ରିପ୍ରୋଗ୍ରାଫିକ୍ସ ୪୪୫ଟି କେନ୍ଦ୍ର କାମ ଜାରି ରଖିଥିବା ବେଳେ ତନ୍ମଧ୍ୟରୁ ମାତ୍ର ୪୪ଟି କୋଠା କାମ, ୩୬ଟି ବିଦ୍ୟୁତ କାମ, ୩୯ଟି ପୁଟ୍ଟି କାମ, ୮ଟି ରଙ୍ଗମରା, ୮ଟି ଚିତ୍ର ଅଙ୍କା ସାରିଛି। ଅନ୍ୟପଟେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଜରିଆରେ ସମ୍ପାଦନ ହେଉଥିବା ସଦର, ଲେଫ୍ରିପଡ଼ା, ବଡ଼ଗାଁ, କୋଇଡ଼ା, ଗୁରୁଣ୍ଡିଆ ବ୍ଲକର ୨୯୮ଟି କେନ୍ଦ୍ର ମଧ୍ୟରୁ ଶହେଟି କେନ୍ଦ୍ର ଶେଷ ହୋଇଥିବା ଦର୍ଶାଯାଇଛି। ଠିକା ସଂସ୍ଥା ଓ ଠିକାଦାରଙ୍କ ମନମାନୀ ଓ ପ୍ରଶାସନର ଉଦାସୀନତା କାରଣରୁ ବର୍ଷେ ପରେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରର ନବୀକରଣ ଶେଷ ହୋଇ ପାରି ନାହିଁ। ଫଳରେ ଅନେକ ଅଙ୍ଗନବାଡ଼ିକର୍ମୀ ବାଧ୍ୟ ହୋଇ ନିଜ ଘରେ ନହେଲେ କାହା ବାରଣ୍ଡାରେ କୋମଳମତି ଶିଶୁମାନଙ୍କୁ ବସାଇ କେନ୍ଦ୍ର ଚଲାଉଛନ୍ତି। ଆଉ ଏହାର ପ୍ରଭାବ ସିଧାସଳଖ କୋମଳମତି ଶିଶୁମାନଙ୍କ ଉପରେ ପଡ଼ୁଛି।

ସମ୍ବନ୍ଧିତ ଖବର