ଯୋଗାଣ ବିଭାଗର ଅଜବ ନୀତି: ୧୫% ଅଙ୍ଗନବାଡି କର୍ମୀ ଓ ଗୃହରକ୍ଷୀଙ୍କୁ ବାଦ

ରାଉରକେଲା: ମହାମାରୀ କରୋନା ମୁକାବିଲା ପାଇଁ ସମଗ୍ର ବିଶ୍ବ ଲଢ଼ୁଥିଲାବେଳେ ଯୋଗାଣ ବିଭାଗର ବିବାଦ ପିଛା ଛାଡୁଡ଼ି। କରୋନା ପାଇଁ ରାସନ କାର୍ଡ ପାଇଥିବା ସମସ୍ତ ହିତାଧିକାରୀଙ୍କୁ ଏକକାଳୀନ ୪ ମାସର ଚାଉଳ, ଗହମ ଦିଆଯାଇଛି। କରୋନା ଯୁଦ୍ଧରେ ଉଭୟ ଅଙ୍ଗନବାଡି କର୍ମୀ ଓ ଗୃହରକ୍ଷୀ ସାମିଲ ହୋଇଛନ୍ତି। କିନ୍ତୁ ୧୫% ଅଙ୍ଗନବାଡି, ମିନି ଅଙ୍ଗନବାଡି, ସହାୟିକା ଓ ଗୃହରକ୍ଷୀଙ୍କ ରାସନ କାର୍ଡ କାଟି ଦିଆଯାଇଛି। ଅବଶିଷ୍ଟ ୮୫%ଙ୍କୁ ଏକକାଳୀନ କଣ୍ଟ୍ରୋଲ ସାମଗ୍ରୀ ଦିଆଯାଇଛି।

ଯୋଗାଣ ବିଭାଗର ଏଭଳି ଅଜବ ନୀତିକୁ ନେଇ ଉଭୟ ଅଙ୍ଗନବାର୍ଡି କର୍ମୀ ଓ ଗୃହରକ୍ଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନ୍ୟାୟ ପାଇଁ ସେମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ପରବର୍ତ୍ତୀ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି। ଅଙ୍ଗନବାଡି କର୍ମଚାରୀଙ୍କ କହିବାନୁଯାୟୀ ରାଉରକେଲା ସହରରେ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌)ର ତିନିଟି ପ୍ରକଳ୍ପ ରହିଛି।

ସିଭିଲଟାଉନ୍‌ସିପ୍‌, ଷ୍ଟିଲ୍‌ ଟାଉନ୍‌ସିପ୍‌ ଓ ଟାଙ୍ଗରପାଲି। ପ୍ରତ୍ୟେକ ପ୍ରକଳ୍ପ ଅଧିନରେ ପ୍ରାୟ ୧୫୦ଟି କରି ଅଙ୍ଗନବାଡି କେନ୍ଦ୍ର ରହିଛି। ମୋଟ ୩୫୦ ଅଙ୍କନବାଡି କର୍ମୀ, ୩୦୦ ସହାୟିକା କାମ କରୁଛନ୍ତି। ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କର୍ମୀଙ୍କୁ ମାସିକ ୭, ୫୦୦, ମିନି ଅଙ୍ଗନବାଡି କର୍ମୀଙ୍କୁ ୫,୩୭୫ ଓ ସହାୟିକାଙ୍କୁ ୩,୫୦୦ ଟଙ୍କା କରି ପାରିଶ୍ରମିକ ଦିଆଯାଉଛି। ସ୍ବଳ୍ପ ଦରମା ମିଳୁଥିବାରୁ ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ରାସନ କାର୍ଡ ଯୋଗାଇ ଦିଆଯାଇଥିଲା।

ବର୍ଷ ବର୍ଷ ଧରି ସେମାନେ ସ୍ଥାନୀୟ କଣ୍ଟ୍ରୋଲ ଦୋକାନରୁ ଚାଉଳ, ଗହମ ଉଠାଉଥିଲେ। କରୋନା ସମୟରେ ହଠାତ୍‌ ରାସନ କାର୍ଡ ତାଲିକାରୁ ୧୫% ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ କାର୍ଡକୁ ସରକାରଙ୍କ ଉଚ୍ଚ ବେତନଭୋଗି କର୍ମଚାରୀ ଦର୍ଶାଇ କାଟି ଦେଇଛନ୍ତି। ଶିଶୁ ବିକାଶ ମଙ୍ଗଳ ଅଧିକାରୀ (ସିଡିପିଓ)ଙ୍କ ଠାରୁ ଲିଖିତ ପ୍ରମାଣପତ୍ର ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷେ ସିଡିପିଓ ରିପୋର୍ଟ ଦେବା ପରିବର୍ତ୍ତେ ଅଙ୍ଗନବାଡି କର୍ମୀଙ୍କୁ ଆଜିକାଲି କହି ଦିନ ପରେ ଦିନ ଗଡାଇ ଚାଲିଛନ୍ତି। ଏଥିପାଇଁ ତିନି ପ୍ରକଳ୍ପ ଅଧୀନରେ କାମ କରୁଥିବା ପ୍ରାୟ ୧୦୦ରୁ ଅଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା କଣ୍ଟ୍ରୋଲ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଶତପ୍ରତିଶତ ଅଙ୍ଗନବାଡି, ମିନି ଅଙ୍ଗନବାଡି ଓ ସହାୟିକାଙ୍କୁ ରାସନ କାର୍ଡ ମିଳିଥିଲାବେଳେ କାହା ସ୍ବାର୍ଥରେ ୧୫%ଙ୍କ କାର୍ଡକୁ କାଟି ଦିଆଯାଇଛି ? ଯଦି ଏମାନେ ଉଚ୍ଚ ବେତନଭୋଗୀ କର୍ମଚାରୀ ତେବେ ଅନ୍ୟ ୮୫% କର୍ମଚାରୀ କ’ଣ ନୁହଁନ୍ତି ? ସରକାର ଅଙ୍ଗନବାଡି କର୍ମଚାରୀ, ମିନି ଅଙ୍ଗନବାଡି, ସହାୟିକାଙ୍କ ପାଇଁ ସମାନ ଦରମା ନିର୍ଦ୍ଧାରଣ କରିଥିଲାବେଳେ କେଉଁ ନିୟମ ଆଧାରରେ ୧୫%ଙ୍କ କାର୍ଡ କାଟି ଦିଆଗଲା, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନୁରୂପ ଭାବେ ସହରରେ ପ୍ରାୟ ୬୦୦ରୁ ଅଧିକ ଗୃହରକ୍ଷୀ କାମ କରୁଥିବାବେଳେ ମାତ୍ର ୫୮ ଜଣଙ୍କ କାର୍ଡ କାଟି ଦିଆଯାଇଛି। ସେମାନେ ବାରମ୍ବାର ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଦୌଡୁଥିଲେ ହେଁ କିଛି ସୁଫଳ ମିଳୁ ନାହିଁ। ଓଲଟା ବିଭାଗୀୟ ଅଧିକାରୀ ସେପଟୁ କଟି ଯାଇଛି ବୋଲି ଉତ୍ତର ଦେଉଛନ୍ତି। ଅନ୍ୟପଟେ ନୂଆ ସଂଯୋଗ ତାଲିକାରେ ବ୍ୟାପକ ହେର୍‌ଫେର୍‌ ହେଉଛି। ଯୋଗାଣ ଅଫିସର ଜଣେ କରିତ୍‌କର୍ମା କର୍ମଚାରୀ ଦଲାଲଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ଥିଲାବାଲାଙ୍କ ନାମକୁ ଯୋଡି ରାସନ କାର୍ଡ ଇସ୍ୟୁ କରି ଦେଉଥିବା ଅଭିଯୋଗ ହେଉଛି। ଏହାର ମଧ୍ୟ ବିଧିବଦ୍ଧ ଯାଞ୍ଚର ଆବଶ୍ୟକତା ରହିଛି।

ଏ ସଂକ୍ରାନ୍ତରେ ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁଙ୍କୁ ପଚାରିବାରୁ ସେ କହିଛନ୍ତି ସଂଯୋଗ ତାଲିକାରେ ଏପରି ହେବା କଥା ନୁହେଁ। ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କଟି ଯାଇଥିବା ଅଙ୍ଗନବାଡି, ମିନି ଅଙ୍ଗନବାଡି ଓ ସହାୟିକାଙ୍କୁ ନିଜ ନିଜ ସିଡିପିଓଙ୍କ ଠାରୁ ବିସ୍ତୃତ ରିପୋର୍ଟ ଲେଖି ଆଣିବାକୁ କୁହାଯାଇଛି। କିନ୍ତୁ ଅଦ୍ୟାବଧି କେହି ଦାଖଲ କରି ନାହାନ୍ତି। ଅନୁରୂପ ଭାବେ ଗୃହରକ୍ଷୀଙ୍କୁ ଏସ୍‌ପିଙ୍କ ଠାରୁ ନିଜର ବ୍ୟକ୍ତିଗତ ତଥ୍ୟ ଲେଖି ଆଣିବାକୁ କୁହାଯାଇଛି ବୋଲି କହିଛନ୍ତି। ଅନ୍ୟମାନଙ୍କ କାର୍ହିକି କଟି ନାହିଁ ବୋଲି ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରି ନଥିଲେ। ତେବେ ଏଭଳି ଦୁର୍ଦ୍ଦିନ ସମୟରେ ଯୋଗାଣ ବିଭାଗର ହେଉଥିବା ଦୁର୍ନୀତିକୁ ରୋକିବାକୁ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର