ଉମରକୋଟ: ଜଣେ ବାଇକ୍ ଆରୋହୀକୁ ବଂଚାଇବାକୁ ଯାଇ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା ଏକ ବିରାଟ କଣ୍ଟେନର । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ନିକଟସ୍ଥ ବଡ ଭରଣ୍ଡିଠାରେ ଘଟଣାଟି ବିଳମ୍ବିତ ରାତିରେ ଘଟିଛି | ମିଳିଥିବା ସୂଚନା ମୁତାବକ ବିଳମ୍ବିତ ରାତିରେ ନବରଙ୍ଗପୁର ଆଡୁ ଏକ ଟ୍ରକ୍ ନମ୍ବର UP 78 DN 9201 ଉତ୍ତର ପ୍ରଦେଶର ମୁଜାଫର ନଗର ଆଡକୁ ଯାଉଥିଲା। ତେବେ ତୁରି ନଦୀ ପୋଲ ଉପରେ ଜଣେ ବାଇକ ଚାଳକଙ୍କ ଜୀବନ ବଞ୍ଚାଇବାକୁ ଯାଇ କଣ୍ଟେନରଟି ଭାରସାମ୍ୟ ହରାଇ ୩୦ ଫୁଟ ନଦୀ ତଳକୁ ଖସି ପଡ଼ିଲା। । ଆଉ ଉଦ୍ଧାର ପାଇଁ ଡ଼୍ରାଇଭର ଅନିଶ ଅହମ୍ମଦ ଓ ହେଲ୍ପର ବାଲିସିର ଚିତ୍କାର କରିଥିଲେ ।
ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣା ସଂପର୍କରେ ଜାଣି ଅଗ୍ନିଶମ ବାହିନୀକୁ ଓ ପୁଲିସକୁ ଖବର ଦେଇଥିଲେ ଓ ଖବର ପାଇ ଉମରକୋଟ ଅଗ୍ନିଶମ ବିଭାଗ ଓ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ସବ ଇନିସ୍ପେକ୍ଟର ନଟବର ନନ୍ଦ,ସବ ଇନିସ୍ପେକ୍ଟର ଏସକେ ସେଠ,ଏଏସଆଇ ଶଶୀ ସତନାମୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦୁର୍ଘଟଣା ସମୟରେ ହେଲପର ଜଣଙ୍କ କୌଣସି ପ୍ରକାରେ ଟ୍ରକରୁ ବାହାରି ଯାଇଥିଲେ ମଧ୍ୟ ଡ୍ରାଇଭର ଅନିସ ମହମ୍ମଦ ଇଞ୍ଜିନ ଓ ଷ୍ଟିୟରିଂ ମଧ୍ୟରେ ଚାପି ହୋଇ ବାହାରି ପାରିନଥିଲେ।
ହେଲ୍ପର ବାଲିସିର ଡ୍ରାଇଭରକୁ ପାଣି ଭିତରୁ ଉଦ୍ଧାର କରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇନଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସହଯୋଗ ଏବଂ ଦୁଇଟି ଜେସିବି ମେସିନର ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା । ଡ୍ରାଇଭରକୁ ପାଣି ଭିତରୁ ଉଦ୍ଧାର କରିବା ପାଇଁ ଦୀର୍ଘ ପାଞ୍ଚରୁ ଛଅ ଘଣ୍ଟା ସମୟ ଲାଗିଥିଲା । ଗୁରୁତର ଅବସ୍ଥାରେ ଡ୍ରାଇଭର ଓ ହେଲପରଙ୍କୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ତେବେ ଡ୍ରାଇଭର ଓ ହେଲପର ବର୍ତ୍ତମାନ ନିରାପଦ ଥିବା ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି।