ଘରୋଇ କଲେଜର ଜଣେ ଛାତ୍ର କରୋନା ପଜିଟିଭ୍‌, କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ମାଲକାନଗିରି: ଜିଲ୍ଲା ସଦର ମହକୁମାରେ ଥିବା ଏକ ଘରୋଇ କଲେଜରେ ଜଣେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। କଲେଜର ଛାତ୍ର ଜଣକ ଗତକାଲି ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ତାଂକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ପ୍ରଥମେ କୋଭିଡ ଟେଷ୍ଟ କରିବା ପାଇଁ ନିର୍ଦେଶ ଦେଇଥିଲେ। ଛାତ୍ରଙ୍କୁ କୋଭିଡ ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ମାଲକାନଗିରି ପୌର ପରିଷଦ ତରଫରୁ କଲେଜକୁ ଏବଂ ସେହି ପାଖାପାଖି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ତେବେ କଲେଜରେ ପଢୁଥିବା ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି କୁହାଯାଇଛି। ଯଦି ଅଧିକ ଛାତ୍ରଛାତ୍ରୀଙ୍କର କୋଭିଡ ରିପୋର୍ଟ ପଜିଟିଭ୍ ଆସେ ତେବେ କଲେଜକୁ ସଂପୂର୍ଣ୍ଣ ସିଲ କରାଯିବ। ଆଜି ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀଙ୍କର କୋଭିଡ ପରୀକ୍ଷା କରାଯାଇଥିବା ଜଣାପଡିଛି। ରିପୋର୍ଟ ଆସିବା ପରେ ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟ ଦିଗରେ କଲେଜ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ମାଲକାନଗିରି ଜିଲ୍ଲାରେ କୋଭିଡ ସଂକ୍ରମଣ ଏକ ପ୍ରକାର ନାହିଁ କହିଲେ ଚଳେ। କିନ୍ତୁ ପ୍ରଶାସନ ତରଫରୁ କୋଭିଡ କଟକଣାକୁ କଡା କରାଯିବା ସହ ବାହାରୁ ଆସୁଥିବା ଲୋକଙ୍କର କୋଭିଡ ପରୀକ୍ଷା କରାଯାଉଛି। ଯେଉଁ ଛାତ୍ରଙ୍କର ରିପୋର୍ଟ ପଜିଟିଭ ବାହାରିଛି ତାଂକର ସମସ୍ତ ପରିବାର ତଥା କେଉଁ ସ୍ଥାନକୁ ସେ ଯାଇଥିଲେ ସେନଇ ଅଧିକା ତଦନ୍ତ କରାଯାଉଛି। ତାଂକ ସଂସ୍ଫର୍ଶରେ ଆସିଥିବା ସମସ୍ତ ଲୋକଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ବୋଲି କୁହାଯାଇଛି। ଆଜି ମାଲକାନଗିରିରେ ଜଣେ ବି ସଂକ୍ରମଣ ହୋଇନଥିବା ବେଳେ ଆସନ୍ତା ଦିନରେ ହୁଏତ ଏହା ବଢିପାରେ ବୋଲି କୁହାଯାଇଛି। ତେବେ କଲେଜକୁ ନେଇ କଣ ପଦକ୍ଷେପ ନିଆଯିବ ଆଗକୁ ଜଣାପଡିବ ବୋଲି ପୌର ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର