ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳସ୍ଥିତ ଟାଟା କଂପାନିର ଫେରୋ ଆଲଏଜ ପ୍ଲାଣ୍ଟ ସମ୍ମୁଖରେ ୨୧ ଦଫା ଦାବି ନେଇ ଶ୍ରମିକ ସଂଘ ପକ୍ଷରୁ ଚାଲିଥିବା ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି। ପ୍ଲାଣ୍ଟର ଶ୍ରମିକ ୟୁନିଅନ ସମ୍ପାଦକ ଦୈତାରି ମହାନ୍ତ ଓ କାର୍ଯ୍ୟକାରୀ ସଭାପତି ବାବାଜୀ ବାରିକଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ୨୧ ଦଫା ଦାବି ପୂରଣ ପାଇଁ  ପ୍ଲାଣ୍ଟର ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଫଳରେ ପାଞ୍ଚଦିନ ହେଲା ପ୍ଲାଣ୍ଟ ବନ୍ଦ ରହିଛି। ଆଜି ଅପରାହ୍ନରେ କାରଖାନା କର୍ତ୍ତୃପକ୍ଷ  ଶ୍ରମିକ ସଂଘର ଏକ ପ୍ରତିନିଧି ଦଳକୁ ଡାକି ଆଲୋଚନା କରିଛନ୍ତି।

Advertisment

ପ୍ଲାଣ୍ଟର କର୍ତ୍ତୃପକ୍ଷ ଧାରଣାର ପଞ୍ଚମ ଦିନରେ ଶ୍ରମିକ ସଂଘ ସହ ଆଲୋଚନା କରିଥିବାରୁ ଦାବି ପୂରଣ ହେବାର ସମ୍ଭାବନା ରହିଛି। ଦାବି ପୂରଣ ନହେଲେ ଧର୍ମଘଟ ଚାଲୁ ରହିବ ବୋଲି ସଂଘର ସମ୍ପାଦକ ଦୈତାରୀ ମହାନ୍ତ ଜଣାଇଛନ୍ତି। ସମାଜସେବୀ ଫକୀର ନାଏକ ଏହି ଧାରଣାରେ ସାମିଲ ହୋଇ ଶ୍ରମିକଙ୍କ ଦାବି ପୂରଣ ପାଇଁ ଦାବି କରିଥିଲେ। ସଂଘର କାଠିଆ ଜେନା, ନୀଳାମ୍ବର ଦାସ, ଅଜୟ ମହାରଣା, ନିତ୍ୟାନନ୍ଦ ରଣା, ପିଙ୍କୁ ଚକ୍ରଙ୍କ ସମେତ ୫ ଶହରୁ ଊର୍ଦ୍ଧ୍ବ ଶ୍ରମିକ ଧାରଣାରେ ସାମିଲ ହୋଇଛନ୍ତି।