ରାଉରକେଲା: ଟ୍ରେନ୍, ବସ୍ରେ ଗଞ୍ଜେଇ ଚୋରାଚାଲାଣ ସୀମା ଟପିଲାଣି। କୋରାପୁଟ, ଦେବଗଡ଼, ସମ୍ବଲପୁର, ମାଲକାନଗିରି, କଳାହାଣ୍ଡି ଆଦି ଅଞ୍ଚଳରୁ ରାଉରକେଲା ଦେଇ ନିୟମିତ ଗଞ୍ଜେଇ ଚାଲାଣ ହେଉଛି। ବିଭିନ୍ନ ଟ୍ରେନ୍ ତଥା ବସ୍ରେ ଏହି କାରବାର ବେଗ ଧରିଥିବାବେଳେ ଥମିବାର ନାଁ ନେଉନି। ଆଜି ଟ୍ରେନ୍ରେ ଗଞ୍ଜେଇ ଚାଲାଣ ଉଦ୍ୟମ କରୁଥିବା ବିହାରର ମୂଳବାସିନ୍ଦା ଶ୍ରୀଓମ୍ ନିସାଦ(୧୯)ଙ୍କୁ ଆର୍ପିଏଫ୍ ଓ ଅବକାରୀ ପୁଲିସ ମିଳିତଭାବେ କାବୁ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ପାଖରୁ ୧୪.୨୮୬ କେଜି ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରାଯାଇଛି।
ଅଭିଯୁକ୍ତ ଶ୍ରୀଓମ୍ କଳାହାଣ୍ଡି ଅଞ୍ଚଳରୁ ଗଞ୍ଜେଇ କିଣି ରାଉରକେଲାକୁ ବସ୍ରେ ଆସିଥିଲା। ଆଜି ଭୋର୍ରେ ରାଉରକେଲାରେ ଓହ୍ଲାଇବାପରେ ଟ୍ରେନ୍ରେ ବିହାରକୁ ଚାଲାଣ କରିବାକୁ ରେଳ ଷ୍ଟେସନ ଅଭିମୁଖେ ବାହାରିଥିଲା। ତେବେ ବିହାରକୁ ସିଧାସଳଖ ଟ୍ରେନ୍ ନ ଥିବାରୁ ରେଳ ଷ୍ଟେସନ ସମ୍ମୁଖରେ ଜଗି ରହିଥିଲା। ଏନେଇ ଅବକାରୀ ବିଭାଗ ସୂଚନା ପାଇ ଆର୍ପିଏଫ୍ ସହଯୋଗରେ ଷ୍ଟେସନ ସମ୍ମୁଖରେ ହିଁ ଅଭିଯୁକ୍ତକୁ କାବୁ କରିନେଇଥିଲା। ଅଭିଯୁକ୍ତ ଶ୍ରୀଓମ୍ ପୂର୍ବରୁ ମଧ୍ୟ ଏକାଧିକବାର ସମାନ ଢ଼ଙ୍ଗରେ ଚାଲାଣ କରିଥିବା ଅବକାରୀ ବିଭାଗ ସୂଚନାରୁ ପ୍ରକାଶ। ଆଜିର ଚଢ଼ଉବେଳେ ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍ ସବ୍ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ଏଏସ୍ଆଇ ସୁନୀତା କେର୍କେଟାଙ୍କ ସମେତ ସପନ କୁମାର ସାହୁ, ସୂର୍ଯ୍ୟକାନ୍ତ ସ୍ବାଇଁ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ନବୀନ ଭୂୟାଁ ପ୍ରମୁଖ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ, ଗଞ୍ଜେଇ ବେପାରୀ ଏବେ ନିଜର ଚୋରାଚାଲାଣ ପଥ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ କେବଳ ଟ୍ରେନ୍ରେ କୋରାପୁଟ ଅଞ୍ଚଳରୁ ଆଣୁଥିବାବେଳେ ଧରାପଡ଼ିଯିବାର ଆଶଙ୍କାକରି ରାତ୍ରିକାଳୀନ ବସ୍ରେ ଆଣୁଛନ୍ତି। ପରେ ରାଉରକେଲା ରେଳ ଷ୍ଟେସନରୁ ହିଁ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଚାଲାଣ କରୁଛନ୍ତି।