ଜୟପୁର: ଗତ ୨୦ତାରିଖ ଦିନ ଜୟପୁର ସଦର ଥାନା ପୁଲିସ ୩୯୭କିଲୋ ଗଂଜେଇ ଜବତ ସହ ୨ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା। ଏହି ମାମଲାରେ ପୁଲିସ ତଦନ୍ତ ବେଳେ ଏହି ମାମଲାର ମୁଖ୍ୟ ସହଯୋଗୀ ତଥା ଆନ୍ତଃରାଜ୍ୟ ଅପରାଧୀ ଦିଲ୍ଲୀପ ରାୟଙ୍କୁ ବିହାର ବେଗୁସରାଇ ଜିଲ୍ଲାର ଚୌରାଲୟାଟକ ଗାଁରୁ ଗିରଫ କରିଛି। ଗଂଜେଇ ମାମଲାରେ ପ୍ରଥମ କରି ଅନ୍ୟ ରାଜ୍ୟରୁ ଜଣେ ଅପରାଧିଙ୍କୁ ଗିରଫ କରି ଆଣିବା ଏହା ଜିଲ୍ଲାପୁଲିସ ପାଇଁ ପ୍ରଥମ ଘଟଣା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅଙ୍କିତ ବର୍ମା ଓ ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

Advertisment

ସୂଚନା ଅନୁସାରେ, ଗତ ୨୦ ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡିଙ୍କ ନିର୍ଦ୍ଦେଶରେ ସବଇନିସପେକ୍ଟର ପଂଚାନନ ଶତପଥୀ ଜାତୀୟ ରାଜପଥ ୨୬ରେ  ଅଂଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଗୋଟିଏ ଟ୍ରକ ନଂ ଏନଏଲ୍- ଓଏଚ-୨୩୫୨କୁ ଯାଂଚ କରିବାରେ ଏମାନଙ୍କ ନିକଟରେ ୧୬ଟି ପ୍ୟାକେଟରେ ଗଂଜେଇ ଥିବା ଦେଖିବାକୁ ମିଳିଥିଲା। ଜୟପୁର ସଦରଥାନା ପୁଲିସ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ଏହି ଗଂଜେଇ ଜବତ କରି ଓଜନ କରିବାରେ ୩୯୭କିଲୋ ହୋଇଥିଲା। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୩୯ଲକ୍ଷ ୭୦ହଜାର ଟଙ୍କା ହେବ ବୋଲି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ସୂଚନା ଦେଇଛନ୍ତି। ଟ୍ରକରେ ଥିବା ଗଂଜେଇ ସହ  ବାଇକ କୁ ଜବତ କରିବା ସହ ବିହାର ବେଗୁସରାଇ  ଜିଲ୍ଲା ବଚ୍ଛୱାରା ଥାନା ଅଂଚଳର ଅଭିମନ୍ୟୁ ରାୟ(୨୯), ଶୁଭଜିତ କୁମାର (୨୮)କୁ ଗିରଫ କୋର୍ଟକୁ ଚାଳାଣ କରାଯାଇଥିଲା।

ମାଲକାନଗିରୀ ଜିଲ୍ଲାର ଦୁର୍ଗମ ଗାଁରୁ ଗଂଜେଇକୁ ନବରଙ୍ଗପୁର ଦେଇ ବିହାରକୁ ଚାଳାଣ କରୁଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଥିଲେ। ତା ସହ ଏହି ମାମଲାର ଚାଳାଣର ମୁଖ୍ୟସହଯୋଗୀ, କିଙ୍ଗପିନ୍ ଆଦିକୁ ଖୋଜିବାକୁ କୋରାପୁଟ ଏସପି ଅଭିନବ ସୋନକର ସଦରଥାନା ଅଧିକାରୀ ଶ୍ରୀ ତାଣ୍ଡିଙ୍କୁ ‌ନିର୍ଦ୍ଦେଶ ଦେଇଥିଲେ। ଏସପି ଓ ଡିଆଇଜି ଚରଣ ସିଂ ମୀନା ବିହାରର ବେଗୁସରାଇ ଜିଲ୍ଲା ପୁଲିସ ଓ ବିଷନପୁର ଥାନା ସହ ଯୋଗାଯୋଗ କରିଥିଲେ।  ସଦରଥାନାର ସବଇନିସପେକ୍ଟର ଏସ ମହାପାତ୍ରଙ୍କୁ ନେଇ ଗୋଟିଏ ଟିମ୍ ଗଠନ କରି ମୁଖ୍ୟ ସହଯୋଗୀ ତଥା ଆନ୍ତଃରାଜ୍ୟ ଅପରାଧୀ ଦିଲ୍ଲୀପ ରାୟଙ୍କୁ ବିହାର ବେଗୁସରାଇ ଜିଲ୍ଲାର ଚୌରାଲୟାଟକ ଗାଁରୁ ଅଭିଯୁକ୍ତ ଦିଲ୍ଲୀପକୁ ଧରିଥିଲେ।

ବେଗୁସରାଇ ସିଜିଏମ୍ କୋର୍ଟରେ ଅଭିଯୁକ୍ତ ଦିଲ୍ଲୀପକୁ ହାଜର କରାଇ ରିମାଣ୍ଡରେ ଜୟପୁର ଆଣିଥିବା କହିଛନ୍ତି ଏସଡିପିଓ ଓ ସଦରଥାନା ଅଧିକାରୀ। ଅଭିଯୁକ୍ତ ଦିଲ୍ଲୀପ ଏଥି ପୂର୍ବରୁ ଓଡିଶା ଆସି ଗଂଜେଇ ଚାଳାଣ କରିଛି। ସେଭଳି ଅଭିଯୁକ୍ତ ଅଭିମନ୍ୟୁ ରାୟ ମଧ୍ୟ ଏଭଳି ଗଂଜେଇ ଚାଳାଣ କାରୀ। ଏମାନେ କଣ୍ଟେନରର ତଳ ଭାଗରେ ଗଂଜେଇ ନେବା ପାଇଁ ରୁମ ତିଆରି କରିଥିବା କହିଛନ୍ତି ଏସଡିପିଓ। ଅଭିଯୁକ୍ତ ଅଭିମନ୍ୟୁଓ ଦିଲ୍ଲୀପ ଦୁହେଁ ଦୁର୍ଦ୍ଦାନ୍ତ ଏବଂ ଦେଶର ବିଭିନ୍ନରାଜ୍ୟର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଏଭଳି ବିଭିନ୍ନ ଅପରାଧିକ ମାମଲା ରହିଥିବା ତଦନ୍ତବେଳେ ପୁଲିସ ଜାଣିପାରିଛି। ଆଜି ଅଭିଯୁକ୍ତ ଦିଲ୍ଲୀପକୁ କୋର୍ଟକୁ ଚାଳାଣ କରାଯାଇଥିବା ବେଳେ କୋର୍ଟ ବିଚାରବିଭାଗୀୟ ହାଜତ ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇ ଦେଇଥିବା କହିଛନ୍ତି ସଦରଥାନା ଅଧିକାରୀ। ତେବେ ମାମଲାର ତଦନ୍ତ ଜାରୀ ରହିଥିବା‌ ବେଳେ ଏହାର ମୂଳ କିଙ୍ଗପିନ୍ ଙ୍କୁ ଧରିବାକୁ ପ୍ରୟାସ ଜାରୀ ରହିଛି ବୋଲି କହିଛନ୍ତି ଏସଡିପିଓ।