ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗକୁ ମିଳିଛି ପୁଣି ସଫଳତା। ଅବକାରୀ ବିଭାଗ ୮କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ କୋରକୋଣ୍ଡା ଗ୍ରାମ ନିକଟରେ ଏକ ପଣସ ବୋଝେଇ ଵଲେରୋକୁ ଅଟକାଇ ଯାଞ୍ଚ କରୁଥିବା ବେଳେ ୮ କ୍ୱିଣ୍ଟାଲ ଗଂଜେଇ ଜବତ କରାଯାଇଛି। ଗଂଜେଇ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡ଼ିଛି। ଏଥିସହ ଵଲେରୋ ଗାଡିକୁ ମଧ୍ୟ ଜବତ କରାଯାଇଛି। ଆସନ୍ତାକାଲି ଏହାର ବିସ୍ତୃତ ବିବରଣୀ ଦିଆଯିବ ବୋଲି ଅବକାରୀ ବିଭାଗ ପ୍ରକାଶ କରିଛି।
ଗତକାଲି ରାତିରେ କୋରାପୁଟ ଜିଲ୍ଲା ପାଡୁଆ ପୁଲିସ ପକ୍ଷରୁ ଥାନା ନିକଟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଛକ ନିକଟରେ ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ ଯାନବାହନ ଯାଞ୍ଚ କରାଯାଉଥିଲା। ଯାନବାହନ ଯାଞ୍ଚ ସମୟରେ ପାଡୁଆ ପାର୍ଶ୍ବରୁ ଏକ ବାଲି ବୋଝେଇ ଟିପର (ଓଆର୧୮ସି-୨୬୧୬) ଆସୁଥିବା ଦେଖି ସନ୍ଦେହରେ ପୁଲିସ ଅଟକାଇ ଥିଲା। ଯାଞ୍ଚ କରିବା ସମୟରେ ଟିପରରେ ବାଲି ବୋଝେଇ ଥିବା ବେଳେ ଏଥିରେ ୪୩୨ କିଲୋ ଚୋରା ଗଞ୍ଜେଇ ଥିବା ଜଣା ପଡିଥିଲା। ଗଞ୍ଜେଇ ଥିବା ଜାଣି ପାରି ସଙ୍ଗେ ସଙ୍ଗେ ଟିପର ଜବତ କରାଯିବା ସହ ଲମତାପୁଟ ଅଞ୍ଚଳର ଡ୍ରାଇଭର ଚନ୍ଦ୍ର ପାଙ୍ଗିଙ୍କୁ ଗିରଫ କରି ଥାନାକୁ ଅଣାଯାଇଥିଲା।