କୋରାପୁଟ: କୋରାପୁଟ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଂଜେଇ ଚାଲାଣ କରିବାକୁ ଅଭିନବ ଉପାୟ ଖୋଜିଛନ୍ତି ଗଂଜେଇ ମାଫିଆ। ସିଧାସଳଖ ଗଂଜେଇ ନେବାବେଳେ ପୁଲିସ ଧରୁଥିବାରୁ ଗାଡିରେ ସିକ୍ରେଟ ଚ୍ୟାମ୍ପର କରୁଛନ୍ତି ମାଫିଆ। ଆଉ ଏପରି ଏକ ଗଂଜେଇ ଚାଲାଣକୁ ପଣ୍ଡ କରିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ପୁଲିସ। ପୁଲିସ ୧୪/୨୧ରେ ଏକ ମାମଲା ରୁଜୁ କରିଥିବାବେଳେ ଜିଲ୍ଲାର ପଟ୍ଟାଙ୍ଗୀ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ କୁସୁମା ଗାଁର ପାଡୁ ପାତ୍ର (୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲାର ସେମିଳିଗୁଡା ପୁଲିସ ଜାତୀୟ ରାଜପଥ-୨୬ରେ ଥିବା ଚିରାଗ ଢାବା ନିକଟସ୍ଥ ମିଲ୍ ଛକରେ ପାଟ୍ରୋଲିଂ କରୁଥିଲା। ଆଇଆଇସି ଧୀରେନ ବେହେରା ଓ ଏସଆଇ ପ୍ରଭାତ ଗୌଡ, ଏସଏସଆଇ ଶରତ ଚନ୍ଦ୍ର ବିଷୋୟୀ, ହାବିଲଦାର ମନ୍ଥନ କୁମାର ବାଗ ଓ କନେଷ୍ଟଳବଳ ଅରୁଣ ବେହେରା ରହିଥିଲାବେଳେ ପଟାଙ୍ଗୀପଟୁ ଏକ ବୋଲେରୋ (ଓଡି-୧୦-ଏଚ-୧୬୧୬)କୁ ଯାଉଥିଲାବେଳେ ସନ୍ଦେହ ହେବାରୁ ଅଟକାଯାଇଥିଲା। ସେଥିରେ ଗଞ୍ଜେଇ ରହିଥିବା ସନ୍ଦେହ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ବୋଲେରୋ ଗାଡିରେ ସିକ୍ରେଟ୍ ଚାମ୍ବରରେ ଯାଂଚ ବେଳେ ବୋଲେରୋ ଗାଡିର ଏକାଧିକ ଗୁପ୍ତ ଚାମ୍ବରରୁ ୮୭ଟି ବ୍ୟାଗ ଗଂଜେଇ ମିଳିଛି । ଅତି ଚତୁରତାର ସହ ଗଞ୍ଜେଇ ଗୁଡିକୁ ସଜା ହୋଇ ରଖାଯାଇଥିଲା । ୨୨୯ଟି ଗଞ୍ଜେଇ ବ୍ୟାଗ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ତେବେ ଏହି ଯୁବକ ଜଣକ କାହିଁକି ପଟ୍ଟାଙ୍ଗୀରୁ ଜୟପୁର ଆଡେ ଯାଉଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ। ଏଥିରେ ଆଉ କିଏ କିଏ ସାମିଲ ରହିଛନ୍ତି ତାହାର ତଦନ୍ତ ଆରମ୍ଭ କରିଥିବାବେଳେ ଆସନ୍ତା ଦିନରେ ବଡ ବଡ ମାଛ ଧରାପଡିବା ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/kpt-ganja-seazed-1.jpg)