୪ କୁଇଣ୍ଟାଲ ୮୦ କିଲୋ ଗଂଜେଇ ଓ ନଗଦ ୯ ଲକ୍ଷ ଟଙ୍କା ଜବତ, ୪ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ଗଂଜେଇ ମାଫିଆ ସକ୍ରିୟ

ବୀରମହାରାଜପୁର/ଉଲୁଣ୍ଡା: ସ୍ଥାନୀୟ ପୁଲିସର ସହାୟତାରେ ଏସଟିଏଫ ୪ କୁଇଣ୍ଟାଲ ୮୦ କିଲୋ ଗଂଜେଇ ଓ ନଗଦ ୯ ଲକ୍ଷ ୭୭ ହଜାର ୨୦୦ ଟଙ୍କା ଜବତ କରିବା ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥି ସହିତ ଏସଟିଏଫ ଗୋଟିଏ ଲେଖାଏଁ ପିକଅପ ଓ ହୋଣ୍ଡା ସିଟି କାରକୁ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁବଳୟା ଥାନା ଅନ୍ତର୍ଗତ କାଶଲପୁରାର ନାରାୟଣ ପାତ୍ର, ରେଢ଼ାଖୋଳ ଥାନା ଅନ୍ତର୍ଗତ କଦଳୀଗଡ଼ର ସଂଜୟ ମେଶୱା, ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗର ସୌରଭ କୁମାର ବାରିକ ଓ ମଧ୍ୟପ୍ରଦେଶର ଶୁଶିଲ ମିଶ୍ରା । ତେବେ ଗୋପାଳ ତାଣ୍ଡିଆ ନାମକ ଜଣେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଏସଟିଏଫ ସୂଚନା ଦେଇଛି ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ଅଂଚଳରୁ ଏକ ଟାଟା ପିକ-ଅପରେ ୪ କୁଇଣ୍ଟାଲ ୮୦ କିଲୋ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଏସଟିଏଫକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହାର ମୂଲ୍ୟ ଆନୁମାନିକ ୩୦ ଲକ୍ଷରୁ ଅଧିକ ହେବ । ଗଂଜେଇ ମାଫିଆମାନଙ୍କୁ ଧରିବା ପାଇଁ ଏସଟିଏଫର ୨ ଅଧିକାରୀ ଜଗନ୍ନାଥ ପ୍ରସାଦ ସାହୁ ଓ ଆଶିଶ କୁମାର ଜେନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ।

ଏସଟିଏଫର ଏହି ଟିମ ଅତର୍କିତ ଭାବେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତ ନାରାୟଣ ପାତ୍ର, ସଂଜୟ ମେଶୱା, ସୌରଭ କୁମାର ବାରିକ ଓ ଶୁଶିଲ ମିଶ୍ରାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଗୋପାଳ ତାଣ୍ଡିଆ ଫେରାର ଅଛି । ସୁବଳୟା ଥାନା ଅଧିକାରୀ କୁଶ କୁମାର ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବୀରମହାରାଜପୁର ଅଂଚଳରେ ଏତେ ପରିମାଣରେ ଗଂଜେଇ ଜବତ ହେବା ନୂଆ ଘଟଣା । ଗଂଜେଇ ମାଫିଆମାନେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ଗଂଜେଇ ଆଣି ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଂଚଳକୁ ଯୋଗାଉଥିବା ଚର୍ଚ୍ଚା ହେଉଛି । ଜଂଗଲ ରାସ୍ତାର ଫାଇଦା ନେଇ ଗଂଜେଇ ମାଫିଆମାନେ ସକ୍ରିୟ ହେଉଥିବାରୁ ପୁଲିସ ଏମାନଙ୍କୁ ଗିରଫ କରିବାରେ ବିଫଳ ହେଉଛି ।

ସମ୍ବନ୍ଧିତ ଖବର