୪ କୋଟି ୭୦ ଲକ୍ଷ ଟଙ୍କାର ଗଂଜେଇ ଗଛ ନଷ୍ଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗଂଜେଇ ଅମଳର ସମୟ ଆସିଛି। ଗଂଜେଇ ଚାଷ କରୁଥିବା ଲୋକେ ଗଂଜେଇ ଗଛରୁ ଗଂଜେଇ କାଢି ତାକୁ ଶୁଖାଇ ମାଫିଆମାନଙ୍କୁ ବିକ୍ରି କରିବେ। ଅମଳ ପୂର୍ବରୁ ଗଂଜେଇକୁ ମୂଳୋତ୍ପାଟନ କରିବା ପାଇଁ ପୁଲିସ ଓ ଅବକାରୀ ତତ୍ପରତା ଦେଖାଇଛନ୍ତି। ଗତ ଦୁଇ ଦିନରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଗଂଜେଇ ଗଛକୁ କାଟି ନଷ୍ଟ କରିବା ସହ ପୋଡି ଦିଆଯାଇଛି।

ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ବଡପଡା ଅଂଚଳରେ ପ୍ରଚୁର ପରିମାଣରେ ଗଂଜେଇ ଚାଷ କରାଯାଉଥିବା ଖବର ପାଇ ଚିତ୍ରକୋଣ୍ଡା ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବଡପଡା ଅଂଚଳର ୩୦ ଏକ ସରକାରୀ ଜମିରେ ଲଗାଯାଉଥିବା ୩୮ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ୮୦ ଲକ୍ଷ ଟଂକାର ହେବ ବୋଲି କୁହାଯାଇଛି।

ସେହିପରି କାଲିମେଳା ବ୍ଲକର ଅନ୍ତର୍ଗତ କୁରମାନୁର ପଞ୍ଚାୟତର ଗତିଗୁଡା ପାହାଡିଆ ଅଂଚଳରେ ପ୍ରାୟ ୭ ଏକ ଜମିରେ ଗଂଜେଇ ଗଛ ଲଗାଯାଇଥିବା ଖବର ପାଇବା ପରେ ପୁଲିସ ଏବଂ ଡିଭିଏଫ ଯବାନମାନେ ଚଢାଉ କରି ଗଂଜେଇ ଗଛକୁ ନଷ୍ଟ କରିଥିଲେ। ଏଠାରେ ପ୍ରାୟ ୯ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଥିବା ପୁଲିସ ସୂଚନା ଦେଇଛି। ତେବେ ଏହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଂକାର ହେବ ବୋଲି କୁହାଯାଇଛି। ଏହି ଚଢାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି। ଜିଲ୍ଲାର ଚିତ୍ରକୋଣ୍ଡା, କୋରକୋଣ୍ଡା, କାଲିମେଳା, ମାଲକାନଗିରି ଭଳି ବ୍ଲକର ଦୁର୍ଗମ ଅଂଚଳରେ ଜୋରସୋରରେ ଗଂଜେଇ ଚାଷ କରାଯାଉଥିବା ସୂଚନା ରହିଛି। ଆଗାମୀ ଦିନରେ ମଧ୍ୟ ଏହି ଚଢାଉ କରାଯାଇ ଗଂଜେଇ ଚାଷର ମୂଳପୋଛ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର