ଜୟପୁର: ଗଂଜେଇ ଚାଲାଣକାରୀ ମାନେ ପୁଲିସ ଆଖିରେ ଧୂଳି ଦେଇ ଗଂଜେଇ ଚାଲାଣ କରିବା ପାଇଁ ଅଭିନବ ଚିନ୍ତା କରୁଛନ୍ତି। କିଏ ପିଚୁ ବୋଝଇ ଟ୍ରକ ତ ଆଉ କିଏ ଅଦା, କାଜୁ ଡ଼ବା ଆଦିରେ ବି ଚାଳାଣ କରୁଛନ୍ତି ଗଂଜେଇ। ତେବେ ଠିକଣା ସମୟରେ ପୁଲିସକୁ ସୂଚନା ମିଳିବା ପରେ ଧରା ବି ପଡ଼ୁଛନ୍ତି। ଏପରି ଘଟଣାକ୍ରମରେ ବନ୍ଧାକୋବି ବୋଝେଇ ଏକ ଭ୍ୟାନ (ଏପି୩୧-ଟିଟି-୬୮୫୯)ରେ ୪୯୪କିଲୋ ଗଂଜେଇ ଲମତାପୁଟରୁ ଝାରଖଣ୍ଡର ରାଂଚି ନେଇ ଯାଉଥିବା ବେଳେ ଜୟପୁର ସଦର ପୁଲିସ ହାତରେ ଧରା ପଡ଼ିଛି।

Advertisment

ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଏ ନେଇ ସୂଚନା ପାଇ ସବଇନିସପେକ୍ଟର ଏନକେ ଟପ୍ପୋଙ୍କୁ ନେଇ ପାତ୍ରପୁଟ ବ୍ରିଜ୍ ନିକଟରେ ଅପେକ୍ଷା କରି ରହିଥିଲେ। ଭ୍ୟାନକୁ ଯାଂଚ କରି‌ବାରେ ଏଥିରେ ବନ୍ଧାକୋବି ବୋଝେଇ ହୋଇ ରହିଥିଲା। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁ ଗଂଜେଇ ବାହାର କରି ଓଜନ କରିଥିଲେ। ଜବତ ଗଂଜେଇ ୪୯୪ କିଲୋ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୫୦ଲକ୍ଷ ହେବ ବୋଲି ସଦରଥାନା ଅଧିକାରୀ କହିଛନ୍ତି।

publive-image

ଏହି ମାମଲାରେ ଝାରଖଣ୍ଡରାଜ୍ୟର ରାଂଚି ଜିଲ୍ଲାର ସୁକଦେବନଗର ଥାନା ଅଂଚଳର ନରେଶ କୁମାର ରାୟଙ୍କ ପୁଅ ଦିଲ୍ଲୀପ କୁମାର ରାୟ (୩୩) ଏବଂ ବିହାର ସମସ୍ତିପୁର ଜିଲ୍ଲାର ଉଦୟପୁର ଥାନାର ପାଇକପାଟିଲି ଗାଁର ରାମଚନ୍ଦ୍ର ପାଶୱାନଙ୍କ ପୁଅ ମନୋଜ ପାଶୱାନ (୪୦)ଙ୍କୁ ଗିରଫ କରାଯାଇଛି। ଚାଲାଣ କରାଯାଉଥିବା ଭ୍ୟାନକୁ ବି ଜବତ କରାଯିବା ସହ ଏମାନଙ୍କ ନିକଟରୁ ୧୫ହଜାର ଟଙ୍କା ଏବଂ ୧୦ବସ୍ତା ବନ୍ଧାକୋବି ଜବତ କରାଯାଇଛି।