ଅବକାରୀ ବିଭାଗ ଦ୍ବାରା ୨ ଅନ୍ତଃରାଜ୍ୟ ଗଂଜେଇ ଚାଳାଣକାରୀ ଗିରଫ, ୫୦ ହଜାର ଟଙ୍କାର ଗଂଜେଇ ଜବତ

ଜୟପୁର:  ଦିନକୁ ଦିନ ଜୟପୁର ଗଂଜେଇ ଚାଲାଣର ପ୍ରମୁଖ ଆଡ୍ଡା ପାଲଟିଛି। ଆଜି ଏହାର ପ୍ରମାଣ ବି ମିଳିଛି। ୨ଜଣ ଅନ୍ତଃରାଜ୍ୟ ଗଂଜେଇ ଚାଳାଣକାରୀଙ୍କୁ ପୃଥକ ପୃଥକ ଭାବେ ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଜୟପୁର ଅବକାରୀ ବିଭାଗ ପକ୍ଷରୁ ଧରାଯାଇଛି। ସେମାନଙ୍କ ନିକଟରୁ ପ୍ରାୟ୧୦କିଲୋ ୫୫୦ଗ୍ରାମର  ୫୦ହଜାର ଟଙ୍କାର ଗଂଜେଇ ବି ଜବତ ହୋଇଥିବା ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ବିଶ୍ବସ୍ତସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ ନିର୍ଦେଶରେ ଆଜି ସକାଳ ୬ଟା ବେଳେ ସ୍ଥାନୀୟ ଏଲଆଇସି ଅଫିସ ସମ୍ମୁଖରେ ସଂଦେହାସ୍ପଦ ଭାବେ ଠିଆ ହୋଇଥିବା ମଧ୍ୟପ୍ରଦେଶ ଅଂଚଳର ମହମ୍ମଦ ଅମିର ଖାନ୍ନ (୨୬)ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ଧରିଥିଲେ। ଯାଂଚ ବେଳେ ସେ ଧରିଥିବା ବ୍ୟାଗରୁ ୪କିଲୋ ୭୫୦ଗ୍ରାମ ଗଂଜେଇ  ଧରାପଡିଥିଲା।

ସେଭଳି ସକାଳ ୭ଟା ବେଳେ ନୂଆବସଷ୍ଟାଣ୍ଡ ପରିସରରେ ମଧ୍ୟପ୍ରଦେଶର କମଳ ବିଶ୍ବକର୍ମା  (୩୯)ବି ସଂଦେହ ଅବସ୍ଥାରେ ଗୋଟିଏ ବ୍ୟାଗ ଧରି ଏଣେ ତେଣେ ବୁଲୁଥିଲେ। ଜୟପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ତାଙ୍କୁ ଧରାଯାଇଥି‌ଲା। ସେ ଧରିଥିବା ବ୍ୟାଗ ଯାଂଚ କରିବାରେ ସେଥିରେ ୫.୫୦୦ଗ୍ରାମ ଗଂଜେଇ ମିଳିଥିଲା। ଏପରିକି ଉଭୟ ଅଭିଯୁକ୍ତ ଏଭଳି ବହୁବାର ଗଂଜେଇ ଚାଳାଣ କରୁଥିବା ଅବକାରୀ ବିଭାଗ ଯାଂଚ ବେଳେ ଜାଣିବାକୁ ପାଇଛି। ଏହି ଚଢ଼ାଉରେ ଇନିସପେକ୍ଟର ବିମ୍ବାଧର ପଣ୍ଡା, ସବଇନିସପେକ୍ଟର ସରୋଜ କୁମାର ପରିଡ଼ା, ପ୍ଲାଇଙ୍ଗ ସ୍କ୍ବାର୍ଡର ସବଇନିସପେକ୍ଟର ବିବେକାନନ୍ଦ ଫେରାଇ, ଏଏସଆଇ ଏମ୍ ଲକ୍ଷ୍ମଣ ରାଓ, ଅରୋପଲକ ଦାଶ, ମାଧଦେଶ ମରାଣ୍ଡି ପ୍ରମୁଖ ସଦଳବଳ ସହ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର