ଚୋରା ଗଂଜେଇ ବେପାରୀଙ୍କୁ ୧୦ ବର୍ଷ ଜେଲ୍

ସୁନ୍ଦରଗଡ଼: ଚୋରା ଗଂଜେଇ ବେପାର ଅଭିଯୁକ୍ତ ହେମଗିର ଥାନା ଟପରିଆ ଗାଁର କାର୍ତ୍ତିକ ପ୍ରଧାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଶୁଭଦର୍ଶୀ ପଟ୍ଟନାୟକ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅର୍ଥ ଅନାଦେୟରେ ୧ ବର୍ଷ ଅତିରିକ୍ତ ଜେଲ୍ ଭୋଗିବାକୁ ଆଦେଶ ହୋଇଛି। ୧୧ ଜଣଙ୍କ ସାକ୍ଷ୍ୟ ଓ ପୁଲିସର ଚୂଡ଼ାନ୍ତ ରିପୋର୍ଟ ଆଧାରରେ ଏହି ରାୟ ପ୍ରକାଶ ପାଇଛି। ଟପରିଆର କାର୍ତ୍ତିକ ଗଂଜେଇ କାରବାର କରୁଥିବା ଓ ଗଚ୍ଛିତ ରଖିଥିବା ସୂଚନା ରହିଥିଲା। ଏହି ସୂଚନା ଆଧାରରେ ଗତ ୨୦୧୮ ମେ ୨୭ରେ ସମ୍ବଲପୁରର ତତ୍କାଳୀନ ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବିଭାଗ ଅଧିକାରୀ ନରୋତ୍ତମ ମିଶ୍ରଙ୍କ ନେତୃତ୍ବରେ ଚଢ଼ଉ କରି କାର୍ତ୍ତିକଙ୍କ ଘରୁ ୨ କ୍ବିଣ୍ଟାଲ ୨୫ କେଜି ଗଂଜେଇ ଜବତ କରାଯାଇଥିଲା। ଏହା ସହ ତାକୁ ଗିରଫ କରି ସୁନ୍ଦରଗଡ଼ କୋର୍ଟକୁ ଚାଲାଣ କରାଯାଇଥିଲା। ମାମଲାକୁ ମୁଖ୍ୟ ସରକାରୀ ଆଇନଜୀବୀ ଅବଦୁଲ ସମିମ ଅଖତର ଓ ସୁନ୍ଦରଲାଲ ବେହେରା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର