ରାଉରକେଲା: ସ୍ମାର୍ଟସିଟି ଅର୍ଥକୁ ମିଳିମିଶି ଆତ୍ମସାତ୍ କରିବା ଅଭିଯୋଗ ଢ଼େର୍ ପୁରୁଣା। ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ପଷ୍ଟ ହେବ; ତେବେ ଯେଭଳି ଢ଼ଙ୍ଗରେ ପ୍ରକଳ୍ପଗୁଡ଼ିକର କ୍ରିୟାନ୍ବୟନ ହେଉଛି ସେଥିରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ୍। ଏବେ ପାନପୋଷ ଛକରୁ ଉଦିତନଗର ଏସ୍ପି କାର୍ଯ୍ୟାଳୟ ଏବଂ ଛେଣ୍ଡ୍ ଭିଏସଏସ୍ ମାର୍କେଟ୍ରୁ କଳିଙ୍ଗବିହାର ବିଏସ୍ଏନଏଲ୍ ଛକ ଯାଏଁ ଯେଭଳି ଦାମୀ ଗଛ ଲଗାଯାଇଛି; ସେଥିରେ ଘୋର୍ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୁଏ। ପାମ୍ ଗଛ କିଭଳି ସ୍ଥାନରେ ଲଗାଯାଏ? ଏହାର ସୁରକ୍ଷା ପାଇଁ କି କି ପଦକ୍ଷେପ ନିଆଯାଏ? ସେନେଇ ଟିକିନିଖି ଅଧ୍ୟୟନ ନ କରି କେବଳ ଗଛ ଲଗାଇବା ନାଁରେ ଗଛ ଲଗାଯିବା ପଛରେ କି ଉଦ୍ଦେଶ୍ୟ ଲୁଚି ରହିଛି, ତାହା ଏବେ ଚର୍ଚ୍ଚାର ଶିରୋଣାମା ପାଲଟିଛି। ସମ୍ପ୍ରତି ସ୍ମାର୍ଟ ସିଟି ପକ୍ଷରୁ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ହାତକୁ ନିଆଯାଉଛି। ବିଭିନ୍ନ ରାସ୍ତାର ବିକାଶଠାରୁ ଆରମ୍ଭକରି ଫୁଟ୍ପାଥ ନିର୍ମାଣ, ବୃକ୍ଷରୋପଣ କରାଯାଉଛି। ଏହି କ୍ରମରେ ପାନପୋଷ ଛକଠାରୁ ଉଦିତନଗର ଏସ୍ପି କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ, ପାଖାପାଖି ୩ ହଜାରଟି ଏରିକା ପାମ୍ ଗଛ ଲଗାଯାଇଥିଲା। ଗତ ଜୁଲାଇ ୧୬ ତାରିଖରେ ଏହି ଏରିକା ପାମ୍ ଗଛ ଲଗାଯାଇଥିଲା। ଯେହେତୁ ଏହି ଗଛ ୩ ବର୍ଷର, ଏଣୁ ଏହାର ଦାମ୍ ଆନୁମାନିକ ୮ ଶହ ଟଙ୍କା (ଏବେକାର ବଜାର ଦର) ହେବ।
ଅର୍ଥାତ୍ ପାଖାପାଖି ୩ ଶହ ଗଛ ପାଇଁ, ମୋଟ୍ ୨୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ତେବେ ଗଛ ଲଗାଇବାର ଦିନକ ପରେ, ଏହା ଭାଙ୍ଗି ପଡ଼ିବା ତଥା ଗାଈ ଖାଇଦେବାରୁ ଅଧିକାଂଶ ନଷ୍ଟ ହୋଇଯାଇଥିଲା। ଏନେଇ ‘ସମ୍ବାଦ’ରେ ପ୍ରକାଶିତ ହେବାପରେ ପରବର୍ତ୍ତୀ ସମୟରେ ପାଖାପାଖି ୭୦% ଗଛକୁ ଉପାଡ଼ି ଦିଆଯାଇଥିବାବେବେଳ ବାକି ଗଛ ଏବେ ବି ରାସ୍ତା ମଝିରେ ରହିଛି। ଏହାକୁ ଆଗାମୀ ଦିନରେ ଉପାଡ଼ିବେ ନା ନାହିଁ ତାହା ଅସ୍ପଷ୍ଟ। ତେବେ ଏହାଦ୍ବାରା ଯେ ରାଜକୋଷର ପାଖାପାଖି ୨୪ ଲକ୍ଷ ଯେ ନଷ୍ଟ ହୋଇସାରିଲାଣି, ତାହା ସ୍ପଷ୍ଟ। ସମାନ ଧରଣରେ ବର୍ତ୍ତମାନ ଭିଏସ୍ଏସ୍ ମାର୍କେଟ୍-କଳିଙ୍ଗବିହାର ବିଏସଏନଏଲ ଛକ ପର୍ଯ୍ୟନ୍ତ ପ୍ରାୟ ୮ କୋଟି ଅନୁଦାନରେ ରାସ୍ତା ନିର୍ମାଣ, ଫୁଟପାଥ୍, ରାସ୍ତା ମଝିରେ ଗଛ ଲଗାଯିବା ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ ପ୍ରକ୍ରିୟା ଜାରି ରହିଛି। ଏଠାରେ ମଧ୍ୟ ସମାନ ଏରିକା ପାମ୍ ଗଛ ଲଗାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଏହି ଭାଙ୍ଗିପଡ଼ିବା, ଝାଉଁଳିଯାଇଥିବା ଦେଖିବାକୁ ମିଳୁଛି। ସୌନ୍ଦର୍ଯ୍ୟକରଣ ପାଇଁ ଦାମୀ ଗଛ ଲଗାଇବା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ସମସ୍ତ ପ୍ରକ୍ରିୟାର କାର୍ଯ୍ୟକାରୀତା ଓ ଏକାଧିକ ଦିଗକୁ ତର୍ଜମା କଲେ ଏଥିରେ ପାରଦର୍ଶୀତାର ଅଭାବ ଥିବାରୁ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍। ବାସ୍ତବରେ, ଏରିକା ପାମ୍ ଗଛ ମୁଖ୍ୟତଃ ଘରେ ହିଁ ଲଗାଯାଇଥାଏ। କାରଣ ଏହି ଜାତୀୟ ଗଛ ପାଇଁ ନିୟମିତ ଛାଇ ଦରକାର। କୌଣସି ବି ପରିସ୍ଥିରେ ଏହି ଗଛ ଉପରେ ସୂର୍ଯ୍ୟକିରଣ ପଡ଼ିବା କଥା ନୁହେଁ। ଧୂଳିଧୂଆଁ ମୁକ୍ତ ଅଞ୍ଚଳରେ ଏହାକୁ ଲଗାଯାଇଥାଏ। ଏହି ଗଛର ବାହ୍ୟ ଅବରଣ କଅଁଳ ଥିବାରୁ ଏହାକୁ ସହଜରେ ଗାଈଗୋରୁ, ଛେଳି ଆଦି ଜାତୀୟ ପଶୁ ଅନାୟାସରେ ଖାଇଦେଇଥାନ୍ତି। ଏତଦ୍ବ୍ୟତୀତ ଏହି ଗଛର ଉଚ୍ଚତା ପାଖାପାଖି ୭/୮ ଫୁଟ ଭିତରେ ରହୁଥିବାସହ ଡାଳ ଗୁଡ଼ିକ ମେଲିଯାଇଥାଏ; ଯଦ୍ବାରା ଯିବାଆସିବାରେ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେବାସହ ଦୁର୍ଘଟଣାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏସବୁ କାରଣରୁ ଏହି ଗଛ ରାସ୍ତା ମଝିରେ ଲଗାଇବା ଅଯୌକ୍ତିକ। ଉଲ୍ଲେଖଯୋଗ୍ୟ, ରାସ୍ତା ମଝିରେ ଗଛ ଲଗାଇବାର ସ୍ବତନ୍ତ୍ର ମାନଦଣ୍ଡ ରହିଛି। ବିଶେଷକରି ରାସ୍ତା ମଝିରେ ଶୁଷ୍କ ସହନଶୀଳ ବିଶିଷ୍ଟ ଗଛ ଲଗାଯାଇଥାଏ।
ଏହାଦ୍ବାରା ନିୟମିତ ପାଣି ସିଞ୍ଚନର ଆବଶ୍ୟକତା ପଡ଼ିନଥାଏ। ଏହାସହ ରାସ୍ତା ମଝିରେ ଶକ୍ତ ବାହ୍ୟ ଆବରଣ ଜାତୀୟ, ସେପ୍ ନିର୍ଗତ ହେଉଥିବା ଗଛ ଲଗାଯାଇଥାଏ। ତେବେ ଏସବୁ ଦିଗକୁ ଧ୍ୟାନ ନ ଦେଇ ଏରିକା ପାମ୍ ଲଗାଇ ତହବିଲରୁ ସିଧାସଳଖ ୨୪ ଲକ୍ଷ ଅପବ୍ୟୟ କରିବା ପଛରେ ଭିନ୍ନ ଉଦ୍ଦେଶ୍ୟ ଲୁଚି ରହିଥିବା ଅଭିଯୋଗକୁ ଏଡ଼ାଇ ଦିଆଯାଇନପାରେ। ଅବଶ୍ୟ, ବୃକ୍ଷରୋପଣ କରିଥିବା ଠିକାସଂସ୍ଥା ‘ଗ୍ରୀନ ବ୍ଲୋ’ର ବିଲ୍ ମଞ୍ଜୁର ହେବନି ଓ ଠିକାଦାର ପୁନର୍ବାର ନୂଆ ଗଛ ଲଗାଇବେବୋଲି ସ୍ମାର୍ଟସିଟି ପକ୍ଷରୁ କୁହାଯାଇଛି। ଏଠାରେ ପ୍ରଶ୍ନ ଉଠେ, ଠିକାଦାର କ’ଣ ନିଜସ୍ବ ଅର୍ଥ ବ୍ୟୟ କରି ପୁନର୍ବାର ବୃକ୍ଷରୋପଣ କରିବେ? ପ୍ରକଳ୍ପର ପ୍ରକୃତ ବ୍ୟୟଅଟକଳକୁ ବୃଦ୍ଧି କରି ଠିକାଦାରଙ୍କୁ ଉପକୃତ କରାଯିବନି ତ? ଟେଣ୍ଡର ପ୍ରକ୍ରିୟାବେଳେ ନିର୍ଦ୍ଦିଷ୍ଟ କେଉଁ ଗଛ ଲାଗିବ ସେନେଇ ସ୍ଥିରିକୃତ କରାଯାଇଥିଲା କି? ରାସ୍ତା ମଝି/କଡ଼ ପାଇଁ ‘ଫକ୍ସଟେଲ ପାମ୍’ ହିଁ ସର୍ବୋତ୍କୃଷ୍ଟ ଓ ଏହାର ଦାମ ପାଖାପାଖି ୨୫୦୦/୩୦୦୦ ଟଙ୍କା(୩ ବର୍ଷ ପୁରୁଣା ଗଛ) ରହିଛି। ଏହି ଫକ୍ସଟେଲ ପାମ୍ ବଦଳରେ ଅପେକ୍ଷାକୃତ କମ୍ ଦର ଓ କ୍ଷଣସ୍ଥାୟୀ ‘ଏରିକା ପାମ୍’ ଲଗାଇ ଅର୍ଥ ଚଳୁ ପାଇଁ ଉଦ୍ୟମ କରାଯାଇନି ତ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଥିବାବେଳେ ବିଭାଗୀୟ ଅଧିକାରୀ କିନ୍ତୁ କିଛି କହିବାକୁ ମନା କରିଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଠିକା ସଂସ୍ଥା ‘ଗ୍ରୀନ ବ୍ଲୋ’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ନା ଭିତିରିଆ ଆପୋଷ ବୁଝାମଣାରେ ଘଣ୍ଟ ଘୋଡ଼ାଯିବ।