ପାଟଣାଗଡ଼: ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ପାଟଣାଗଡ଼ସ୍ଥିତ ବାସଭବନ ତଥା ରାଜଖମାର ସମ୍ମୁଖରେ କିଛି ଶ୍ରମିକ ଓ ଠିକାଦାର ବକେୟା ଟଙ୍କା ପ୍ରଦାନ ଦାବିରେ ଅନଶନ ଓ ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି। ସେମାନେ ଅଭିଯୋଗ କରିଛନ୍ତି ଯେ ସାଂସଦ ଶ୍ରୀମତୀ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଭୁବନେଶ୍ୱର ରାଜଭବନ ନିକଟସ୍ଥ ବାସଭବନରେ ସେମାନେ ବିଭିନ୍ନ କାର୍ଯ୍ୟ କରିଥିଲେ। ସେହି କାର୍ଯ୍ୟ ବାବଦକୁ ୧୫ ଲକ୍ଷରୁ ଅଧିକ ଟଙ୍କା ସେମାନେ ପାଇବାର ଅଛି। କିନ୍ତୁ ଏହି ବକେୟା ଟଙ୍କା ନ ଦେଇ ସିଂହଦେଓ ଦମ୍ପତି କେବଳ ଦିନ ଗଡାଇ ଚାଲିବା ସହ ସେମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଛନ୍ତି। ତେଣୁ ଟଙ୍କା ନ ମିଳିବା ପର୍ଯ୍ୟନ୍ତ ସେମାନେ ଏଠାରେ ଅନଶନରେ ବସିବେ ବୋଲି କାମ କରିଥିବା ଠିକାଦାର ଓ ଶ୍ରମିକ କହିଛନ୍ତି।
ଅନଶନକାରୀ ଭୁବନେଶ୍ୱର ଗାନ୍ଧୀବସ୍ତିର ୧୦ ନମ୍ବର ମାର୍କେଟର ଜମ୍ବେଶ୍ବର ବିଶ୍ବାଳ କହିଛନ୍ତି ଯେ ସାଂସଦ ଶ୍ରୀମତୀ ସିଂହଦେଓଙ୍କ ଘରେ ୨୦୦୯-୧୦ ମସିହାରେ ସେ କାଠ ଓ ପଲିସ କାମ କରିବା ପାଇଁ ଠିକା ନେଇଥିଲେ। ଠିକାରେ ଶ୍ରମିକ ଆଣିବା ସହ କିଛି କାଠ ଜିନିଷ ମଧ୍ୟ କିଣିଥିଲେ। ଏହି କାମ ବାବଦକୁ ତାଙ୍କର ୧୫ ଲକ୍ଷ ୩୭ ହଜାର ୩୦୦ ଟଙ୍କା ପାଇବାର ଅଛି। କିନ୍ତୁ କାମ କରିସାରିବା ପରେ ଏବେ ସେହି ଘର ଫାଟକ ତାଙ୍କ ପାଇଁ ବନ୍ଦ ହୋଇଯାଇଛି। ଟଙ୍କା ପାଇଁ ସେ ସେଠାକୁ ବାରମ୍ବାର ଯାଇଥିଲେ ମଧ୍ୟ ସାଂସଦ କି ତାଙ୍କ ସ୍ବାମୀଙ୍କୁ ଭେଟି ପାରି ନ ଥିଲେ। ଗେଟ୍ରେ ଥିବା କର୍ମଚାରୀ ମାଡାମ୍ କି ସାର୍ କେହି ନାହାନ୍ତି ବୋଲି କେତେବେଳେ କହୁଥିବା ବେଳେ କେତେବେଳେ ସେମାନେ ମିଟିଙ୍ଗରେ ବ୍ୟସ୍ତ ଥିବା କହୁଥିଲେ। ସେମାନଙ୍କ ସହ ଭେଟ କରାଇ ଦେଉନଥିଲେ।
ଥରେ ସେ ଶ୍ରୀ ସିଂହଦେଓଙ୍କୁ ଭେଟିବାର ସୁଯୋଗ ପାଇଥିଲେ ମଧ୍ୟ ଟଙ୍କା ବଦଳରେ ଦୁର୍ବ୍ୟବହାର ପାଇଥିଲେ। ତାଙ୍କୁ ଅତି ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଆଉ ଏଠାକୁ ନ ଆସିବାକୁ କହି ଧକ୍କା ମାରି ଗେଟ ବାହାରକୁ ତଡ଼ି ଦେଇଥିଲେ ବୋଲି ଜମ୍ବେଶ୍ବର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବିଭିନ୍ନ ସ୍ଥାନରୁ କାରିଗର ଓ ଏକ ମହିଳା ସଂଗଠନକୁ ଲଗାଇ ସେ କାମ କରିଥିଲେ। ସେମାନେ ସେବେଠାରୁ ତାଙ୍କୁ ଟଙ୍କା ମାଗି ନୟାନ୍ତ କରି ଦେଲେଣି। ନିଜ ପାଖରେ ଏତେ ଟଙ୍କା ନ ଥିବାରୁ ଜମ୍ବେଶ୍ବର ସେମାନଙ୍କ ଠାରୁ ବଞ୍ଚିବା ଲାଗି ନିଜ ଘର ଛାଡି ଅନ୍ୟତ୍ର ଲୁଚି ରହୁଛନ୍ତି। ତେଣୁ ସେ ଟଙ୍କା ପାଇଁ ପାଟଣାଗଡ଼ସ୍ଥିତ ଘର ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିବା ଜମ୍ବେଶ୍ବର କହିଛନ୍ତି।
ଏ ସମ୍ପର୍କରେ ଜମ୍ବେଶ୍ବର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପେଟ୍ରୋଲିୟମ୍ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଡିଜିପି, ପୁଲିସ ଆଇଜି, ବଲାଙ୍ଗୀର ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ପାଟଣାଗଡ଼ ଉପଜିଲ୍ଲାପାଳ, ଏସ୍ଡିପିଓ ଏବଂ ଥାନାଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ତେବେ ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପଚାରିବାରୁ ସେ, ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଭୁବନେଶ୍ବରରେ ତାଙ୍କ ଘର ୨୦୧୩ରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୦୧୩ରେ ସେମାନେ ଗୃହପ୍ରବେଶ କରିଛନ୍ତି। ସେହି ଘରେ କେବଳ ଗ୍ରାଉଣ୍ଡ୍ ଫ୍ଲୋର ଏବଂ ଫାଷ୍ଟ୍ ଫ୍ଲୋର୍ ରହିଛି। ଘରେ ଦ୍ବିତୀୟ ଓ ତୃତୀୟ ମହଲା ନଥିବାରୁ ସେମାନେ କେଉଁଠି କାମ କଲେ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ଏଥିସହ ତାଙ୍କ ଘର କାମ ସମୟରେ ରାଜସ୍ଥାନରୁ କାରିଗର ଓ ମିସ୍ତ୍ରି ଆସିଥିଲେ। ଏମାନେ କାମ କରି ନାହାନ୍ତି, ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ବର୍ତ୍ତମାନ ପାଟଣାଗଡ଼ ଯୋଗିମୁଣ୍ଡାରେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ଉପନିର୍ବାଚନ ଥିବାରୁ ଆମ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରାଯିବା ପାଇଁ ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି। ତେବେ ଏ ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।