ଅନାବାଦୀ ଜମିରେ ଉଦ୍ୟାନ କରିଥିଲେ ଗରିବ, ସଡ଼କ ପାଇଁ ଉଜାଡ଼ିଦେଲେ ଠିକାଦାର! 

ଖୋର୍ଦ୍ଧା: ୫୦ ବର୍ଷ ପୂର୍ବେ ଏକ ଗରିବ ଚାଷୀ ପରିବାରକୁ ତତ୍କାଳୀନ ସରକାର କାଜୁ, ଆମ୍ବ ଆଦି ଗଛ ଲଗାଇ ପେଟ ପୋଷିବା ପାଇଁ ସରକାରୀ ଅନାବାଦି ଜମି ଦେଇଥିଲେ । ବର୍ତମାନ ଏହି ଉଦ୍ୟାନକୁ ଉଜାଡ଼ି ସଡ଼କ ନିର୍ମାଣ ପାଇଁ ନିୟୋଜିତ ସଂସ୍ଥା ମୋରମ ଖୋଳି ନେଉଛି । ଫଳରେ ପରିବାର ଉପାର୍ଜନର ପନ୍ଥା ବନ୍ଦ ହୋଇଯାଇଛି । ଏନେଇ ପରିବାରର ସଦସ୍ୟମାନେ ଜିଲ୍ଳାପାଳଙ୍କ ନିକଟରେ ବିକଳ୍ପ ରୋଜଗାରର ପନ୍ଥା ପାଇଁ ଅନୁରୋଧ କରିଛନ୍ତି ।

ଆଜି କେଳୁଚରଣ ବଡ଼ଜେନା (୮୦) ନିଜର ପରିବାର ସଦସ୍ୟଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ତାଙ୍କ କହିବା କଥା ହେଲା ମଳିପଡ଼ା ମୌଜାର ପ୍ଲଟ ନଂ ୧୩୪୨ରେ ଏକ ବଗାୟତ ଜମି ଥିଲା । ନିକଟରେ ଥିବା ସରକାରୀ ଅନାବାଦି ଜମିକୁ ୫୦ ବର୍ଷ ପୂର୍ବେ ତାଙ୍କର ବାପା କେଦାର ବଡ଼ଜେନାଙ୍କୁ ତତ୍କାଳୀନ ପ୍ରଶାସନ ଆମ୍ବ, ପଣଷ, କାଜୁ ଆଦି ଲଗାଇ ଜୀବିକା ଉପାର୍ଜନ କରିବାକୁ ଅନୁମତି ଦେଇଥିଲା । ବର୍ତମାନ ତାଙ୍କ ପରିବାର ୮ଟି ଘର ହୋଇଛନ୍ତ. ୮ଟି ପରିବାରର ୨୦ରୁ ଉଦ୍ଧ୍ୱର୍ ସଦସ୍ୟ ସେହି ଜମିରେ ପରିଶ୍ରମ କରି ସୃଷ୍ଟି କରିଥିବା ଉଦ୍ୟାନକୁ ନେଇ ନିଜର ଉପାର୍ଜନ କରୁଛନ୍ତି । କିନ୍ତୁ ଗତ କିଛି ଦିନ ଧରି ରାଜପଥ ନିର୍ମାଣରେ ନିୟୋଜିତ ଥିବା ନିର୍ମାଣ ସଂସ୍ଥା ତାଙ୍କ ଉଦ୍ୟାନକୁ କାଟି ସେଠାରୁ ମୋରମ ଉଠାଇ ନେଉଛନ୍ତି ।

ବଡ଼ଜେନାଙ୍କ କହିବା କଥା ହେଲା, ଯଦି ପ୍ରଶାସନ ସମ୍ପୃକ୍ତ ସଂସ୍ଥାକୁ ମୋରମ ଖୋଳିବାକୁ ଅନୁମତି ଦେଇଛନ୍ତି ତେବେ ତାଙ୍କୁ ଜଣାଇବା କଥା ଥିଲା । ଯଦି ଅନୁମତି ଦେଇଛନ୍ତି ତେବେ ସେ ଦୀର୍ଘ ବର୍ଷ ଧରି ପରିଶ୍ରମ କରି ଯେଉଁ ଅପନ୍ତରା ଜମିରେ ଉଦ୍ୟାନ କରିଥିଲେ ତା’ର କ୍ଷତିପୂରଣ ଦେବା କଥା । ଜିଲ୍ଲାପାଳ ତାଙ୍କର ସମସ୍ୟାକୁ ଗୁରୁତର ସହ ଗ୍ରହଣ କରି ଜୀବିକା ଉପାର୍ଜନର ବିକଳ୍ପ ପନ୍ଥା ପ୍ରଦାନ କରନ୍ତୁ, ନଚେତ କ୍ଷତିପୂରଣର ବ୍ୟବସ୍ଥା କରନ୍ତୁ ।

ସମ୍ବନ୍ଧିତ ଖବର