କୋଇଡା (ସୁନ୍ଦରଗଡ଼): ଖଣି ରାଜଧାନୀ କୋଇଡାର ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୮ କିମି ଦୂରରେ ରହିଛି ଡେଙ୍ଗୁଳା ପଞ୍ଚାୟତର ତିନ୍ତୋ ଗାଁ। ପ୍ରକୃତିର ଗନ୍ତାଘର ଭିତରେ ସୁନ୍ଦର ଗାଁ, ଗାଁ ଚାରିପଟେ ସବୁଜ ଜଙ୍ଗଲ, ଚିରସ୍ରୋତା ଝରଣା ଓ ଛୋଟିଆ ନାଳଟିଏ ମଧ୍ୟ। ହେଲେ ଏ ଗାଁର ଲୋକଙ୍କର ଆର୍ଥିକ ସ୍ଥିତି ଏତେସବୁ ପ୍ରାକୃତିକ ସୌନ୍ଦର୍ଯ୍ୟର ବିପରୀତ। ପାହାଡ଼ି ଭୂଇଁରେ ଆଦୌ ଚାଷ ହୁଏନାହିଁ। ବାଡ଼ି ପନିପରିବା ନିଜକୁ ନଅଣ୍ଟ। ଗାଁର କିଛି ଲୋକ ପାଖ ଖଣିରେ ମଜୁରି ଲାଗନ୍ତି। ରୋଜଗାରର ଆଉ କିଛି ପନ୍ଥା ନାହିଁ। ବ୍ଲକ୍ କାର୍ଯ୍ୟାଳୟଠୁ ଗାଁର ଦୂରତା ୮ କିମି, ମାତ୍ର ପଞ୍ଚାୟତ କାର୍ଯ୍ୟାଳୟ ୧୨ କିମି ଦୂର। ତେଣୁ ରାସନ ଚାଉଳ ପାଇଁ ଲୋକେ ପାହାଡ଼ି ରାସ୍ତାରେ ୧୨ କିମି ଯିବାକୁ ବାଧ୍ୟ। ଗାଁର ପ୍ରାୟ ସବୁ ଘର ଝାଟିମାଟିର। ୨୦୧୯-୨୦ ବର୍ଷରେ ପ୍ରାୟ ୩୫ ପରିବାର ରହୁଥିବା ଏ ଗାଁର ପ୍ରାୟ ୧୦ ପରିବାରକୁ କାଗଜପତ୍ରରେ ସରକାରୀ ଆବାସ ପ୍ରଦାନ କରାଯାଇଛି। ହେଲେ ବ୍ଲକ୍ କାର୍ଯ୍ୟାଳୟରୁ ମାତ୍ର ୮ କିମି ଦୂରରେ ଥିଲେ ମଧ୍ୟ ଏ ଗରିବ ଆଦିବାସୀଙ୍କୁ ଠକି ଠିକାଦାର ସମସ୍ତ ଟଙ୍କା ନେଇ ଯାଇଛି, କିନ୍ତୁ ଘର ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ନା ଘରେ କବାଟ ଝରକା ଲାଗିଛି, ନା ପ୍ଲାଷ୍ଟର ହୋଇଛି। ଘର ଛାତର ରଡ୍ ବାହାରକୁ ଦେଖାଯିବା ସହ ବର୍ଷା ହେଲେ ଛାତରୁ ଅହରହ ପାଣି ଗଡୁଛି। କାନ୍ଥ ଫାଟି ଆଁ କଲାଣି। ତେଣୁ ସରକାରୀ ଆବାସକୁ ନଯାଇ ଲୋକେ ପୁଣି ଝାଟିମାଟି ଘରେ ହିଁ ରହୁଛନ୍ତି। ସରକାରୀ ଆବାସଗୁଡ଼ିକ ଅଧାଗଢ଼ା ହୋଇ ପଡ଼ି ରହିଛି। ଆବାସ ପାଇଥିବା ସେଭଳି ଜଣେ ବିଧବା ମହିଳା ବିମଳା ନାଏକ କହନ୍ତି, ‘‘ମୁଁ ଝିଅ ସହ ଝାଟିମାଟି ଘରେ ରହୁଥିଲି। ସରକାରଙ୍କ ତରଫରୁ ପକ୍କା ଘର ତିଆରି ହେଉଛି ଜାଣି ଖୁସି ହେଇଥିଲି। ହେଲେ ତିଆରି ନସରୁଣୁ ଘର ଚାରି ପଟୁ ଫାଟିଗଲା, ଛାତ ଛାଡି ଦେଲା, କବାଟ ଝରକା ବି ଲାଗିଲାନି। ଗତ ଲଗାଣ ବର୍ଷାରେ ଆମ ମାଟି ଘର ଭୁଶୁଡି ପଡିଲା, ଆମେ ବେଘର ହେଇଗଲୁ ସିନା ସେ ସରକାରୀ ନୂଆ ପକ୍କା ଘରକୁ ଗଲୁନି। କାରଣ ସେଠି ବେଶୀ ପାଣି ପଡୁଥିଲା। ସେ ଘରେ ରହିବାକୁ ଡ଼ର ଲାଗିଲା।’’ ସମାନ କଥା କହନ୍ତି ଗାଁର ଆହୁରି ଅନେକ ପୁରୁଷ ଓ ମହିଳା।
ଆଦିବାସୀ ଅଞ୍ଚଳରେ ସରକାରୀ ଯୋଜନାଗୁଡ଼ିକ କିପରି ସାଧାରଣ ଲୋକଙ୍କ ଅପେକ୍ଷା ଠିକାଦାର ଓ ଠିକାଦାରଙ୍କୁ ସମର୍ଥନ କରୁଥିବା ସରକାରୀ ଅଧିକାରୀମାନଙ୍କ ସ୍ବାର୍ଥରେ ପରିଚାଳିତ ହେଉଛି, ତିନ୍ତୋର ସରକାରୀ ଆବାସ ଏହାର ଏକ ଉଦାହରଣ। ଉଚ୍ଚ କର୍ତ୍ତୃପକ୍ଷ ଆନ୍ତରିକତାର ସହିତ ଏହାର ସାମାଧାନ କରିବେ ବୋଲି ଆଶା କରାଯାଉ!
ଗାଁ ଯାକର ଘର ଅଧାରେ ଛାଡ଼ି ଠିକାଦାର ଟଙ୍କା ଉଠାଇ ଛୁ
ଗାଁର ସବୁ ସରକାରୀ ଆବାସ ଫାଙ୍କା, ଲୋକେ ରହୁଛନ୍ତି ନିଜ ଝାଟିମାଟି ଘରେ