କୋରାପୁଟ ଜିଲ୍ଲା ପ୍ରଶାସନକୁ ଘେରିଲେ ଠିକା ଏଏନଏମ ଓ ଷ୍ଟାଫ ନର୍ସ

କୋରାପୁଟ: କୋଭିଡ ପରିଚାଳନା ପାଇଁ ଠିକା ଭାବେ ନିଯୁକ୍ତ ପାଇଥିବା ଏଏନଏମ ଓ ଷ୍ଟାଫ ନର୍ସମାନେ ପୁନଃ ଥଇଥାନ ଦାବିରେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି। ସେମାନଙ୍କୁ ଛଟେଇ କରାଯିବା ପ୍ରତିବାଦରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି।

ଜିଲ୍ଲାରେ ୨୨୦ ପଂଚାୟତରେ କୋଭିଡ କେୟାର ହୋମ ସ୍ଥାପନ କରାଯାଇଥିଲା। ଏହାର ପତିଚାଳନା ନିମନ୍ତେ ଗତ ଅଗଷ୍ଟ ୧୮ ତାରିଖରେ ୨୨୦ ଜଣ ଏଏନଏମ ଓ ଷ୍ଟାଫ ନର୍ସମାନେ ନିଯୁକ୍ତି ପାଇଥିଲେ। ଗତ ୧୫ ତାରିଖରେ ସେମାନଙ୍କୁ ଛଟେଇ କରାଯାଇଥିବାରୁ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ନିଖିଳ ଓଡିଶା ଅଣ ନିଯୁକ୍ତି ତାଲିମ ପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ବ୍ୟାନରରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ପରେ ସେମାନେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଭେଟି ଛଟେଇର ପ୍ରତିବାଦ କରିଥିଲେ। ୩ ମାସ ପାଇଁ ନିଯୁକ୍ତି ମିଳିଥିଲାବେଳେ ୧୨ ଘଣ୍ଟା ନୋଟିସରେ କ’ଣ ପାଇଁ ଛଟେଇ କରାଗଲା ବୋଲି କହିବା ସହ ପୁନଃ ଥଇଥାନ ପାଇଁ ଦାବି କରିଥିଲେ। ପୁନଃ ଥଇଥାନର ଲିଖିତ ପ୍ରତିଶୃତି ପାଇଁ ସେମାନେ ଅଡି ବସିଥିଲେ।  ପରେ କୋରାପୁଟ ତହସିଲଦାର ରଂଜନ ମାନସେଠ ଘଟଣାସ୍ଥଳକୁ ଆସି ଧାରଣା ଦେଇଥିବା ସ୍ବାସ୍ଥ୍ୟକର୍ମୀ ଲକ୍ଷ୍ମିରାଣୀ ମଣ୍ତଳ, ଶୁଭ୍ରଶ୍ରୀ ସୈାଭାଗିନୀ ବେହେରା, ସ୍ମିତା ପାତ୍ର  ଓ ଅନ୍ୟମାନଙ୍କ ଆଲୋଚନା କରିଥିଲେ। କିନ୍ତୁ କିଛି ସୁଫଳ ମିଳି ନ ଥିବାରୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଆଜି ଆଲୋଚନା କରିଥିଲେ। ଏହା ରାଜ୍ୟ ସରକାରଙ୍କ ନିଷ୍ପତି ଓ ଜିଲ୍ଲା ପ୍ରଶାସନ କେବଳ ଏହି ଦାବିପତ୍ର ସ୍ବାସ୍ଥ୍ୟବିଭାଗକୁ ପଠେଇ ପାରିବ ବୋଲି ସେ ପ୍ରକାଶ କରିଥିଲେ।

ସ୍ବାସ୍ଥ୍ୟକର୍ମୀମାନେ ନିଜ ଜିଦରେ ଅଟଳ ରହି ଜିଲ୍ଲାର ଯେ କୌଣସି ସ୍ଥାନରେ ଥଇଥାନ କରିବାକୁ ଦାବି କରିଥିଲେ। ପରେ ସିଡିଏମଓ ଡାକ୍ତର ମକରନ୍ଦ ବେଉରା ସେମାନଙ୍କ ସହ ଆଲୋଚନା କରି ଏହା ସରରକାରଙ୍କ ନିଷ୍ପତ୍ତି ବୋଲି ଶୁଣାଇ ଦେଇଥିଲେ। କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ପଦବୀ ଖାଲି ହେଲେ ପର୍ଯ୍ୟାୟକ୍ରମେ ଆପଣମାନଙ୍କୁ ନିଯୁକ୍ତ ଦେବା ନିମନ୍ତେ  ଚେଷ୍ଟା କରାଯିବ ବୋଲି ସେ ପ୍ରକାଶ କରିଥିଲେ। କିନ୍ତୁ ସେମାନେ ଲିଖିତ ପ୍ରତିଶୃତି ମାଗିଥିଲେ। ଲିଖିତ ପ୍ରତିଶୃତି ଦିଆଯାଇ ପାରିବ ନାହିଁ କୁହାଯିବାରୁ ଆଲୋଚନାରତ କର୍ମିମାନେ ପୁଣି ତାତିଥିଲେ। ଏମିତି ଦିନ ତମାମ ଆଲୋଚନା ଚାଲିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବାରୁ ଆଗାମୀ ଦିନରେ ସେମାନେ ବଡ ଧରଣର ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର