ରାଉରକେଲା: ଇସ୍ପାତ ସ୍ବୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ବରିଷ୍ଠ ପ୍ରଧ୍ୟାପକ ପ୍ରସନ୍ନ ଭୋଇଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନି। କିଛି ପୁରାତନ ଛାତ୍ରଛାତ୍ରୀ ଶ୍ରୀ ଭୋଇଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ କିଛି ପୁରାତନ ଛାତ୍ର ତାଙ୍କ ସପକ୍ଷରେ ବାହାରିଛନ୍ତି। ଦୁଇ ପୁରାତନ ଛାତ୍ର ଗୋଷ୍ଠୀ ମଧ୍ୟରେ ଏବେ ମୁହାଁମୁହିଁ ପରିସ୍ଥିତି। ବିଡ଼ମ୍ବନା, ଏ ପ୍ରସଙ୍ଗରେ କିଛି ମୁହଁ ଖୋଲି କହୁନାହାନ୍ତି ଅଧ୍ୟାପକ ଶ୍ରୀ ଭୋଇ। ଅନୈତିକଭାବେ ଘରୋଇ ଟ୍ୟୁସନ କରିବା ସହ କଲେଜ ଫଣ୍ଡ୍ର ଦୁର୍ବ୍ୟବହାର ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏବେ ବିପକ୍ଷ ଗୋଷ୍ଠୀ ପୁନର୍ବାର ସାମ୍ନାଦିକ ସମ୍ମିଳନିକରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସାମ୍ବାଦିକ ସମ୍ମିଳୀନରେ ବର୍ଷିଲେ ବିପକ୍ଷ ଗୋଷ୍ଠୀ
ଅନିୟମିତତା, ଦୁର୍ନୀତି, ଅନେହତିକ ସୁରକ୍ଷାର ତଦନ୍ତ ଦାବି
ବାସ୍ତବରେ ବିବାଦ ଆରମ୍ଭ ହୋଇଥିଲା ଗତ ମେ’ ୨୮ ତାରିଖରୁ। ଉକ୍ତ ଦିନ ପୂର୍ବତନ ଛାତ୍ର ରାଘବେନ୍ଦ୍ର ଠାକୁରଙ୍କ ନେତୃତ୍ବରେ କିଛି ପୁରାତନ ଛାତ୍ରଛାତ୍ରୀ ଭୁବନେଶ୍ବରସ୍ଥ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଅଭିଯୋଗ କରିଥିଲେ, ଶ୍ରୀ ଭୋଇ ସାର୍ଟିଫିକେଟ୍ରେ ଚଞ୍ଚକତାକରି ଅଧ୍ୟାପକଭାବେ ଯୋଗଦେଇଛନ୍ତି। ରଘୁନାଥପଲ୍ଲୀ ବିଧାୟକ ଅତ୍ୟନ୍ତ ପାଖଲୋକଭାବେ ଜଣାଶୁଣା ଶ୍ରୀ ଭୋଇ ବିଗତ ଦିନରେ ଘରୋଇ ଟ୍ୟୁସନ କରୁଥିବାର ଦୃଶ୍ୟ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର କ୍ୟାମେରାରେ କଏଦ୍ ହୋଇଯାଇଥିଲା। ଏମିତିକି କଲେଜର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ଦୁରୂପଯୋଗ ନେଇ ମଧ୍ୟ ତାଙ୍କ ବିରୋଧରେ ତଦନ୍ତ ହୋଇଥିଲା। ଏତଦ୍ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ଯାବତୀୟ ହଇରାଣହରକତ କରାଯାଉଥିବା ଅଭିଯୋଗକରି କିଛି ପୁରାତନ ଛାତ୍ରଛାତ୍ରୀ ବିକ୍ଷୋଭ କରିଥିଲେ। ଏହାର ପ୍ରାୟ ୧୦ ଦିନ ପରେ ଅନୁଷ୍ଠାନର ପୁରାତନ ଛାତ୍ରସଂଘ କର୍ମକର୍ତ୍ତା ସଂପୃକ୍ତ ପ୍ରାଧ୍ୟାପକଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଶ୍ରୀ ଭୋଇଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକଭାବେ ମିଛ ଅଭିଯୋଗ ଅଣାଯାଇଛି। ଅଭିଯୋଗ ଆଣୁଥିବା ପୂର୍ବତନ ଛାତ୍ର ଶ୍ରୀ ଠାକୁର ନିଜେ କଲେଜରେ ଆଡ୍ମିଶନ କରାଇବା, ପରୀକ୍ଷାରେ ପାସ୍ କରାଇଦେବା, ଅଧିକ ନମ୍ବର ରଖିବାର ପ୍ରଲୋଭନ ଦେଖାଇ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଏହାକୁ ପ୍ରତିବାଦ କରିବାରୁ ସଂପୃକ୍ତ ପୁରାତନ ଛାତ୍ର ଭିତ୍ତିହୀନ ଅଭିଯୋଗ ଆଣୁଥିବା ଦର୍ଶାଇଥିଲେ।
ଏବେ ଶ୍ରୀ ଠାକୁର ସାମ୍ବାଦିକ ସମ୍ମିଳନୀକରି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। କହିଥିଲେ, ଶ୍ରୀ ଭୋଇଙ୍କ ଦୁର୍ନୀତି, ଅନିୟମିତତାର ସମସ୍ତ ତଥ୍ୟପ୍ରମାଣ ଆମ ପାଖରେ ମହଜୁଦ ରହିଛି। ଏହାକୁ ଶିକ୍ଷା ବିଭାଗ, ଆଞ୍ଚଳିକ ନିର୍ଦ୍ଦେଶକ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଦିଆଯାଇଛି। କିନ୍ତୁ କୌଣସି କାରଣରୁ ତଦନ୍ତ ଆରମ୍ଭ କରାଯାଉନି। ସେହିଭଳି କହିଲେ, କିଛିଦିନ ପୂର୍ବେ କିଛି ପୁରାତନ ଛାତ୍ରଛାତ୍ରୀ ନିଜକୁ ପୂର୍ବତନ ଛାତ୍ର ସଂଘର ସଭାପତି, ସମ୍ପାଦକ ଅବିହିତକରି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ମୋ ଉପରେ ବ୍ୟକ୍ତିଗତ ଆକ୍ଷେପକରି ମୋତେ ମାନସିକ ନିର୍ଯାତନା ଦିଆଯାଇଛି। ବିନା ପ୍ରମାଣରେ ମନଗଢ଼ା ଅଭିଯୋଗ ଆଣି ମୋ’ର ଛବିକୁ ବଦନାମ କରିବାର ଯେଉଁ ଅପଚେଷ୍ଟା କରାଯାଇଛି, ତା’ ବିରୋଧରେ ଆଇନର ସହାୟତା ନେବି। ବାସ୍ତବରେ କଲେଜର ପୁରାତନ ଛାତ୍ର ସଂଘ ଆନୁଷ୍ଠାନିକ ନୁହେଁ। ଏହି ସଂଘର ବାଇ ଲ’ ନାହିଁ କିମ୍ବା ଏହା ପଞ୍ଜିକୃତ ମଧ୍ୟ ହୋଇନି; ଏମିତିକି ସଂଘର ଆକାଉଣ୍ଟ୍ ବି ନାହିଁ। କେବଳ ଆଧିପତ୍ୟ ପ୍ରମାଣିତ କରିବାକୁ ନିଜକୁ ସଂଘର କର୍ମକର୍ତ୍ତା କହୁଛନ୍ତି। ପ୍ରକୃତରେ ଏହି ପୁରାତନ ଛାତ୍ରମାନେ ଶ୍ରୀ ଭୋଇଙ୍କୁ ବିରୋଧକରି ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଖୋଲା ସମର୍ଥନ କରିବା ବ୍ୟଥିତ କରିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଯଥାଶୀଘ୍ର ଶ୍ରୀ ଭୋଇଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।