ଅନୁଗୁଳ:  ବିଜେଡି ମହିଳା କାର୍ଯ୍ୟକାରିଣୀ ବୈଠକରେ ଲାଗିଥିବା ବ୍ୟାନରରେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଫଟୋକୁ ନେଇ ଉପୁଜିଛି ବିବାଦ । ସାମ୍ବିଧାନିକ ପଦ ପଦବୀରେ ଥିବା ଜଣେ ବ୍ୟକ୍ତି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବା ଉଚିତ୍ । କିନ୍ତୁ ସେପରି ସ୍ଥଳେ ତାଙ୍କ ଫଟୋ କିପରି ବ୍ୟାନରରେ ସ୍ଥାନ ପାଇଲା ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଦଳର ବରିଷ୍ଠ ନେତ୍ରୀ ଓ ଜିଲ୍ଲାର ବିଜେଡି ବିଧାୟକମାନେ ଯୋଗ ଦେଇଥିଲେ । କିନ୍ତୁ ମଞ୍ଚରେ ଲାଗିଥିବା ବ୍ୟାନର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ବ୍ୟାନରରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ ଓ ସହ ସଂପାଦକ କୁନ ବିହାରୀ ଦାଶଙ୍କ ଫଟୋ ପରେ ଉପବାଚସ୍ପତି ତଥା ବର୍ତ୍ତମାନର ଭାରପ୍ରାପ୍ତ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଫଟୋ ଲାଗିଥିଲା ।

ବିରୋଧୀ ଅଭିଯୋଗ କରିଛନ୍ତି କି ନିର୍ବାଚନ ଆସୁଥିବାରୁ ବିଜେଡି ସବୁ ନିୟମକୁ ଜଳାଞ୍ଜଳି ଦେଇଛି । ଦଳର ସ୍ୱାର୍ଥ ଆଗରେ ନୀତି, ନୈତିକତା ଓ ଆଦର୍ଶର ମାନେ କିଛି ନାହିଁ ବୋଲି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି । ବିଜେଡିର ଏହି ବେନିୟମ କାର୍ଯ୍ୟକୁ ଜନତା ଖୁବଶୀଘ୍ର ଜବାବ ଦେବେ ବୋଲି ସେ କହିଛନ୍ତି ।