ଆର୍‌ଏସ୍‌ପି ନ୍ୟୁ କୋଲ୍‌ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଦୁର୍ଘଟଣା: ଜଳିଗଲା କନ୍‌ଭେୟର ବେଲ୍‌ଟ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କୋକୋଭେନ୍‌ ବେଟେରୀ ନଂ -୬ର ନ୍ୟୁ ‌କୋଲ୍‌ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ବେଲ୍‌ଟ ନଂ ୩୦୨ରେ ଲକ୍ଷାଧିକ ଟଙ୍କାର କନ୍‌ଭେୟର ବେଲ୍‌ଟ ଜଳିପୋଡି ପାଉଁଶ ହୋଇଯାଇଛି। ଆର୍‌ଏସ୍‌ପି ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବଡଧରଣ ଅଘଟଣକୁ ରୋକାଯାଇ ପାରିଛି।

ଅଗ୍ନିକାଣ୍ଡ ଯୋଗୁଁ କୋକେଭେନ୍‌ ବିଭାଗର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଆଗାମି ୨/୩ ସିଫ୍ଟ ପର୍ଯ୍ୟନ୍ତ ଉତ୍ପାଦନ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଏହି କନ୍‌ଭେୟର ବେଲ୍‌ଟ ଜରିଆରେ ବ୍ଲାଷ୍ଟଫର୍ଣ୍ଣେସ ଓ ଅନ୍ୟାନ୍ୟ ବିଭାଗକୁ କୋଇଲା ପରିବହନ ହୋଇଥାଏ। କେମିତି ଓ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ବିଭାଗୀୟ ଅଧିକାରୀ ତା’ର ତଦନ୍ତ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ କର୍ମଚାରୀମାନେ କାମ କରୁଥିବାବେଳେ ହଠାତ୍‌ ବିଦ୍ୟୁତ୍‌ ସଟ୍‌ ସର୍କିଟ ଯୋଗୁଁ କନଭେୟର ବେଲ୍‌ଟରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରି ଆଡକୁ ବ୍ୟାପି ଯିବାରୁ କର୍ମଚାରୀମାନେ ସେଠାରୁ ବାହାରକୁ ଦୌଡି ପଳାଇ ଆସିଥିବାରୁ କେହି ହତାହତ ହୋଇନଥିବା ଜଣାପଡିଛି। ସେପଟେ ଆର୍‌ଏସ୍‌ପିର ଅନେକ ବିଭାଗର ବାରମ୍ବାର ଏଭଳି ଦୁର୍ଘଟଣାକୁ ନେଇ ଶ୍ରମିକ ସଙ୍ଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର