ରାୟଗଡା: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ଆଜି ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଇ କରିବା ସହ ସହର ପରିକ୍ରମା କରିଥିଲେ। ପରେ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗତ ଦିନରେ ପାଚିକାମାନଙ୍କ ଦରମାକୁ ୧ ହଜାର ଟଙ୍କାରୁ ୨ ହଜାର ଟଙ୍କା ବର୍ଦ୍ଧିତ କରିଥିଲେ। ଯାହାକୁ ସ୍ବାଗତ କରାଯିବା ସହ ଧନ୍ୟବାଦ ଜଣାଯାଇଥିଲା। ତେବେ ଗତ ୨୭ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ଏହା ସମୁଦ୍ରକୁ ଶଂଖେ ଭଳି ମନେ ହୁଏ ବୋଲି ଅଭିଯୋଗ କରିଥିଲେ। ଦିନକୁ ମାତ୍ର ୪୬ ଟଙ୍କା ପାଉଥିବାବେଳେ କିପରି ଘର ଚଳାଇବୁ ବୋଲି ପ୍ରକାଶ କରିଛନ୍ତି। ତେବେ ବିଦ୍ୟାଳୟଗୁଡିକରେ ରୋଷେଇ କରୁଥିବା ସମସ୍ତ ପାଚକ ପାଚିକାମାନଙ୍କୁ ସରକାରୀ ମାନ୍ୟତା ସହ ଏକକ ନିଯୁକ୍ତି ପତ୍ର ପ୍ରଦାନ କରାଯାଉ।
ସରକାରଙ୍କ ଦ୍ବାରା ଘୋଷିତ ଦୈନିକ ମଜୁରୀ ୩୩୧ ଟଙ୍କା ସହ ମାସିକ ୯୯୩୦ ଟଙ୍କା ପ୍ରଦାନ କରାଯାଉ। ୨୦୧୮ ମସିହାଠାରୁ ଯେଉଁ ବକେୟା ୩୬ ହଜାର ଟଙ୍କା ରହିଛି ତୁରନ୍ତ ପ୍ରଦାନ କରାଯାଉ। ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ ସହ ଚିକିତ୍ସା ଭତ୍ତା ସହ ଜୀବନ ବୀମାର ସୁବିଧା ଦିଆଯାଉ।ନିଯୁକ୍ତି ଓ ଚାକିରିରୁ ବାହାର କରିବାର କ୍ଷମତା ସରକାରଙ୍କ ବିଦ୍ୟାଳୟ ବିଭାଗ ସିଧାସଳଖ ନିୟନ୍ତ୍ରଣ କରୁ। ଆମେ ଦିନକୁ ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି କାମ କରୁଥିବାରୁ ଆମକୁ ଭବିଷ୍ୟନିଧିରେ ସାମିଲ କରାଯାଉ। ୬୦ ବର୍ଷରୁ ଉର୍ଦ୍ଧ୍ବଙ୍କୁ ପେନସନର ବ୍ୟବସ୍ଥା କରାଯାଉ।ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରାଯାଉ। ଖରାଛୁଟିରେ ମଧ୍ୟ ଦରମା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଥିଲା।