୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି କୁଲିଂ ଚାମ୍ବର, ଯନ୍ତ୍ରାଂଶ ଖାଇଲା ଖତ

ଜୟପୁର: ବିଦ୍ୟାଧର ସିଂହ ଦେଓ ଦୈନିକ ବଜାର ପରିସରରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଗତ ୨୦୦୬ ମସିହାରେ ସ୍ଥାପନ କରାଯାଇଥିବା ‘କୁଲିଂ ଚାମ୍ବର’ର ଯନ୍ତ୍ରାଂଶ ଏବେ ଖତ ଖାଇବାକୁ ଲାଗିଛି। ଓଡ଼ିଶା ଆଗ୍ରିକଲ୍‌ଚରାଲ ମାର୍କେଟିଂ ବୋର୍ଡର ସହାୟତାରେ ଏହି କୁଲିଂ ଚାମ୍ବର କରାଯାଇଥିଲା। ଲକ୍ଷ୍ୟ ଥିଲା ଜୟପୁର ଓ ଆଖପାଖ ଅଞ୍ଚଳରେ ଚାଷ କରୁଥିବା ଗ୍ରାମାଞ୍ଚଳର ଚାଷୀଙ୍କ ଉତ୍ପାଦିତ ପନିପରିବା, ତେନ୍ତୁଳି ଓ ଶୁଖିଲା ଲଙ୍କା ଗୁଡିକୁ ଏଠାରେ ସାଇତି ରଖାଯିବ। ଚାଷୀଙ୍କୁ ଉତ୍ତମ ବଜାର ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଏଥିରେ ଲାଗିଥିବା ୨ଟି ବଡ ଫ୍ରିଜରକୁ ବିଦ୍ୟୁତ ସଂଯୋଗ ନହେବା ଫଳରେ ହଜାର ହଜାର ଟଙ୍କାର ଫ୍ରିଜର ମେସିନ ସବୁ ଅଚଳ ହୋଇ ଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଖାଲି ଡବା ପରି ଉପରେ ଲୁହା ପାଇପ ଉପରେ ରହିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ବୈଷୟିକ ସମସ୍ୟା ରହିଥିବାରୁ ଏହିଠାରେ ରଖାଯାଉଥିବା ପନିପରିବା, ତେନ୍ତୁଳୀ ଓ ଆଳୁ ପିଆଜ କିଛି ଘଣ୍ଟା ମଧୢରେ ନଷ୍ଟ ହୋଇଯାଉଥିଲା ବୋଲି ମାଳିଗୁଡାର ଚାଷୀ ହରି ‌ମାଳି କହିଛନ୍ତି। ତେବେ ଯେଉଁ ଉଦେଶ୍ୟରେ ଏହା କରାଯାଇଥିଲା ତାହା ୧୫ବର୍ଷ ପରେ ବି ସାଧିତ ହୋଇପାରିନି। ଅନ୍ୟପକ୍ଷରେ ପ୍ରଶାସନ କିମ୍ବା ନିୟନ୍ତ୍ରିତ ବଜାର କମିଟି ଏହା ପର ଠାରୁ ଜୟପୁର ସହର କିମ୍ବା ଉପଖଣ୍ଡରେ ଚାଷୀଙ୍କ ଉତ୍ପାଦିତ ପନିପରିବା, ତେନ୍ତୁଳି, ପିଆଜ, ଆଳୁ ଆଦି ରଖିବା ପାଇଁ ଶୀତଳଭଣ୍ଡାର ସ୍ଥାପନ କରିବା ଦିଗରେ ପ୍ରୟାସ କରି ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର