ସମବାୟ ମହାଦୁର୍ନୀତି: କାହା ଚାପରେ ଅଟକିଛି କାର୍ଯ୍ୟାନୁଷ୍ଠାନ, ବିଆର୍‌ଏମ୍‌ସିଏସ୍‌ ୬ କର୍ମଚାରୀଙ୍କ ବହିଷ୍କାର

ଜମି ଲିଜ୍‌ ବାତିଲ୍‌ କେବେ? ସମବାୟ ପାଇକାରୀ ଭଣ୍ତାର ଦୁର୍ନୀତି ଚାପି ଦେବାକୁ ଉଦ୍ୟମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମବାୟ ସ˚ସ୍ଥା ଗୁଡ଼ିକ ଦୁର୍ନୀତିରେ ଉବୁଟୁବୁ ହେଉଛି। ଦୁର୍ନୀତି ଦାଣ୍ତରେ ପଡ଼ି ହାଟରେ ଗଡ଼ୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିଃ (ବିଆର‌୍‌ଏମ୍‌ସିଏସ୍‌) ହୋଇଥିବା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରିବା ଲାଗି ବାଚସ୍ପତି ବିଧାନସଭାରେ ରୁଲି˚ ଦେଇଥିଲେ। ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଉକ୍ତ ସ˚ସ୍ଥାରେ କାର୍ଯ୍ୟ କରୁଥିବା ୬ କର୍ମଚାରୀଙ୍କୁ ବିଦା କରିବା ଲାଗି ଡିଆର୍‌ସିଏସ୍‌ ପ୍ରାୟ ଦେଢ଼ ମାସ ତଳୁ ଚିଠି ଲେଖିଥିଲେ ହେଁ ଏ ଯାଏ ପଦକ୍ଷେପ ନିଆଯାଇ ନାହିଁ। ବ୍ରହ୍ମପୁର ପାଇକାରୀ ସମବାୟ ଭଣ୍ତାର ସ୍ଥିତି ମଧ୍ୟ ସମାନ ରହିଛି। କାହା ଚାପରେ ବ୍ରହ୍ମପୁର ପୁଲିସ ଏବ˚ ସମବାୟ ବିଭାଗ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିଃ (ବିଆର‌୍‌ଏମ୍‌ସିଏସ୍‌) ଜିଲ୍ଲାର ଏକ କେନ୍ଦ୍ରୀୟ ସମବାୟ ସମିତି। ଏହି ସମବାୟ ସ˚ସ୍ଥା ଜିଲ୍ଲାର ୯ଟି ବ୍ଲକ୍‌ର ପ୍ୟାକ୍ସଙ୍କୁ ସାର, କୀଟନାଶକ ଓ ବିଭିନ୍ନ କୃଷି ସାମଗ୍ରୀ ଆଦି ଯୋଗାଉଥିଲା। କିନ୍ତୁ ୨୦୧୩-୧୪ ପର ଠାରୁ ଏହି ସ˚ସ୍ଥା ସ୍ଥାଣୁ ଅବସ୍ଥାରେ। ଆର୍ଥିକ ଅନିୟମିତତା, ବେଆଇନ ଜମି ଲିଜ୍‌ ଓ ନିଯୁକ୍ତି ଅନିୟମିତତାରେ ଛନ୍ଦି ହୋଇ ରହିଛି ଏହି ସ˚ସ୍ଥା। ସ˚ସ୍ଥାର କୋଟି କୋଟି ଟଙ୍କାର ଜମିକୁ ବେଆଇନ ଭାବେ ଏବ˚ ଶାଗମାଛ ଦରରେ ଲିଜ୍‌ ଦିଆଯାଇଛି। ବେନିୟମ ଭାବେ ଚାକିରି କରିଥିବା ୬ କର୍ମଚାରୀ ବହିଷ୍କାର ସହ ଅମାନତ ଅର୍ଥ ହଡ଼ପ କରିଥିବା ବ୍ୟକ୍ତି ବିଶେଷଙ୍କ ନାମରେ ଏତଲା ଦେବାକୁ ଗତ ଅକ୍ଟୋବର ୧୦ ତାରିଖରେ ଡିଆର୍‌ସିଏସ୍‌ ବ୍ରହ୍ମପୁର ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ଅକ୍ଟୋବର ୧୮ତାରିଖରେ ବ୍ରହ୍ମପୁର ଏଆରସିଏସ୍‌ ଗୋଷାଣୀ ନୂଆଗାଁ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଇତିମଧ୍ୟରେ ଏହିି ସବୁ ନିର୍ଦ୍ଦେଶନାମା, ତଦନ୍ତ ପ୍ରକ୍ରିୟା ଓ ଏତଲାକୁ ମାସକରୁ ଅଧିକ ସମୟ ବିତିଛି। ଡିଆର୍‌ସିଏସ୍‌ଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏଯାବତ୍‌ ୬ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇ ନାହିଁ। ଆର୍ଥିକ ଅନିୟମିତତାକୁ ନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦିଆ ଯାଇଥିଲେ ହେଁ ପୁଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅନ୍ୟପକ୍ଷରେ ପ୍ରାୟ ୫୦ ଜଣଙ୍କୁ ବେଆଇନ ଭାବେ ଦିଆ ଯାଇଥିବା ଜମି ଲିଜ୍‌ର ତଦନ୍ତ ସରିଛି। କିନ୍ତୁ ବେଆଇନ ଜମି ଲିଜ୍‌କୁ ବାତିଲ ମଧ୍ୟ କରାଯାଇ ନାହିଁ। ଲିଜ୍‌ ନେଇଥିବା ଜମି ଉପରେ ହୋଇଥିବା ଅନଧିକାର ନିର୍ମାଣ ଉଚ୍ଛେଦ ଲାଗି ମଧ୍ୟ ପଦକ୍ଷେପ ନିଆ ଯାଇନାହିଁ। ତେବେ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଏହି କାର୍ଯ୍ୟାନୁଷ୍ଠାନ ଅଟକିଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

ଜିଲ୍ଲାର ଆଉ ଏକ କେନ୍ଦ୍ରୀୟ ସମବାୟ ସ˚ସ୍ଥା ବ୍ରହ୍ମପୁର ସହରର ହିଲପାଟଣା ସ୍ଥିତ ବ୍ରହ୍ମପୁର ପାଇକାରୀ ସମବାୟ ଭଣ୍ତାରର ସ୍ଥିତି ମଧ୍ୟ ତଦ୍ରୁପ୍‌। ବିଭିନ୍ନ ପ୍ରକାର ଏଫ୍‌ଏମ୍‌ସିଜି ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ଖାଉଟି ସାମଗ୍ରୀ ଲୋକଙ୍କୁ ସୁଲଭ ଦରରେ ବିକ୍ରି କରିବା ଏହି ସ˚ସ୍ଥାର କାର୍ଯ୍ୟ। ସ˚ସ୍ଥା ପାଇକାରୀ ଦୋକାନ ଦୀର୍ଘଦିନ ହେଲା ସ୍ଥାଣୁ ପାଲଟି ଥିବା ବେଳେ କାଗଜପତ୍ରରେ କିନ୍ତୁ ଏହା ଚାଲିଥିବା ଦର୍ଶାଯାଇଛି। ପ୍ରତି ମାସିକ ଅଗ୍ରଗତି ରିପୋର୍ଟ(ଏମ୍‌ପିଆର୍‌)ରେ ପାଇକାରୀ ସମବାୟ ଭଣ୍ତାର ବ୍ୟବସାୟ କରୁଥିବା ଏବ˚ ସାମଗ୍ରୀ ବିକ୍ରି ନିମନ୍ତେ ୨ଜଣଙ୍କୁ ଠିକାରେ ନିଯୁକ୍ତି ଦିଆ ଯାଇଥିବା ମଧ୍ୟ ଦର୍ଶାଯାଉଛି। ଏହି ବଡ଼ ଧରଣର ଜାଲିଆତି ପଦାକୁ ଆସିବା ପରେ ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଛି। ପୁଲିସ ଏହି ମାମଲାରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଜାଣିଶୁଣି କୋଟି କୋଟିର ସମବାୟ ଦୁର୍ନୀତିକୁ ଚାପି ଦେବାକୁ ଉଦ୍ୟମ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର