ଜୟପୁର: ରାଜ୍ୟର ଚତୁର୍ଥ ଏନସିସି ଗୃପ୍ ମୁଖ୍ୟାଳୟ ଓ ଏନସିସି ଏକାଡେମୀ ଜୟପୁରରେ ଆରମ୍ଭ ହେବ। ତେବେ ମୁଖ୍ୟାଳୟ ନିର୍ମାଣ କାମ ଧିମେଇବା ଓ ଏକାଡେମୀ ପାଇଁ ବଳକା ୧.୫ଏକର ଜମି ମିଳି ନଥିବାରୁ ଜାନୁଆରୀରୁ ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଥିଲେ ହେଁ ତାହାର ପଦ୍ମ ଘୁଚିଂଘୁଚିଂ ଯାଉଛି। ମୁଖ୍ୟାଳୟର ନିର୍ମାଣ କାମ ସଂପ୍ରତି ପାରାବେଡ଼ା କୋଭିଡ୍ କେୟାର ସେଣ୍ଟରକୁ ଏନସିସି ନିଜ ଅଧିନକୁ ନେଇ ଜିଲ୍ଲାପ୍ରଶାସନ ମାଧ୍ୟରେ ଏହାର ପୁନଃରୁଦ୍ଧାର କାମ କରାଯାଉଛି। ଗତ ଦୁଇ ଦିନ ଧରି ରାଜ୍ୟ ଏନସିସିର ନିର୍ଦ୍ଦେଶକ କର୍ଣ୍ଣେଲ ସାଗର ମହାନ୍ତି ଜୟପୁର ଗସ୍ତରେ ଆସି ଗୃପ କମାଣ୍ଡର କର୍ଣ୍ଣେଲ କେ.ଶ୍ରୀନିବାସ, ଜୟପୁର ୟୁନିଟ୍ ହେଡ୍ କର୍ଣ୍ଣେଲ ନବୀନ ପରାମଶ, ଏନସିସି ଆଲୁମିନି ରାଜ୍ୟ ସଭ୍ୟ ନିଶାନ ପଟ୍ଟନାୟକଙ୍କୁ ସାଙ୍ଗରେ ନେଇ ମୁଖ୍ୟାଳୟର ନିର୍ମାଣ କାମର ତଦାରଖ କରିଥିଲେ। ଏହା ସହ ପ୍ରଶାସନ ଏନସିସି ଏକାଡେମୀ ପାଇଁ ସ୍ବାମୀ ନାଥନ୍ ଗବେଷଣା କେନ୍ଦ୍ର ନିକଟରେ ଦେଇଥିବା ୩.୫ଏକର ଜମିକୁ ବି ବୁଲି ଦେଖିଥିଲେ।
ଏହା ସହ କର୍ଣ୍ଣେଲ ମହାନ୍ତି ଜିଲ୍ଲାପାଳ ମହମ୍ମଦ ଆବଦଲ ଆକ୍ତରଙ୍କୁ ଭେଟି କାମ ମନ୍ଥର ଗତିରେ ଚାଲୁଥିବାକୁ ନେଇ ଦୃଷ୍ଟି ଆକର୍ଷଣ କରାଇଥିଲେ। ଜାନୁଆରୀ ମାସରେ ଏହାକୁ ଲୋକାର୍ପଣ କରିବା ଯୋଜନା କରାଯାଇଥିଲା। କିନ୍ତୁ କାମର ମନ୍ଥର ଗତି ଏବଂ କାମ ନ ସରିବା ଯୋଗୁଁ ଏହା ହୋଇ ପାରିନି ବୋଲି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଏହି କାମ ଯେଭଳି ଯୁଦ୍ଧକାଳୀନ ଭିତ୍ତିରେ ଆସନ୍ତା ମାର୍ଚ୍ଚ ୧୫ତାରିଖ ସୁଦ୍ଧା ସାରିବା ଏବଂ ଏହାକୁ ଲୋକାର୍ପଣ କରିବାକୁ ନେଇ ଆଲୋଚନା କରିଥିଲେ। ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ନିଜେ ଏହାର ତଦାରଖ କରି ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ପ୍ରତିଶ୍ରୃତି ଦେଇଥିଲେ। ଏନସିସି ଏକାଡେମୀ ସ୍ଥାପନ ପାଇଁ ୫ଏକର ଜମିର ଆବଶ୍ୟକତା ରହିଥିବା ବେଳେ ଜିଲ୍ଲାପ୍ରଶାସନ ମାତ୍ର ୩.୫ଏକର ଜମି ଚିହ୍ନଟ କରିଛନ୍ତି, ବଳକା ୧.୫ଏକର ଜମିକୁ ନେଇ ବି ଆଲୋଚନା କରାଯାଇଥିଲା। ସିଡିଏମଓ ଡ.ଅରୁଣ ପାଢ଼ୀଙ୍କ ସହ ନିର୍ଦ୍ଦେଶକ କର୍ଣ୍ଣେଲ ମହାନ୍ତି ଓ ଦଳ ଭେଟି ଆଗାମୀ ଦିନରେ ମୁଖ୍ୟାଳୟ ଓ ଏକାଡେମୀ ଖୋଲିବା ପରେ ସ୍ବାସ୍ଥ୍ୟ ସେବା ଯୋଗାଇବା ଏବଂ ପ୍ରଶିକ୍ଷଣ ସମୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ବିଏସଏଫ୍, କୋବ୍ରା, ସିଆରପିଏଫ୍ ଆଦିଙ୍କୁ ଯେଭଳି ସହଯୋଗ କରି ଆସୁଛି ସେଭଳି ସଂପୁର୍ଣ୍ଣ ରୁପେ ସବୁ ବେଳେ ସହଯୋଗ କରିବ ବୋଲି ସିଡିଏମଓ ଡ.ପାଢ଼ୀ ଆଶ୍ବାସନା ଦେଇଥିଲେ।