ରାୟଗଡ଼ା: ବୃତ୍ତି ରାଜନୀତି। କିନ୍ତୁ କରୋନା ମହାମାରୀ ପାଇଁ ବଦଳି ଯାଇଛି ଜୀବନଶୈଳୀ। ରାଜନୀତି ଓ ଅନ୍ୟ କାମଧନ୍ଧା ଛାଡ଼ି ଏବେ ମାସ୍କ ସିଲେଇ ସହ ବାହାରେ ବୁଲୁଥିବା ଗୃହପାଳିତ ପ୍ରାଣୀଙ୍କୁ ଖାଇବାକୁ ଦେଉଛନ୍ତି ଅନୁସୂୟା ମାଝି। ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ସାଙ୍ଗକୁ ସହରର ବିଭିନ୍ନ ମହିଳା ସଂଗଠନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଅନୁସୂୟା ମାଝିଙ୍କ ଏପରି କାର୍ଯ୍ୟକୁ ନେଇ ଏବେ ଚାଲିଛି ଚର୍ଚ୍ଚା।
ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ଅନୁସୂୟା ବସି ଯାଉଛନ୍ତି ସିଲେଇ ମେସିନରେ। ୧ ହଜାର ମାସ୍କ ସିଲେଇ କରିବାକୁ ଲକ୍ଷ୍ୟ ରଖିଥିବା ଅନୁସୂୟା ଦିନକୁ ୬୦ରୁ ୭୦ଟି ମାସ୍କ ସିଲେଇ କରୁଛନ୍ତି। ଆଜି ସୁଦ୍ଧା ୪ ଶହ ମାସ୍କ ସିଲେଇ ସରିଥିବା ବେଳେ ବଳକା ମାସ୍କ ସିଲେଇ କରିବା ପରେ ରାୟଗଡ଼ା ସହର ସମେତ ତାଡ଼ମା, ସିରିକୋଣା ଏବଂ ଆଖପାଖରେ ରହୁଥିବା ବାଣ୍ଟିବେ ବୋଲି କହିଛନ୍ତି।
/sambad/media/post_attachments/wp-content/uploads/2020/04/RGD_Anusaya-1-720x1024.jpg)
ଛାତ୍ରୀ ଜୀବନରେ ସିଲେଇ ଶିଖିଥିଲେ ମଧ୍ୟ ଅନୁସୂୟା ବହୁ ବର୍ଷ ହେଲା ସିଲେଇ କରୁନଥିଲେ। କରୋନା ବ୍ୟାପିବା ପରେ ଗୋଷ୍ଠୀ ସଂକ୍ରମଣକୁ ରୋକିବାରେ ମାସ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ରାଜ୍ୟ ସରକାର ଘୋଷଣା କରିବା ସହ ବାହାରକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଆଇନ ଉଲ୍ଲଂଘନକାରୀଙ୍କଠୁ ଜରିମାନା ଆଦାୟ କରିବାକୁ ନିର୍ଦେଶ ଥିବାରୁ ଗ୍ରାମାଞ୍ଚଳରୁ ଆସୁଥିବା ଲୋକ ସଚେତନତାର ଅଭାବ ଏବଂ ଗ୍ରାମାଞ୍ଚଳରେ ମାସ୍କ ମହଜୁଦ୍ ନଥିବା କାରଣରୁ ପିନ୍ଧି ପାରୁନାହାନ୍ତି। ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରିବା ସହ ମାଗଣାରେ ମାସ୍କ ବଣ୍ଟନ କରିବାକୁ ଇଚ୍ଛା ପ୍ରକାଶ କରି ଅନୁସୂୟା ସିଲେଇ ଆରମ୍ଭ କରିଛନ୍ତି।
ନିଜର ୪ ଜଣ ସହଯୋଗୀଙ୍କୁ ନେଇ ଖୁବ୍ ଶୀଘ୍ର ମାସ୍କ ବଣ୍ଟନ କରିବେ ବୋଲି କହିଛନ୍ତି। ଏଥି ସହିତ ପ୍ରତିଦିନ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଏବଂ ଆଖପାଖ ଅଞ୍ଚଳରେ ବୁଲୁଥିବା ଗୃହପାଳିତ ପ୍ରାଣୀଙ୍କୁ ଖାଇବାକୁ ଦେଉଛନ୍ତି ଅନୁସୂୟା। କୁକୁରଙ୍କୁ ଭାତ, ଡାଲମା, ପକ୍ଷୀଙ୍କୁ ଚାଉଳ, ଗହମ, ଏବଂ ଗାଈଗୋରୁଙ୍କୁ ପେଜ, ତୋରାଣି, ଚୋକଡ଼ ଖାଇବାକୁ ଦେଉଛନ୍ତି। କରୋନା ପ୍ରଭାବରେ ଅନ୍ୟ ସମସ୍ତ କାମ ବନ୍ଦ ଥିବାରୁ ଘରେ ରହିବାକୁ କଟକଣା ଜାରି କରାଯାଇଛି। ହେଲେ ଏପରି ପରିସ୍ଥିତିରେ ଗରିବ, ଗୁରୁବାଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ନିଜ ସଞ୍ଚିତ ଅର୍ଥରେ ଏପରି ଉଦ୍ୟମ କରିଛନ୍ତି ଅନୁସୂୟା। ଅନୁସୂୟାଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/RGD_Anusaya-2.jpg)