କରୋନା ବିଗା‌ଡୁଛି ସାମାଜିକ ସନ୍ତୁଳନ, ବିପଦ ମୁହଁରେ ସଂକ୍ରମିତଙ୍କ ସନ୍ତାନ

କୋରାପୁଟ: ସୁଶାନ୍ତ(ଛଦ୍ମନାମ) ଯେତେବେଳେ କୋଭିଡ ସଂକ୍ରମିତ ବୋଲି ଜାଣିଲେ, ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। କାରଣ ସେ ଏକା ସଂକ୍ରମିତ ହୋ‌ଇ ନ ଥିଲେ, ପତ୍ନୀ ମଧ୍ୟ ପଡିଥିଲେ କରୋନା କବଳରେ। ଦୁଇଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେମାନେ ପ୍ରଥମେ ଭାଙ୍ଗି ପଡିଥି‌ଲେ ମଧ୍ୟ ପରେ ସାହସ ସଂଗ୍ରହ କଲେ। ଦୁହେଁ ସାଙ୍ଗ ହୋଇ ଏହି ଅଦୃଶ୍ୟ ଭୂତାଣୁ ବିରୋଧରେ ଲଢିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ମଧ୍ୟ ହୋଇଗଲେ। ସେମାନଙ୍କ ପାଖରେ କୋଭିଡ ଲକ୍ଷଣ ନ ଥିବାରୁ ଏହି ଯୁଦ୍ଧ ସେମାନେ ନିଶ୍ଚିତ ଭାବେ ଜିତିବେ ବୋଲି ମଧ୍ୟ ପରସ୍ପରକୁ ବୋଧ ଦେଲେ। କିନ୍ତୁ ଏହି ସମୟରେ ଚିନ୍ତା ଘାରିଲା ପୁଅକୁ ନେଇ। ତାଙ୍କର ଏକମାତ୍ର ପୁଅକୁ ସେମାନେ କେଉଁଠି ଛାଡିବେ ତା’କୁ ନେଇ ସମସ୍ୟାରେ ପଡିଗଲେ। ସାହି, ପଡିଶା କେହି ପୁଅକୁ ରଖିବା ପାଇଁ ରାଜି ହେଲେନି। ପରେ ଏହି ଦଂପତ୍ତି ବାଧ୍ୟ ହୋଇ ପୁଅକୁ ନେଇ ଗଲେ କୋଭିଡ କେୟାର କେନ୍ଦ୍ରକୁ। ପୁଅର ରିପୋର୍ଟ ନେଗେଟିଭ ଥିଲେ ମଧ୍ୟ ଅନ୍ୟ ଉପାୟ ନ ପାଇ ବିପଦକୁ କୋଳେଇ ନେବାକୁ ବାଧ୍ୟ ହେଲେ।

ଆଶ୍ଚର୍ଯ୍ୟ, ଅବିଶ୍ବାସ ଓ ଅମାନବୀୟ ଲାଗୁଥିଲେ ମଧ୍ୟ ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ। ମହାମାରୀ କରୋନା ସାମାଜିକ ସନ୍ତୁଳନକୁ ସାଂଘାତିକ ଭାବେ ବିଗାଡି ଦେଇଥିଲାବେଳେ ଏମିତି ଅଧା ଡଜନ ଉଦାହରଣ ରହିଛି ସାରା ଜିଲ୍ଲାରେ। କରୋନା ଆତଙ୍କରେ ସାରା ବିଶ୍ବ ଛଟପଟ ହେଉଥିଲାବେଳେ ଏଠାରେ ୨ରୁ ୧୦ ବର୍ଷର ପିଲାମାନଙ୍କୁ ଜାଣିଶୁଣି  କରୋନା ମୁହଁକୁ ଠେଲି ଦିଆଯାଉଛି। ଅବଶ୍ୟ, ବାପା, ମା’ଙ୍କ ପାଖରେ ଏହା ଛଡା ଆଉ କିଛି ରାସ୍ତା ନାହିଁ। ଭୂତାଣୁ ସଂପର୍କର ସଂଜ୍ଞାକୁ ବଦଳେଇ ଚାଲିଥିଲାବେଳେ ଛୋଟ ପିଲାମାନେ କିଛି ଜାଣିବା ଆଗରୁ ଏକ ଭୟଙ୍କର ଯୁଦ୍ଧର ସାମନା କରୁଛନ୍ତି।

କିଛି ଦିନ ତଳେ ମାଲକାନ୍‌ଗିରିର ଏକ ଛୋଟ ଛୁଆର କରୋନା ପଜିଟିଭ ରିପୋର୍ଟ ଆସିଥିଲା। କିନ୍ତୁ ତାଙ୍କ ବାପା କିମ୍ବା ମା’ଙ୍କ ରିପୋର୍ଟ ନେଗେଟିଭ ଥିଲା। ଏହି ଛୋଟ ଛୁଆକୁ ଯେତେବେଳେ କୋଭିଡ ଡାକ୍ତରଖାନାକୁ ସ୍ଥାନ୍ତନ୍ତର କରାଗଲା, ମା’ ତାକୁ ଛାଡିଲେନି। ବରଂ ସାଙ୍ଗ ହୋଇ ଛୁଆ ସହ ବାହାରିଲେ। ଏକ ଅବୋଧ ଶିଶୁକୁ ଏମିତି ଅବସ୍ଥାରେ ଛାଡିବାକୁ ସେ ନିରାପଦ ମନେ କଲେନି। ବରଂ, ନିଜକୁ ବିପଦରେ ପକାଇ ଛୁଆକୁ କୋଳରେ ଧରି କୋଭିଡ ଡାକ୍ତରଖାନାକୁ ଗଲେ। କିନ୍ତୁ କୋରାପୁଟରେ ଆଉ ଏକ ଦିଗ ସାମନାକୁ ଆସିଛି। ଏଠାରେ କିଛି ସ୍ଥାନରେ ବାପା କିମ୍ବା ମା’ଙ୍କର କୋଭିଡ ରିପୋର୍ଟ ପଜିଟିଭ ରହିଥିଲାବେଳେ ପିଲାଙ୍କ ରିପୋର୍ଟ ନେଗେଟିଭ ରହିଛି। ଏପରିକି କିଛି ସ୍ଥାନରେ ଦୁଇଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ପିଲାଙ୍କୁ କିନ୍ତୁ କରୋନା ଛୁଇଁନି। ଏଭଳି ସ୍ଥିତିରେ ସେମାନେ ପିଲାଙ୍କୁ  କେମିତି ଛାଡି ଡାକ୍ତରଖାନାକୁ ଯିବେ, ତାହା ସମସ୍ୟା ସୃଷ୍ଟି କରିଛି। ଯେଉଁଠି ଯୌଥ ପରିବାର ରହିଛି, ସେଠାରେ ସମସ୍ୟା‌ ହୋଇନି। କିନ୍ତୁ ଯେଉଁଠି ଛୋଟ ପରିବାର, ସେଇଠି ଅସୁବିଧା। ବାପା, ମା’ଙ୍କର କୋଭିଡ ପଜିଟିଭ ହୋଇଥିବାରୁ ପିଲାଙ୍କୁ ପାଖ ପଡୋଶୀ ନିଜ ପାଖରେ ରଖିବାକୁ ରାଜି ହେଉ ନାହାନ୍ତି। ସଂକ୍ରମଣ ଭୟରେ ସେମାନେ ମୁହଁ ଫେରାଇ ନେଉଛନ୍ତି। ଏପରି କଠିନ ସମୟରେ ବନ୍ଧୁ ବାନ୍ଧବ ବି ସାଥ୍ ଦେଉ ନାହାନ୍ତି। ପିଲାଟି କାଳେ କରୋନା ସଂକ୍ରମଣ ହୋଇଥିବା ଭାବି ସେମାନେ ପାଖକୁ ଆସୁ ନାହାନ୍ତି। କିଛି ସ୍ଥାନରେ ଛୋଟ ପିଲାଟି ମଧ୍ୟ ବାପା, ମା’ଙ୍କୁ ଛାଡି ଏକୁଟିଆ ରହିବାକୁ ରାଜି ହେଉନି। ସବୁଆଡୁ ଯେତେବେଳେ ରାସ୍ତା ବନ୍ଦ ହୋଇ ଯାଉଛି, ସେତେବେଳେ ବାପା, ମା’ ବ‌ାଧ୍ୟ ହୋଇ ଛୋ‌ଟ ପିଲାଙ୍କୁ ନେଇ କୋଭିଡ କେୟାର କେନ୍ଦ୍ରକୁ ଯାଉଛନ୍ତି। ଜାଣିଛନ୍ତି, ଏହା ପିଲାଙ୍କୁ ବିପଦରେ ପକାଇବାରେ। ତଥାପି ଆଉ କିଛି ବାଟ ନ ଥିବାରୁ ସେମାନେ ବାଧ୍ୟ ହୋଇ ବିପଦର ବଳୟ ଭିତରେ ଧସେଇ ପଶୁଛନ୍ତି। ନିଜ ପାଖେ ପାଖେ ରଖୁଛନ୍ତି। ପିଲା ଯେମିତି ସଂକ୍ରମିତ ନ ହେବ, ସେ ଦିଗ‌ରେ ଯତ୍ନ ନେଉଛନ୍ତି। ଏପଟେ କରୋନା କ’ଣ ଜାଣି ନ ଥିବା ଛୋଟ ପିଲା ତା’ କଅଁଳ ହାତ‌ରେ ଜୀବନର ଏହି ଭୟଙ୍କର ଯୁଦ୍ଧ ଲଢିବାକୁ ବାଧ୍ୟ ହେଉଛି।

ସମ୍ବନ୍ଧିତ ଖବର