ଗୁଣପୁରରେ ବଢ଼ୁଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା: ଗୋଟିଏ ଦିନରେ ଆଖି ବୁଜିଲେ ୬ ଜଣ

ସପ୍ତାହକରେ ମଲେଣି ୧୦ରୁ ଉର୍ଧ୍ବ ଲୋକ, କଣ୍ଟେନମେଣ୍ଟ୍ ଜୋନରେ ଅଧା ସହର

ରାୟଗଡ଼ା/ଗୁଣପୁର: ଗୁଣପୁର ସହରରେ ବଢ଼ି ଚାଲିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା। ଆଜି ଦିନକରେ ସହରର ବିଭିନ୍ନ ସାହିରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଗତ ସପ୍ତାହକ ମଧ୍ୟରେ ୧୦ରୁ ଉର୍ଧ୍ବ ଲୋକଙ୍କ ମୃତ୍ୟୁ ହେବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ସହରବାସୀ। ମୃତକଙ୍କ ମଧ୍ୟରେ ବେସରକାରୀ ଡାକ୍ତର, ଅବସରପ୍ରାପ୍ତ କର୍ମଚାରୀ, ଆଇନଜୀବୀ, ମିଲ୍ ମାଲିକ, ଯୁବ ବ୍ୟବସାୟୀ ରହିଛନ୍ତି।

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ୨ ଡାକ୍ତରଙ୍କ ସମେତ ସହରରୁ ୨୪ କରୋନା ପଜିଟିଭ୍ ଚିହ୍ନଟ ପରେ ସହରର ଅଧା ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନରେ ରହିଛି। ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ବର୍ହି ବିଭାଗ, ପ୍ରସୂତୀ କକ୍ଷ ୭୨ ଘଣ୍ଟା ବନ୍ଦ ରଖାଯିବା ପରଠୁ ଆଉ କୌଣସି ଲୋକ ଭୟରେ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଉ ନାହାନ୍ତି। କଣ୍ଟେନମେଣ୍ଟ୍ ଜୋନ୍ ଅଞ୍ଚଳର ରୋଗୀକୁ ଜରୁରିକାଳୀନ ସେବା ପାଇଁ ଆମ୍ବୁଲାନସ୍ ନେଉନଥିବା ଏବଂ ଠିକ୍ ସମୟରେ ମୋବାଇଲ୍ ହେଲଥ୍ ଟିମ୍ ରୋଗୀଙ୍କ ଘରେ ପହଞ୍ଚି ପାରୁନଥିବାରୁ ସହରବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ପଡ଼ିଛି। ଫଳରେ ଅସୁସ୍ଥତା କାରଣରୁ ଗତ ସପ୍ତାହକ ମଧ୍ୟରେ ସହରରେ ୧୦ରୁ ଉର୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ଆଜି ଦିନକରେ ସହରର ଜଣେ ବେସରକାରୀ ଡାକ୍ତର ଏଲ୍. ରାମାରାଓଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।

ଗତ କିଛି ଦିନ ହେଲା ଅସୁସ୍ଥ ଥିବା ରାମା ରାଓ ଆଜି ନିଜ ବାସ ଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେହିପରି ଆଇନଜୀବୀ ସୀମାଦ୍ରୀ ପ୍ରସାଦ ରାଓ ଅସୁସ୍ଥ ପରେ ବିଶାଖାପାଟଣା ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସିତ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ପରେ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ମିଲ୍ ମାଲିକ ଲାଡ଼ି ଚନ୍ଦ୍ରୟାଙ୍କ ଦେହ ଆଜି ସକାଳେ ହଠାତ ଅସୁସ୍ଥ ହୋଇ ପଡ଼ିବା ପରେ ନିଜ ବାସଭବନରେ ହିଁ ମୃତ୍ୟୁ ଘଟିଥିଲା। ଗୌଡ଼ ସାହି ବାସିନ୍ଦା ତଥା ଓଡିଶା ହ୍ୟାଣ୍ଡଲୁମ ମାଲିକ ତାରା ରାଓ ଗତକାଲି ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ନିମନ୍ତେ ପ୍ରସ୍ତୁତି ଚାଲିଥିବା ବେଳେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଚା ଦୋକାନୀ ସୁରୀ ମାଲିଙ୍କ ସମେତ ଗାନ୍ଧୀ ନଗର ମଝି ସାହିର ହୀରାମଣି ରାଙ୍ଗୁଲୀଙ୍କ ଶ୍ୱାସ ଜନିତ ରୋଗରେ ଆଜି ମୃତ୍ୟୁ ହୋଇଛି। ଦିନକରେ ୬ ଜଣଙ୍କ ମୃତ୍ୟୁ ସହରବାସୀଙ୍କ ସ୍ତବ୍ଧ କରି ଦେଇଛି। ଅନ୍ୟପକ୍ଷରେ ଗୁଣପୁର ଶତାୟୁ ବାଳକ ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଗାଧୁ ଶତପଥୀ, ଆଦର୍ଶ ନଗରର ବ୍ୟବସାୟୀ ତ୍ରିନାଥ ପଣ୍ଡାଙ୍କ ମାଆ ସତ୍ୟଭାମା ପଣ୍ଡା, ପୌରାଞ୍ଚଳର ସିଆରସିସି ଧନଞ୍ଜୟ ପାଣିଗ୍ରାହୀ, କୁମୁଟି ସାହିର ବ୍ୟବସାୟୀ ଜି. କ୍ରିଷ୍ଣା ରାଓ ଅସୁସ୍ଥ ଅନୁଭବ କରି ଗତ ସପ୍ତାହକ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି।

ସମ୍ବନ୍ଧିତ ଖବର