ବଜାର ଉପରେ କ‌ରୋନା ପ୍ରଭାବ‌: ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକଙ୍କ ଭିଡ, ବାର-ରେଷ୍ଟୁରାଣ୍ଟ ବନ୍ଦ

ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ ରହିବେ ନାହିଁ

କୋରାପୁଟ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଆଉ କିଛି ନୂଆ କଟକଣା ଲାଗୁ କରାଯାଇଛି। ‌ବାର, ରେଷ୍ଟୁରାଣ୍ଟ, କଫି ସପିଂ ଆଦିକୁ ବନ୍ଦ କରିବାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହିପରି ସର୍ବସାଧାରଣ ବ୍ୟବହାର କରୁଥିବା ଯାନବାହନ ଉପରେ କଟକଣା ଲଗା ଯାଇଛି। ସର୍ବସା‌ଧାରଣ ସ୍ଥାନରେ ୭ରୁ ଅଧିକ ଲୋକ ଜମା ହେବା ଉପରେ ମଧ୍ୟ ରୋକ ଲଗାଯାଇଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ନେଇ ଘୋଷଣା ପରେ ଆଜି ବଜାରରେ ଭିଡ ବଢି ଯାଇଥିଲା। ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ସବୁ ଅଧିକ ପରିମାଣରେ ଘରକୁ ବୋହି ନେଇଥିଲେ।

ସାରା ଦେଶରେ ଏବେ କରୋନା ଭୁତାଣୁ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏପଟେ ମୁଣ୍ଡ ବି ଗଡୁଛି। ଓଡ଼ିଶାରେ ଏ ପର୍ଯ୍ୟନ୍ତ ଦୁଇଜଣଙ୍କ ଶରୀରରେ ଏହି ଭୁତାଣୁ ଥିବା ସ୍ପଷ୍ଟ ହୋଇଗଲାଣି। ତେଣୁ ଅଧିକ ସଂକ୍ରମଣ ଆଶଙ୍କାରେ ସରକାର ଅନେକ କଟକଣା ଲଗାଇଛନ୍ତି। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ଆଜି ନୂଆ କଟକଣା ଜାରି କରାଯାଇଛି। ରେଷ୍ଟୁରାଣ୍ଟ, ବାର, କଫି ସପ ଆଦି ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶାନାମା ଜାରି କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏଗୁଡିକ ବନ୍ଦ ରହିବ। ସେହିପରି ଯାନବାହନ ଗୁଡିକୁ ନିୟନ୍ତ୍ରଣ କରାଯିବ। ଏଗୁଡିକୁ ଦିନେ ଛାଡି ଦିନେ ଚାଲିବା ପାଇଁ ଅନୁମତି ମିଳିବ। ହାଟ ଓ ସପିଂ କଂପ୍ଲେକ୍ସ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏଠାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦିଆଯିବ। ତେବେ ଅଧିକ ଗହଳି ଯେମିତି ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକଙ୍କ ଗହଳି ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବ‌ୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ଗହଳିକୁ ରୋକିବା ଓ ଏକା ସାଙ୍ଗରେ ଅଧିକ ଲୋକ ନ ରହିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଉଥିଲେ ମଧ୍ୟ ଆସନ୍ତା ରବିବାର ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏହା ସହିତ ଦେଶରେ ଜରୁରୀ ପରିସ୍ଥିତି ସୃଷ୍ଟି ହେବା ନେଇ ଲୋକଙ୍କ ଭିତରେ ଆଶଙ୍କା ପ୍ରକାଶ ପାଉଛି। ଦିନକୁ ଦିନ ବିଭିନ୍ନ ଦୋକାନ ବନ୍ଦ ହେଉଥିବାରୁ ଲୋକଙ୍କ ମନରେ ଛନକା ପଶି ଯାଇଛି। ତେଣୁ ଲୋକମାନେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଗୁଆ କିଣି ନେଉଥିବା ଲକ୍ଷ୍ୟ କରାଯାଉଛି।

ଆଜି ବିଭିନ୍ନ ତେଜରାତି ଦୋକାନାରେ ଚାଉଳ, ଡାଲି, ତେଲ, ଲୁଣ, ଚିନିର ଚାହିଦା ବଢି ଯାଇଥିଲା। ଆଳୁ, ପିଆଜ, ଅମୂଲ ପରି ନିତ୍ୟ ଦରକାର ସାମଗ୍ରୀ ସବୁ ଲୋକେ ଘରକୁ ବୋହି ନେଇଥିଲେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଲୋକେ କିଛି ଅଧିକ ଦିନ ପାଇଁ ସାମଗ୍ରୀ ଘରକୁ ନେଉଥିବା ଲକ୍ଷ୍ୟ କରାଯାଉଥିଲା। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ ହେବା ପରେ ରାସ୍ତାଘାଟ ଓ ବଜାରରେ ଗହଳି ପତଳା ରହିଥିଲା। ବିଭିନ୍ନ ଧର୍ମାନୁଷ୍ଠାନ ସବୁ ଆଜିଠାରୁ ବନ୍ଦ ହୋଇଯାଇଥିଲାବେଳେ କେବଳ ଠାକୁରଙ୍କ ରୀତିନୀତି କରାଯାଇଥିଲା।

କେବଳ ପୂଜକ ଓ ସେବା ସହ ଜଡିତ ଲୋକଙ୍କୁ ଛାଡିଦେଲେ ଆଉ କାହାକୁ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ ଅନୁମତି ମିଳି ନ ଥିଲା। ଫଳରେ ଆଜି ପ୍ରସିଦ୍ଧ ଶାବର ଶ୍ରୀକ୍ଷେତ୍ର ଖାଁ ଖାଁ ଲାଗୁଥିଲା। ଏପଟେ ଆସନ୍ତା ୨୫ ତାରିଖରେ ଜନଜାତି ବିଭାଗ ଦ୍ବାରା ପରିଚାଳିତ ହ‌ଷ୍ଟେଲ ସବୁ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଏହା ଭିତରେ ପିଲାମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଜିମା ଦିଆଯିବ। ଏଥିନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା ମୁକାବିଲା ନେଇ ଆଜି ଜିଲ୍ଳାର ବିଭିନ୍ନ ବ୍ଲକରେ ପ୍ରସ୍ତୁତି ବୈଠକ ହୋଇଛି। ଆସନ୍ତାକାଲି ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ ଡକା ଯାଇଛି। କରୋନା ଯେମିତି ଏଠାରେ ସଂକ୍ରମିତ ନ ହେବ ସେଥିନେଇ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର