ଗାଁରେ ଲୁଚି ରହିଛନ୍ତି କରୋନା ସଂକ୍ରମିତ! ପ୍ରତି ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ୍

ଖୋର୍ଦ୍ଧା: ଜିଲ୍ଲାର ଅନେକ ସ୍ଥାନରେ କରୋନା ସଂକ୍ରମିତ ଲୁଚି ରହିଥିବା ଆଶଙ୍କା ରହିଛି । ପ୍ରଶାସନର ସୀମିତ ମାନବସମ୍ବଳ ଯୋଗୁଁ ଗାଁ ଗହଳିରୁ ସନ୍ଦିଗ୍ଧଙ୍କୁ ଠାବ କରିବା ସମ୍ଭବ ନୁହେଁ ଏହାକୁ ଦୃଷ୍ଟିରେ ରଖି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ସୂଚିତ କରିବା ପାଇଁ ପ୍ରତି ଗାଁରେ ରାପିଡ୍ ରେସପନ୍ସ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏ ନେଇ କହିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟାର ବୃଦ୍ଧିକୁ ଦୃଷ୍ଟିରେ ରଖି ଗ୍ରାମାଂଚଳରେ ଏହି ସଂକ୍ରମଣ ଯେଭଳି ନ ବ୍ୟାପିବ ସେନେଇ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତି ଗାଁରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାରେ ସହାୟତା କରିବା ପାଇଁ ଗାଁର ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଜଣେ ଆଶା କର୍ମୀ ଓ ୱାର୍ଡ ସଦସ୍ୟଙ୍କୁ ନେଇ ଏକ ୪ ଜଣିଆ ରେପିଡ୍ ରେସପନ୍ସ ଟିମ୍ ଗଠିତ କରିବାକୁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

thirdforcenews.org.uk

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନୁସାରେ, ବିଡିଓ, ସିଡିପିଓ, ପିଏଚ୍ସି କିମ୍ବା ସିଏଚ୍ସିର ଡାକ୍ତର, ବିଇଓଙ୍କ ପରାମର୍ଶରେ ପ୍ରତ୍ୟେକ ଗାଁରୁ ୪ଜଣିଆ ଟିମ୍ ଗଠିତ ହେବ । ସେମାନେ ଗାଁରେ କରୋନା ସଂକ୍ରମଣର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା, ସେମାନଙ୍କ ସ୍ୱ ଅନ୍ତବାସ ନିମନ୍ତେ ପରାମର୍ଶ ଦେବା ଓ ଆବଶ୍ୟକ ପଡ଼ିଲେ ସ୍ୱାବ୍ ପରୀକ୍ଷଣ ପାଇଁ ପ୍ରଶାସନକୁ ପରାମର୍ଶ ଦେବେ । ଏହି ଟିମ୍ ଗାଁକୁ ଆସିଥିବା ବିଦେଶାଗତ ଲୋକଙ୍କ ତାଲିକା ପ୍ରସ୍ତୁତ କରିବେ । କ୍ୱାରେଂଟିନ୍ର ନିଦେ୍ର୍ଦଶ ଦିଆଯାଇଥିବା ଲୋକଙ୍କ ଉପରେ ସତର୍କ ନଜର ରଖିବେ । ଗାଁରେ ସାମାଜିକ ଦୂରତ୍ୱ ରକ୍ଷା କରିବାର ବ୍ୟବସ୍ଥା କରିବେ । ଏହା ସହ ଲୋକଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା ଆଦି ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସଚେତନ କରିବେ ।

ସେହିଭଳି ଜିଲ୍ଲାରେ ଗୃହାବଦ୍ଧ ଉଠିବା ପରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହେବା ପାଇଁ ଏନ୍ସିସି, ନେହେରୁ ଯୁବକେନ୍ଦ୍ର, ବିଜୁ ଯୁବ ବାହିନୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସିଭିଲ୍ ଡିଫେନ୍ସ, ରେଡ୍କ୍ରସ, ସ୍କାଉଟ୍ ଓ ଗାଇଡ୍ ଆଦି ସଂଗଠନ ପକ୍ଷରୁ ସ୍ୱେଚ୍ଛାସେବୀଙ୍କ ତାଲିକା ଆଗାମୀ ୩ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ବିଡିଓ, ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶକୁ ଦିଆଯାଇଛି । ଏହି ସ୍ୱେଚ୍ଛାସେବୀମାନେ ଆବଶ୍ୟକ ସମୟରେ ନିୟୋଜିତ ହେବେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର