ଝାରସୁଗୁଡ଼ା ଜେଲରେ କରୋନା ମୁକାବିଲା, କଏଦୀଙ୍କୁ ଛଡ଼ାଯିବା ନେଇ ତାଲିକା ପ୍ରସ୍ତୁତ

ଝାରସୁଗୁଡ଼ା: ସଂପ୍ରତି କରୋନା କାୟାବିସ୍ତାର କରି ଚାଲିଥିବା ବେଳେ ଏଥିପାଇଁ ଏକମାତ୍ର ଉପାୟ ସାମାଜିକ ଦୂରତ୍ବ ଉପରେ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ତେଣୁ ବିଭିନ୍ନ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏଭଳି ସ୍ଥିତିରେ କରୋନା ଭଳି ସଂକ୍ରମଣ ରୋଗ ଯେଭଳି ଜେଲକୁ ସଂକ୍ରମିତ ନକରିବ ସେ ନେଇ ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଥିବା ଜେଲ ଗୁଡ଼ିକର ଅନ୍ତେବାସୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଜେଲ ଗୁଡ଼ିକରେ କ୍ଷମତା ଠାରୁ ଅଧିକ ଅନ୍ତେବାସୀ ଥିବା ଜେଲ ଗୁଡ଼ିକ ଉପରେ ପ୍ରାଥମିକତା ଦିଆଯାଇ ସ୍ଥଳବିଶେଷରେ ଅନ୍ତେବାସୀଙ୍କୁ ବିଭିନ୍ନ ଜେଲକୁ ସ୍ତାନାନ୍ତର କରାଯାଉଥିବା ବେଳେ ଅଣ୍ଡର ଟ୍ରାଏଲ କମିଟି ଦ୍ବାରା ବିଚାର କରାଯାଇ କିଛି କଏଦୀଙ୍କୁ ଜାମିନ ମଧ୍ୟ ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଝାରସୁଗୁଡ଼ା ସବ୍‌ ଜେଲରେ ମଧ୍ୟ କିଛି କଏଦୀଙ୍କୁ ଛଡ଼ା ଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।

ଝାରସୁଗୁଡ଼ା ସବୁ ଜେଲରେ ଥିବା ବ୍ୟବସ୍ଥା ଅନୁଯାୟୀ ଏଠାରେ ୨୮୬ କଏଦୀ ରହିପାରିବେ । ମାତ୍ର ଏବେ ଏହି ଜେଲରେ ୧୪୪ କଏଦୀ ଅଛନ୍ତି। ଏଥି ମଧ୍ୟରୁ  ୧୫ ଜଣ ମହିଳା ଅନ୍ତେବାସିନୀ ମଧ୍ୟ ଅଛନ୍ତି। କିଛି କଏଦୀଙ୍କୁ ପୂର୍ବରୁ ‌ଜାମିନ ପ୍ରଦାନ କରାଯାଇ ସାରିଛି। ଗତକାଲି ମଧ୍ୟ ଜଣେ କଏଦୀକୁ ଜାମିନ ମିଳିଥିଲା। ଜିଲ୍ଲାଜଜ୍‌ଙ୍କ ଅଧ୍ୟକ୍ଷତାରେ ଥିବା ଅଣ୍ଡର ଟ୍ରାଏଲ କମିଟି ଅଧିନରେ ଏହି ଜେଲର କିଛି କଏଦୀଙ୍କୁ ଛାଡ଼ିବା ପାଇଁ ବିଚାର ଚାଲିଛି। ଜେଲର ଦେବେନ୍ଦ୍ର ଥାଟିଙ୍କ ସୂତ୍ରରୁ ପ୍ରକାଶ ଯେ, ସର୍ବାଧିକ ୭ ବର୍ଷ ଦଣ୍ଡାଦେଶ ଥିବା କଏଦୀଙ୍କ ମଧ୍ୟରୁ ୨୨ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକା ଏବେ ଅଣ୍ଡର ଟ୍ରାଏଲ କମିଟିର ବିଚାରାଧିନ ଅଛି। ଏହି ୨୨ ଜଣିଆ ତାଲିକା ମଧ୍ୟରୁ ୮ ଜଣଙ୍କ ଜାମିନ ମଞ୍ଜୁର ହୋଇଥିବା ବେଳେ ଏମାନଙ୍କୁ ବୁଧବାର ସୁଦ୍ଧା ଜେଲରୁ ଛାଡ଼ କରାଯବାର ସମ୍ଭାବନା ରହିଛି।

କରୋନା ସଂକ୍ରମଣ ଉପରେ ଜେଲ ପକ୍ଷରୁ ସଂପୂର୍ଣ୍ଣ ସଜାଗ ରହି ସଚେତନତା କାର୍ଯ୍ୟ କରାଯାଉଛି। ଜେଲ ଅନ୍ତେବାସୀଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମଦ୍ୟମ କରାଯାଇଛି। ଅନ୍ତେବାସୀଙ୍କ ଖାଇବା, ରହିବା ସମୟରେ ଯେପରି ଦୂରତ୍ବ ରହିବ ସେଥିପାଇଁ ଗୋଲେଇ ଚିହ୍ନ ଦିଆଯାଇଛି। ଜେଲ ଭିତରକୁ ଗଲାବେଳେ ଓ ବାହାରିଲା ବେଳେ ହାତ ଧୋଇବା ପାଇଁ ବ୍ୟବସ୍ଥା କରାଯାଇଛି। ନୂଆଁ କଏଦୀ ଜେଲକୁ ଆସିଲେ ତାକୁ ଅନ୍ୟତ୍ର ରଖାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଜେଲ ଭିତରେ ଥିବା ୩ ନମ୍ବର ୱାର୍ଡ଼କୁ ଏଥିପାଇଁ ଆଇସୋଲେସନ୍‌ ୱାର୍ଡ଼ କରାଯାଇଛି। ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ନେଇ ଜେଲର ଓ ସିଡ଼ିଏମ୍‌ଓଙ୍କ ମଧ୍ୟରେ ନିୟମିତ ବାର୍ତ୍ତାଳାପ ହେଉଥିବା ଜେଲର ଶ୍ରୀ ଥାଟି କହିଛନ୍ତି। ମାତ୍ର ଜେଲରେ ଥିବା ଡାକ୍ତର ପଦବୀରେ କେହି ଏଲୋପ୍ୟାଥି ଡାକ୍ତର ନଥିବାରୁ ଜଣେ ହୋମିଓପ୍ୟାଥି ଡାକ୍ତର କାର୍ଯ୍ୟ ତୁଲାଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର