କରୋନା କାହାଣୀ; ପ୍ଲେଟ୍‌, ଦନା ତିଆରି କରି ବିକୁଛନ୍ତି ଯାତ୍ରା କଳାକାର

କଣ୍ଟାପଡ଼ା: ରାଜ୍ୟରେ ନାମୀଦାମୀ ଯାତ୍ରାପାର୍ଟିର ତବଲାବାଦକ ଭାବେ କଳାକାର ସଚ୍ଚିଦାନନ୍ଦ ପୋଥାଳଙ୍କର ବିଶେଷ ପରିଚୟ ଥିଲା। ହେଲେ, ମହାମାରୀ କରୋନା ଯୋଗୁଁ ଏବେ ସେ ଅସହାୟ ହୋଇପଡ଼ିଛନ୍ତି। ପରିବାର ବି ସମସ୍ୟାରେ ରହିଛନ୍ତି। ଫଳରେ ଏହି କଳାକର ଏବେ ଡିସ୍‌ପୋଜେବୁଲ୍‌ ପ୍ଲେଟ୍‌, ଗ୍ଲାସ୍‌ ଓ ଦନା ତିଆରି କରି ବିକ୍ରି କରୁଛନ୍ତି। ସଚ୍ଚିଦାନନ୍ଦଙ୍କ ନିଜ ଘର କଣ୍ଟାପଡ଼ା ବ୍ଲକ ବାବଜା ଗ୍ରାମରେ। କରୋନା ଆସିବା ପରଠାରୁ ରାଜ୍ୟରେ ଯାତ୍ରା ପରିବେଷଣ ବନ୍ଦ ହୋଇଯାଇଥିବାରୁ କଳାକାରମାନେ ରୋଜଗାର ହରାଇଛନ୍ତି। ସଚ୍ଚିଦାନନ୍ଦ ମଧ୍ୟ ସେମାନଙ୍କ ଭିତରୁ ଜଣେ। ଏବେ ତାଙ୍କ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି।

ଅନ୍ୟ କୌଣସି ରାସ୍ତା ନ ପାଇ ସେ ଏକ ମେସିନ ସାହାଯ୍ୟରେ ଖାଇବାପତ୍ର, ଦନା, ଗ୍ଲାସ୍‌, ଚାମଚ୍‌ ଇତ୍ୟାଦି ପ୍ରସ୍ତୁତି କରି ଛକ, ବଜାରରେ ବିକ୍ରି କରୁଛନ୍ତି। ସାଇକଲରେ ନେଇ ଦୋକାନମାନଙ୍କରେ ବିକ୍ରୟ ବି କରୁଛନ୍ତି। ଏ ସମ୍ପର୍କରେ ସଚ୍ଚିଦାନନ୍ଦ କହନ୍ତି, ‘ତବଲାବାଦକ ହିସାବରେ ସାରା ରାଜ୍ୟରେ ଯାତ୍ରାପାର୍ଟିରେ ତବଲା ପରିବେଷଣ କରିଛି। ଏବେ ଯାତ୍ରା ପାର୍ଟି ବନ୍ଦ ରହିଛି। କଳାକାର ହିସାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ବି କୈାଣସି ସହାୟତା ମିଳିପାରି ନାହିଁ। ଘରେ ସେମିତି କିଛି ଜମିବାଡ଼ି ନଥିବାରୁ ଏହି ଜିନିଷ ସବୁ ତିଆରି କରି ପରିବାର ପ୍ରତିପୋଷଣ କରୁଛି। କଳାକାର ବୋଲି ଭୁଲିଯାଇ ପରିବାର ପ୍ରତିପୋଷଣ ପାଇଁ ଏହି କାମ କରୁଛି।’

ସମ୍ବନ୍ଧିତ ଖବର