କରୋନା ଗିଳିଦେଲା ସିନେମାହଲ; ଶତାଧିକ କର୍ମଚାରୀ ଓ ବେପାରୀ ହାତବାନ୍ଧି ବସିଛନ୍ତି

ଜୟପୁର: କରୋନା ଭୂତାଣୁ ଆସିବା ପରେ କାହା ବେପାର ଗିଳୁ ନ ଗିଳୁ ସିଧାସଳଖ ଭାବେ ସିନେମା ହଲ ଏବଂ ଏହା ଉପରେ ନିର୍ଭର କରି ଚଳୁଥିବା ଛୋଟମୋଟ ବେପାରୀଙ୍କୁ ଗିଳିଦେଇଛି। ସଂକ୍ରମଣ ଗୋଟିଏ ପଟେ ହୁହୁ ହୋଇ ବଢ଼ୁଥିବା ବେଳେ ସିନେମା ହଲ୍ ଖୋଲିବାର ଯେଉଁ ଠିକକ୍ ଆଶା ବି ରହିଥିଲା ତାହା ଧିରେ ଧିରେ ମଉଳି ଯାଇଛି। ପ୍ରଥମ ପର୍ଯ୍ୟାୟ ବେଳେ ବନ୍ଦ ପଡ଼ିଥିବା ସିନେମା ହଲ ସବୁ ଅଳ୍ପ କିଛି ମାସ ତଳେ ଖୋଳିଥିଲା। ତେବେ ବ୍ୟାପକ କଟକଣା ଜାରୀ କରାଯାଇଥିଲା।

ସଂପ୍ରତି ୨ୟ ପର୍ଯ୍ୟାୟ ଆସିବା ପରେ ପୁଣି ପ୍ରଶାସନର ନିର୍ଦେଶରେ ବନ୍ଦ ହୋଇଗଲା ସିନେମାହଲ। ଏଥିରେ ପାଇଁ ସେଲିଭ୍ରେସନର ୨ଟି ହଲ ସହ ପୁରାତନ ଭାସ୍କର ଓକରସୁଧା ହଲ୍ ବି ବନ୍ଦ ପଡିଛି। ଏହା ପୂର୍ବରୁ ଜୟପୁର ସହରରେ ଗତ କିଛି ବର୍ଷ ହେବ ଭିଡିଓ କ୍ୟାସେଟ, ପାଇରେଟଡ୍ ସିଡିର ପ୍ରଭାବ ଏଭଳି ପଡିଲା ଯେ ଜୟପୁର ସହରର ୩ଟି ସିନେମା ହଲ ଲକ୍ଷ୍ମୀ, ଏମକେଟି ଓ ଶ୍ରୀକ୍ରୀଷ୍ଣା ସହ ୫ଟି ଭିଡିଓ ହଲର ବେପାର ନ ହେବା ଫଳରେ ବନ୍ଦ ହୋଇଯାଇଥିଲା। ସହର ଏବଂ ଅଭିବକ୍ତ କୋରାପୁଟ ଜିଲ୍ଳାବାସୀଙ୍କ ପ୍ରମୁଖ ସହରର ଲୋକଙ୍କ ମନୋରଂଜନର ଖୋରାକ୍ ଯୋଗାଇ ଆସିଥିବା ସିନେମା ହଲ ଶିଳ୍ପ ଏହି ସ୍ଥିତିରେ ଏବେ ଡୁବିବାକୁ ବସିଲାଣି।

ଗତ ଦେଢ଼ ବର୍ଷ ମଧ୍ୟ‌ରେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ଏହି ସିନେମା ହଲର ମାଲିକ ମାନେ ସହିଥିବା କହିଛନ୍ତି। ଯନ୍ତ୍ରାଂଶ ଗୁଡିକ ସେଭଳି ପଡି ପଡି ନଷ୍ଟ ହେଲାଣି। ହଲକୁ ପ୍ରତ୍ୟେକ ଦୁଇ ଦିନ ଅନ୍ତରାଳରେ ସଫା ସୁତରା କରି ରଖିବାକୁ ପଡୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟୟ କରି, ବ୍ୟାଙ୍କ ଏବଂ ହାତ ଋଣ ଆଣି ଆରମ୍ଭ କରିଥିବା ସିନେମା ହଲର ଏଭଳି ଅବସ୍ଥା ହେବ ବୋଲି କେବେ ଚିନ୍ତା କରି ନଥିବା କହିଛନ୍ତି ସତ୍ୟ ରାୟ। ହଲରେ କାମ କରୁଥିବା କର୍ମଚାରୀଙ୍କ ସହ ଏହା ପରିସରରେ ପାନଦୋକାନ, ସାଇକେଲ ଷ୍ଟାଣ୍ଡ ଆଦିରେ ବଂଚୁଥିବା ଶତାଧିକ କର୍ମଚାରୀ ଏବେ ହାତବାନ୍ଧି ବସିଛନ୍ତି ବୋଲି କହିଛନ୍ତି ଶ୍ରୀରାୟ।

ସମ୍ବନ୍ଧିତ ଖବର