କରୋନା କାହାଣୀ; ଡ୍ରେଜିଂ କମ୍ପାନି କର୍ମଚାରୀ କରୁଛନ୍ତି ପରିବା ଚାଷ

ଡେରାବିଶ: ଦୀର୍ଘବର୍ଷ ହେଲା ଏକ ଡ୍ରେଜିଂ କମ୍ପାନିରେ କାର୍ଯ୍ୟ କରୁଥିଲେ ଡେରାବିଶ ବ୍ଲକ ଗୋଲରାହାଟ ପଂଚାୟତ ଅନ୍ତର୍ଗତ ଦୁମୁକା ଗ୍ରାମର ମଙ୍ଗୁଳି କାଣ୍ତି(୪୪)। ହେଲେ କରୋନା ମହାମାରୀ ଏବେ ତାଙ୍କ ବୃତ୍ତି ବଦଳାଇ ଦେଇଛି। ଅର୍ଥ ରୋଜଗାର କରି ନିଜ ପରିବାର ପ୍ରତିପୋଷଣ ଚିନ୍ତାରେ ରହିଥିବା ମଙ୍ଗୁଳି ଶେଷରେ ପରିବା ଚାଷ କରିବାକୁ ବାଧ୍ୟ ହୋଇଛନ୍ତି। ମଙ୍ଗୁଳୀ ପାରାଦୀପସ୍ଥିତ ଧରିତ୍ରୀ ଡ୍ରେଜିଂ କମ୍ପାନିର ସୁପରଭାଇଜର ଭାବେ ଦୀର୍ଘଦିନ ହେଲା ଚାକିରି କରି ଆସୁଥିଲେ। କମ୍ପାନିରୁ ପାଉଥିବା ଦରମାରେ ତାଙ୍କ ପରିବାର ବେଶ୍‌ ଆରାମରେ ରହୁଥିଲା। ହେଲେ କରୋନା ମହାମାରୀର କଳାବାଦଲ ଏହି ପରିବାର ପ୍ରତି ବିପଦ ସାଜିଥିଲା। ଏହି ମହାମାରୀଜନିତ ସରକାରୀ କଟକଣା ଯୋଗୁଁ କମ୍ପାନି ବନ୍ଦ ହୋଇପଡିବାରୁ ମଙ୍ଗୁଳି ନିଜ ଘରକୁ ଫେରି ଆସିଥିଲେ। କମ୍ପାନି ଖୋଲିଲେ ପୂର୍ବାବସ୍ଥା ଫେରିଯିବ ବୋଲି ଆଶା କରିଥିବା ମଙ୍ଗୁଳି ଦୀର୍ଘମାସ ହେଲା ଘରେ ବସିରହି ହତାଶ ହୋଇପଡ଼ିବା ସହ ପରିବାର ପ୍ରତିପୋଷଣ ଚିନ୍ତାରେ ପଡିଥିଲେ। ନିଜର କିଛି ଛାଷଜମି ନଥିବାରୁ ସେ କ’ଣ ବା କରିବେ? ଏହାକୁ ନେଇ ଚିନ୍ତିତ ଥିବାବେଳେ ତାଙ୍କ ବଡ଼ଭାଇ ବିଜୟ କାଣ୍ତି ଏହି ପଂଚାୟତ ପକ୍ଷରୁ ମନରେଗା ଯୋଜନାରେ କରାଯାଇଥିବା ଆମ୍ବ ବାଗାନ ଜଗାରଖା ଦାୟିତ୍ବରେ ରହିଥିବା ଜାଣିବାକୁ ପାଇଥିଲେ।

ଉକ୍ତ ବାଗାନ ଅଂଚଳରେ ଆମ୍ବ ଚାରାକୁ ଛାଡି ବିସ୍ତିର୍ଣ୍ଣ ଜମି ଖାଲିଥିବା ଦେଖି ସେଠାରେ ପରିବା ଚାଷ କରିବା ପାଇଁ ବିଜୟ ନିଜ ଭାଇକୁ ପରାମର୍ଶ ଦେଇଥିଲେ। ଏ ବାବଦରେ ପଂଚାୟତ କାର୍ଯ୍ୟାଳୟକୁ ଜଣାଇବା ପରେ ଦୁଇଭାଇ ଉକ୍ତ ଆମ୍ବ ବାଗାନ ମଧ୍ୟରେ ରହିଥିବା ଖାଲି ସ୍ଥାନରେ ବିଭିନ୍ନ ପରିବା ଲଗାଇବା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ବହୁ ପରିବା ଗଛ ନଷ୍ଟ ହୋଇଯିବାରୁ ଦୁଇଭାଇ ଚିନ୍ତିତ ହୋଇଥିଲେ। ହେଲେ, ହତାଶ ହୋଇ ନପଡି ପୁନର୍ବାର ବିଭିନ୍ନ ପରିବା ଚାରାରୋପଣ କରିଥିଲେ। ଏବେ ଉକ୍ତ ବାଗାନରେ ଆମ୍ବ ଚାରା ବଢ଼ି ଚାଲିଥିବାବେଳେ ବନ୍ଧାକୋବି, ଫୁଲ କୋବି, ଟମାଟର, ଭେଣ୍ତି, କଖାରୁ ଇତ୍ୟାଦି ପରିବାରେ ଏହି ବାଗାନ ସବୁଜମୟ ହୋଇଥିବା ବେଳେ ମଝିରେ ଲାଗିଥିବା ସୋରିଷ ଗଛର ଫୁଲ ଏହି ଆମ୍ବ ବାଗାନର ସୈାନ୍ଦର୍ଯ୍ୟପୂର୍ଣ୍ଣ କରିଦେଇଥିବା ଦେଖାଯାଇଛି।

ଅପରପକ୍ଷରେ ଏହି ବାଗାନ ପରିସରରେ ହୋଇଥିବା ପରିବାକୁ ବିକି ମଙ୍ଗୁଳି ଓ ତାଙ୍କ ଭାଇଙ୍କ ପରିବାର ଦୁଃଖେକଷ୍ଟେ ପ୍ରତିପୋଷଣ ହୋଇ ପାରୁଥିବା ମଙ୍ଗୁଳି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅର୍ଥାଭାବ ଯୋଗୁଁ ଏହି ପରିବା ଚାଷକୁ ସଠିକ ଢଙ୍ଗରେ କରିବାକୁ ସେମାନଙ୍କୁ ବହୁ କଷ୍ଟ ହେଉଥିବାରୁ ଯଦି ସେମାନଙ୍କ କିଛି ସରକାରୀ ସହାୟତା ମିଳି ପାରନ୍ତା ତେବେ ସେମାନଙ୍କ ଅବସ୍ଥା ସୁଧୁରି ଯାଆନ୍ତା ବୋଲି ଉଭୟ ମଙ୍ଗୁଳି ଓ ବିଜୟ କହିଛନ୍ତି।

ସମ୍ବନ୍ଧିତ ଖବର