କରୋନା କାହାଣୀ; ମୁମ୍ବାଇରୁ ଚଷାଖଣ୍ଡ

କେନ୍ଦ୍ରାପଡ଼ା: ମୁମ୍ବାଇର ଅନ୍ଧେରୀରେ ଗତ ୪୦ ବର୍ଷ ହେଲା ରହି ଗଦି କାମ କରୁଥିଲେ। ବେଶ୍‌ ନାଁ କମାଇଥିଲେ ସେଠାରେ। ନିଜ ନିଜ ଗାଡି ସିଟ୍‌ ଓ ସୋଫା ଇତ୍ୟାଦିର କାମ କରିବା ପାଇଁ ବହୁ ଅଭିନେତାଙ୍କ ସମେତ ବଡବଡିଆଙ୍କ ଭିଡ ଲାଗୁଥିଲା ତାଙ୍କ ପାଖରେ। କରୋନା ମହାମାରୀ ତାଙ୍କର ସବୁ ସ୍ବପ୍ନ ଉଜାଡି ଦେଲା। ମୁମ୍ବାଇ ଛାଡ଼ି ଶେଷରେ ଭିଟାମାଟିକୁ ଫେରି ଆସିଲେ ଡେରାବିଶ ବ୍ଲକ ଗୋଲରାହାଟ ପଂଚାୟତ ଚଷାଖଣ୍ତ ମୁସଲିମ ସାହିର ଜାକିର ଖାନ(୫୪)। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର କେତେକ ପଡୋଶୀ ଆଖି ବୁଜିବା ପରେ ଭୟଭୀତ ହୋଇପଡ଼ିଥିଲେ ଜାକିର। ଗତ ଫେବୃଆରିରେ ନିଜ ଗାଁ ଚଷାଖଣ୍ତକୁ ଫେରି ଆସିଥିଲେ

କିଛିମାସ ପରେ ସବୁକିଛି ଠିକଠାକ ହୋଇଯିବ ଭାବି ନିଜ ପାଖରେ ସଂଚିତ ଥିବା ଅର୍ଥକୁ ପରିବାର ପ୍ରତିପୋଷଣରେ ଲଗାଇଦେଇଥିଲେ। ହେଲେ ପ୍ରକୋପ ବଢି ଚାଲିଲା। ମୁମ୍ବାଇକୁ ଫେରିବା ଅସମ୍ଭବ ଜାଣି ଶେଷରେ ନିଜ ଗାଁରେ ରହି କିଛି ରୋଜଗାରର ରାହା ଖୋଜିଲେ ସେ। ଶେଷରେ ଗ୍ରାମ ନିକଟସ୍ଥ ୯ନମ୍ବର କେନାଲ ବନ୍ଧ ଉପରେ ଏକ କ୍ୟାବିନ ପକାଇ ଏକ ଛୋଟ ତେଜରାତି ଦୋକାନ ଖୋଲିଲେ। ଏହି ଦୋକାନରୁ ଯାହା ରୋଜଗାର ହେଉଛି ସେହିଥି‌ରେ ପରିବାର ଯେନତେନ ପ୍ରକାରେ ଚଳି ଯାଉଛି। ମୁମ୍ବାଇରେ ରହି ଯେତିକି ରୋଜଗାର କରୁଥିଲି ତାହା ତ ହେଉନାହିଁ। ହେଲେ, ଏହି ବ୍ୟବସାୟ ପରିବାର ପେଟକୁ ଦାନା ଯୋଗାଇବାରେ ସହାୟକ ହୋଇ ପାରୁଛି ବୋଲି ଜାକିର କହିଛନ୍ତି।

ସମ୍ବନ୍ଧିତ ଖବର